ବୈତରଣୀ

 

 

 

 

 

 

 

 

 

 

 

ବୈତରଣୀ

ଶ୍ରୀ କେଶବ ଚନ୍ଦ୍ର ମିଶ୍ର

 

ଉତ୍ସର୍ଗ ପତ୍ର

ଉତ୍କଳେ ସର୍ବୋଚ୍ଚ ସ୍ଥାନ କେନ୍ଦୁଝର

 

ତା ଶିଖରୁ ବଇତରଣୀ ବାହାର ।

 

ପୂତ କରିଅଛି ରାଜ୍ୟ ଗୋଟିଯାକ

 

କରଣ ବ୍ରାହ୍ମଣ ଦେବତା ଅନେକ ।

।୧।

ଭାବିଣ ପବିତ୍ର ଅଛନ୍ତି ତା ତୀରେ

 

ପ୍ରାକୃତିକ ଶୋଭା ଜନ ମନ ହରେ ।

 

ପୁରୀଛଡ଼ା ଦେଖି ନାହିଁ ଅନ୍ୟଠାରେ

 

ଏପରି ପ୍ରକାଣ୍ଡ ଦେଉଳ ମଧ୍ୟରେ ।

।୨।

ବଳଭଦ୍ର ମୂର୍ତ୍ତି ଅତୀବ ସୁନ୍ଦର

 

ତାଙ୍କ ସେବା ପୂଜା ନାହିଁ କେଉଁଠାର ।

 

ଶକ୍ତିଶାଳୀ ଅଟେ ଯେଉଁତକ ସ୍ଥାନ

 

ତହିଁରେ ବିରାଜେ ଯାର ସିଂହାସନ ।

।୩।

ସେ ରାଜ୍ୟ ଅଧିପ ବଳଭଦ୍ର ଭଞ୍ଜ

 

ପୁଷ୍ପ ମଧ୍ୟେ ଯଥା ଶୋଭୁଥାଇ କଞ୍ଜ ।

 

ଦେଖିଲେ ତାଙ୍କର ପ୍ରଫୁଲ୍ଲ ବଦନ

 

ମହାତ୍ମା ବୋଲିଣ ପାଞ୍ଚୁଥାଏ ମନ ।

।୪।

କୁଳାଚାରନିଷ୍ଠ ସାହିତ୍ୟରସିକ

 

ସର୍ବଦା ରଖନ୍ତି ମାତୃଭାଷା ଟେକ ।

 

ସୁଶୀଳ ସୁଧୀର ଗମ୍ଭୀର ମୂରତି

 

ବନମାଳିଆର ପଦେ ଥାଏ ଭକ୍ତି ।

।୫।

ଉଦାର ବଦାନ୍ୟ ଗୁଣରେ ଭୂଷିତ

 

ବିଚାରେ ସର୍ବଦା ନିରପେକ୍ଷ ମତ ।

 

ଯେପରି ଲକ୍ଷ୍ମଣ ରାମଚନ୍ଦ୍ର ଦୁଇ

 

ପାଳୁଥିଲେ ପ୍ରଜା ଅଯୋଧ୍ୟାରେ ଥାଇ ।

।୬।

ଛୋଟରାୟ ସହ ବଳଭଦ୍ର ଭଞ୍ଜ

 

ପାଳୁଛନ୍ତି କେନ୍ଦୁଝର ପ୍ରଜାପୁଞ୍ଜ ।

 

ବୈତରଣୀ କାବ୍ୟେ ଅର୍ଦ୍ଧେକ ଚରିତ

 

ତାଙ୍କ ରାଜ୍ୟ କଥା ହେବାରୁ, ମୋ ଚିତ୍ତ ।

।୭।

ବଳିଲା ଶ୍ରୀକର-କମଳେ ଅର୍ପଣ

 

ନ ହେଉ ପଛକେ ଯୋଗ୍ୟ ସମର୍ପଣ ।

।୮।

ସଦାନୁଗତ

ଲେଖକ

Image

 

ଭୂମିକା

 

ବୈତରଣୀ ନଦୀ କେନ୍ଦୁଝର ସୀମାମଧ୍ୟରେ ଅଦ୍ଧେର୍କରୁ ଅଧିକ ପ୍ରବାହିତ ଲେଖକ କେନ୍ଦୁଝରରେ ୮ ବର୍ଷକାଳ ସ୍କୁଲ ସଃ ଇଃ କାର୍ଯ୍ୟ କରି ତାହାର ଉତ୍ପତ୍ତିସ୍ଥାନରୁ ଯାଜପୁର ପର୍ଯ୍ୟନ୍ତ ଉଭୟତୀର ଦେଖିବାର ସୁବିଧା ପାଇଥିଲା ଅବଶିଷ୍ଟ ଅଂଶ ଦେଖି ବୈତରଣୀ ସମ୍ୱନ୍ଧରେ କିଛି ଲେଖିବାକୁ ଇଚ୍ଛାକରି ଆଜକୁ ବ୨୫ର୍ଷ ତଳେ ଡ଼ଙ୍ଗାରେ ଯାଜପୁରଠାରୁ ଧାମରା ମୁହାଣ ପର୍ଯ୍ୟନ୍ତ ଯାଇ ସେ ସମ୍ୱନ୍ଧରେ ଗୋଟିଏ ନୋଟ ଖାତା ରଖିଥିଲା ମାତ୍ର ଯେତେବେଳେ ଲେଖା ଆରମ୍ଭ କରେ, ସେତେବେଳେ କିଛି ନା କିଛି ବାଧା ପହଞ୍ଚିବାରୁ ଏପର୍ଯ୍ୟନ୍ତ ତାହା କାର୍ଯ୍ୟରେ ପରିଣତ କରି ପାରି ନ ଥିଲା ମାତା ବିରଜାଙ୍କ କୃପାରୁ ଯାଜପୁର କର୍ମ୍ମକ୍ଷେତ୍ର ହେବାରୁ ତିନିମାସ ପରିଶ୍ରମ କରି କିଛି ଲେଖିବାକୁ ସକ୍ଷମ ହୋଇଅଛି ଏହା ସର୍ବସାଧାରଣରେ ଆଦୃତ ହେଲେ ସେ ନିଜ ଶ୍ରମ ସଫଳ ଜ୍ଞାନ କରିବ

 

ଯାଜପୁର

ଲେଖକ

ତା ୨୫ । ୬ । ୩୩

 

Image

 

ଅଭିମତ

 

‘ବୈତରଣୀ’ କାବ୍ୟର ପାଣ୍ଡୁଲେଖ୍ୟ ପାଠକରି ଚମତ୍କୃତ ହେଲି । ଏ ଯୁଗରେ ଏଭଳି ସରଳ ସହଜ ସୁବୋଧ୍ୟ ସୁଷମାପୂର୍ଣ୍ଣ ରଚନା ପ୍ରାୟ ଲକ୍ଷିତ ହେଉ ନାହିଁ । ଏ କାବ୍ୟ ଖଣ୍ଡିକ ଆମୂଳଚୂଳ ପାଠକରି ଏଭଳି ମୁଗ୍ଧ ହୋଇଅଛି ଯେ, ଏହାର ପ୍ରକୃତ ଗୁଣ ବର୍ଣ୍ଣନା କରିବାକୁ ମୋହର ଭାଷାର ଅଭାବ । ସ୍ଥୂଳତଃ କହିବାକୁ ଗଲେ ଏହାର ପ୍ରତ୍ୟେକ ବର୍ଣ୍ଣନା ଏଡ଼େ ସ୍ୱାଭାବିକ ହୋଇଅଛି ଯେ, ପ୍ରତ୍ୟେକର ସ୍ୱର ଲହରୀ କାନରେ ପଶି ଯାଇ ମରମରେ ପହଞ୍ଚିଯାଏ । ସାଧନାର ଉପଯୁକ୍ତ ସିଦ୍ଧି କବିଙ୍କର ପୂର୍ଣ୍ଣ ଭାବରେ ହୋଇଅଛି, ଏହା ମୁକ୍ତ କଣ୍ଠରେ ସ୍ୱୀକାର କରିବାକୁ ମୁଁ ବାଧ୍ୟ-। ଏଥିରେ ନାନା ରସ ଏବଂ ନାନା ଭାବର ଅବତାରଣା ହୋଇଅଛି । ଏଭଳି ଆବେଗମୟୀ କବିତା-ପ୍ରବାହରେ କବି ଉତ୍କଳଭୂମିକୁ ପ୍ଳାବିତ କରି ଦିଅନ୍ତୁ, ଏତିକି ମୋହର ଐକାନ୍ତିକ କାମନା ।

 

କାଳୀଗଳି, କଟକ

ଶ୍ରୀ ଶଶିଭୂଷଣ ରାୟ

ତା-୭/୧୦/୩୩

 

Image

 

ପ୍ରଥମ ସର୍ଗ

ଏହି କି ଗୋ ମାତ, ସେହି ଗୋନାସିକା

 

ଯା ଲାଗି ଉତ୍କଳ ଦେଶ ମଧ୍ୟେ ଟୀକା ।

 

ଟେକା ହେଲାପରି ଛତ୍ର ଶିରୋପରେ

 

ପାର୍ଶ୍ୱସ୍ଥ ପାହାଡ଼ ମଧ୍ୟେ ଶୋଭାଧରେ ।

।୧।

ଧରା-ଛତ୍ର-ବେଣ୍ଟ ପରା ତୋର ଧାର,

 

ଝାଲର କି ଅବା ଉପସ୍ରୋତବାର ।

 

ବାରି ନ ପାରି ମୁଁ ଚାହିଁଲି ନିରେଖି

 

ଆଖିପୁଅ ଗଲା କୃତ୍ରିମକୁ* ଦେଖି ।

।୨।

ଦେଖିଲି ଯେ ତରୁ କାଟିଣ ଗୋଟିଏ

 

କାଠି କଲେ ହେବ ସେ ଛତ୍ର* କୋଟିଏ ।

 

ସେ ତରୁ ଅସଂଖ୍ୟ କାଠିରୂପେ ଯାର

 

ଖଞ୍ଜା ହେଲା ପରା କରେ ମୁଁ ବିଚାର ।

।୩।

ଲତା-ସୂତ୍ରେ ଗୁନ୍ଥା ହୋଇ ପରସ୍ପରେ

 

ଚାରୁ ପର୍ଣ୍ଣବାସ ଆବୃତ ଉପରେ ।

 

ବିବିଧ କୁସୁମ ପକ୍ଷିପନ୍ତି ଯହିଁ

 

ଶୋଭା ବଢ଼ାଉଛି ମଧ୍ୟେ ମଧ୍ୟେ ରହି ।

।୪।

 

* କୃତ୍ରିମ ଛତ୍ର-ରାଜଚ୍ଛତ୍ର ବା ସାଧାରଣ ବ୍ୟବହୃତ ଛତ୍ରକୁ ଲକ୍ଷ୍ୟ କରାଯାଇଅଛି ।

 

ତାର ଛାୟା ତଳେ ନାହିଁ ଭବତାପ

 

ଦୂରୁଁ ପ୍ରତିହତ ଆତପ-ପ୍ରତାପ ।

 

ପ୍ରୟାଗେ ପୁଷ୍କରେ ସାଗର ସଙ୍ଗମେ

 

କାଶୀକ୍ଷେତ୍ରେ ସ୍ନାନ ପୁରାଣ ନିୟମେ ।

।୫।

କଲାଠାରୁ ଆଶୁ ମୁକ୍ତିର ସରଣୀ,

 

ଦେଉ ବୋଲି ମାତ, ନାମ ବୈତରଣୀ ।

 

ତୋତେ ଯେ କରିଛି ଗର୍ଭରୁ ଜନମ

 

ତାକୁ ବର୍ଣ୍ଣିବାକୁ ନୁହଇ ମୁଁ କ୍ଷମ ।

।୬।

ସେ ଛତ୍ର ତଳରେ ବିଶାଳ ପଥର

 

ତଳୁ ବାହାରୁଛୁ ହୋଇ ଦୁଇଧାର ।

 

ତା ମଝି ପଥର କଡ଼ ଖାଇ ଖାଇ

 

ନାସିକାଗ୍ର ପରି ଲୋକକୁ ଦିଶଇ ।

।୭।

ଜନଶ୍ରୁତି ପୁଣି ଅଛଇ ଏପରି,

 

ଜୁଆଙ୍ଗ ବିହାର ସ୍ଥଳ ମାଡ଼ି କରି ।

 

ଜଳପୂର୍ଣ୍ଣ ହେବା ଯୋଗୁ ସେହିମାନେ

 

ଗୋମୁଣ୍ଡ ଗୋଟିଏ ଝରଦ୍ୱାର ସ୍ଥାନେ ।

।୮।

ପୂଜା କରି ତାକୁ ଥାପିଲେ ନେଇଣ

 

ସେ ମୁଣ୍ଡ ନାସିକା ରନ୍ଧ୍ରକୁ ଭେଦିଣ ।

 

ସ୍ରୋତ ବାହାରିଲା ହୋଇ ଦୁଇଧାର

 

କରିବାକୁ ଯହିଁ ପତିତ ଉଦ୍ଧାର ।

।୯।

ତେଣୁ ଅବା ଗୋନାସିକା ବୋଲି ଲୋକେ

 

କୀର୍ତ୍ତିତ ତୋ ନାମ ଏବେ ସର୍ବଲୋକେ ।

 

ଏକତ୍ର ମିଶିଣ ସେ ଧାର ଦୁଇଟି

 

ଧୀରେ ଗତି କରୁଁ ମାଟି କାଟି କାଟି ।

।୧୦।

ଅଗ୍ରେ ବିରାଜିତ ବିଶାଳ ପଥର

 

ଯାଉଁ ନିରୋଧିଲା ତୋର ଗତି ଖର ।

 

ବିଞ୍ଝାସୁର ଦୈତ୍ୟ ନାଶନେ ବିରଞ୍ଚି

 

ଯାଜପୁରେ ଦିବ୍ୟ ଯାଗଶାଳା ରଚି ।

।୧୧।

ସେ ଯାଗୁ ଜନ୍ମିବେ ବୋଲି ମା ବିରଜା

 

ଆଗମନ ତୋର ପାଞ୍ଚି ବିଶ୍ୱ-ସ୍ରଜା ।

 

ଧ୍ୟାନେ ବସି ଚିନ୍ତି ତ୍ରିପୁରପାବନୀ

 

ଶୁଣିଲେ ଶୂନ୍ୟରୁ ତହୁଁ ଏହି ବାଣୀ ।

।୧୨।

ବାଜିଲେ ଦୁନ୍ଦୁଭି ଆସି ପହଞ୍ଚିବି

 

ଯାଗଭୂମି ଦ୍ରବ୍ୟ ପବିତ୍ର କରିବି ।

 

ଏହା ଶୁଣି ଅବା ବଳା ରାତି ଭାବି

 

କାଟିଲେ ପଥର ପକାଇଣ ପବି ।

।୧୩।

ତୋ ପଥ କରିଣ ଦେଲେ ସେ ସୁଗମ

 

ପାର ହୋଇ ଗଲୁ ସେ ପଥ ଅଗମ୍ୟ ।

 

କେଉଁ ପୁଣ୍ୟ କରିଥିଲା କେନ୍ଦୁଝର

 

ତାର ଶିଖ ସ୍ଥାନୁ ତୋ ରୂପ ବାହାର ।

।୧୪।

ଗୋନାସିକା ବୋଲି ଜୁଆଙ୍ଗ ବସତି

 

ଗନ୍ଧମାରଦନ ଶୃଙ୍ଗ ପଛ କତି ।

 

ତହିଁ ସେ ଜୁଆଙ୍ଗେ କାଟନ୍ତି ଜୀବନ

 

ଫଳ ମୂଳ ଖାଇ ତୋର ଜଳପାନ ।

।୧୫।

*ଧାଙ୍ଗଡା ଧାଙ୍ଗଡୀ ନାଚି ପ୍ରତି ରାତି

 

ଚାଙ୍ଗୁ ବାଦ୍ୟେ ଗିରି କାନନ କମ୍ପାନ୍ତି ।

।୧୬।

 

* ଅବିବାହିତ ପୁରୁଷ ଓ ସ୍ତ୍ରୀକୁ ଧାଙ୍ଗଡ଼ା ଧାଙ୍ଗଡ଼ୀ କହନ୍ତି । ଜୁଆଙ୍ଗ, କୋହ୍ଲ ଓ ଭୂୟାଁ ପ୍ରଭୃତି ଆଦିମ ଜାତୀୟ ଲୋକବସତିରେ ପ୍ରତିଦିନ ପ୍ରାୟ ଅର୍ଦ୍ଧରାତି ପର୍ଯ୍ୟନ୍ତ ଚାଙ୍ଗୁବାଦ୍ୟ ବାଜେ । ଧାଙ୍ଗଡ଼ା ଓ ଧାଙ୍ଗଡ଼ୀ ଦୁଇ ଧାଡ଼ି ହୋଇ ପରସ୍ପରକୁ ମୂଖକରି ନାଚନ୍ତି । ଯାହାର ମନ ଯାପ୍ରତି ଆକୃଷ୍ଟ ହୁଏ, ନାଚବେଳେ ସେ ତାହା ପାଦ ମାଡ଼ିଦିଏ । ଧାଙ୍ଗଡ଼ାମାନେ ଗ୍ରାମ ମଧ୍ୟରେ ଗୋଟିଏ ଘରେ ବୁଢ଼ାର ତତ୍ତ୍ୱାବଧାନରେ ରହନ୍ତି ଓ ଧାଙ୍ଗଡ଼ୀମାନେ ଗୋଟିଏ ବୁଢ଼ୀର ତତ୍ତ୍ୱାବଧାନରେ ପୃଥକ ଘରେ ରହନ୍ତି-। ସୁବିଧା ପାଇଲେ ପରସ୍ପର କଥାବାର୍ତ୍ତା ହୋଇ ବୈତରଣୀ କୂଳ ଜଙ୍ଗଲକୁ ଯାଇ ଫଳ ମୂଳ ଖାଇ ତିନି ଚାରି ଦିନ ଏକତ୍ର ରହିବା ପରେ ଗ୍ରାମବାସୀମାନେ ଖୋଜି ଆଣି ବିବାହ କରି ଦିଅନ୍ତି ।

 

ସେ ବାଦ୍ୟ ଶବଦ ଯହୁଁ ତୁ ଶୁଣିଲୁ

 

ଦୁନ୍ଦୁଭି ବାଜିଲା ବୋଲି ବିଚାରିଲୁ ।

।୧୭।

ସେମାନଙ୍କୁ ଆସି ଭେଟିଲୁ ବାଟରେ

 

ଦେଖିଣ ଉଲଗ୍ନ ଶାପ ଦେଲୁ ଖରେ ।

 

“ରହିଥାଉ ଚିର ଉଲଗ୍ନ ଏ ଜାତି”

 

ଲୁଚିଗଲୁ ତହୁଁ ଲାଜେ କେଉଁ କତି ?

।୧୮।

ଆଜିଯାଏ ତହୁଁ ଜୁଆଙ୍ଗ ଲଳନା

 

ବକ୍ଷୋଜ ରଖନ୍ତି ବସ୍ତ୍ରାବୃତ ବିନା ।

 

ଏଣେ ବ୍ରହ୍ମାଯାଗକାଳ ଉପଗତ

 

ହେବାରୁ ଚାହିଁଣ ବସିଲେ ତୋ ପଥ ।

।୧୯।

ଗମନ ବିଳମ୍ୱୁ ବ୍ରହ୍ମାକଲେ ଧ୍ୟାନ

 

ଜାଣିଲେ ତୋ ଗତି-ବିରୋଧ-କାରଣ ।

 

ଯାଇ ପହଞ୍ଚିଲେ ତୋର ଗୁପ୍ତ ସ୍ଥାନେ

 

ତୋ ରୂପ ଚିନ୍ତିଣ ବସିଗଲେ ଧ୍ୟାନେ ।

।୨୦।

କହିଲୁ ତାହାଙ୍କୁ ହୋଇଣ ପ୍ରସନ୍ନ-

 

“କଥାଏ ପାଳିଲେ କରିବି ଗମନ ।

 

ଏ ସ୍ଥାନରୁ ତୋର ଯଜ୍ଞ ସ୍ଥାନ ଯାଏ

 

ଉଭୟ ତୀରରେ କୋଶକେ ଶମ୍ଭୁଏ ।

।୨୧।

ବସିଲେ ମୁଁ ଆଉ ହେବି ନାହିଁ ମାରା

 

ବହିବ ଏଠାରୁ ଅଖଣ୍ଡ ମୋ ଧାରା ।”

 

କଲେ ସେ ସ୍ଥାନରେ ଶମ୍ଭୁ ପ୍ରତିଷ୍ଠିତ

 

ବ୍ରହ୍ମେଶ୍ୱର ବୋଲି ଯା ନାମ ବିଦିତ ।

।୨୨।

ମନ୍ଦିର ବେଢ଼ାରେ ଚମ୍ପକ ତରୁଏ

 

ସେ କାଳୁ ବଞ୍ଚିଛି ଅବା ଆଜିଯାଏ ।

 

ଦେଖିଲେ ବିଶାଳ କାୟାଟି ତାହାର

 

ମନେ ଆସୁଅଛି ମୋର ଏ ବିଚାର ।

।୨୩।

ସେ ସ୍ଥାନୁ ବାହାରି ଧୋଇ ବ୍ରହ୍ମେଶ୍ୱରେ

 

ଗତି କଲୁ ତହୁଁ ଅଖଣ୍ଡ ଧାରରେ ।

 

ପବିତ୍ର ବୋଲିଣ ଲୋକେ ସେହି ସ୍ଥାନ

 

ବାରୂଣୀ ଦିବସେ କରୁଛନ୍ତି ସ୍ନାନ ।

।୨୪।

ତହୁଁ ତୁ ଚାଲିଲୁ ଚାଳି ନୀଳବେଣୀ

 

ପହଞ୍ଚିଲୁ ଯାଇ ଯହିଁ ବଂଶଶ୍ରେଣୀ ।

 

ସେ ଗିରିମଧ୍ୟରେ ନାହିଁ ବଂଶବଣ

 

କିପରି ଜନ୍ମିଲା ତୋର ତୀର ସ୍ଥାନ ?

।୨୫।

ତୋ ତୀର ବନରେ ଅତଣ୍ଡୀକୁଞ୍ଜର

 

ତଳ ଅବସ୍ଥିତ ଚିକ୍କଣ ପଥର ।

 

ଲାଗିଛି ଯାଇଣ ନୀଳ ଜଳବେଣୀ

 

କ୍ରୀଡ଼ିବାକୁ ଅବା ଗୋପହୃଦ ମଣି ।

।୨୬।

ଅସଂଖ୍ୟ ଏପରି କୁଞ୍ଜ ତୋର ତୀରେ

 

ତଳରେ ବିଶାଳ ଚଟାଣ ପଥରେ ।

 

ଆଦିମ ଜାତୀୟ ଯୁବକ ଯୁବତୀ

 

ନବ ପ୍ରେମେ ତହିଁ ଆନନ୍ଦେ ମାତନ୍ତି ।

।୨୭।

କରନ୍ତି ସେ ବେଣୁ ଆଣି ବଂଶପବ

 

ବଜାନ୍ତି ସୁସ୍ୱରେ ଗୀତ ଜାୟାଧବ ।

 

ନାନା ଦିଗୁଁ ଫୁଲ ସଉରଭ ଆସି

 

ନୀଳ-ବେଣୀ-ସିକ୍ତ-ବାୟୁ ସଙ୍ଗେ ମିଶି ।

।୨୮।

ହଲାଇ ପଲ୍ଲବକୁଞ୍ଜେ ଯେତେ ଥାଏ

 

ଯୁବକ ଯୁବତୀ ମନ ମୋହୁଥାଏ ।

 

ପକ୍ଷୀମାନେ ପାଳି ଧରି ତାଙ୍କ ଗୀତ

 

ସୁସ୍ୱରେ ମୋହନ୍ତି ସେମାନଙ୍କ ଚିତ୍ତ ।

।୨୯।

ନଗର ସଉଧେ ସେ କ୍ରୀଡ଼ା ତୁଳିଲେ

 

ଶଠ ସରଳତା ଭାବ ତହୁଁ ମିଳେ ।

 

ଭୂଇୟାଁ ଯୁବକ ଯୁବତୀ ଅନେକ

 

ତୋ ତୀରେ ରଚନ୍ତି କ୍ରୀଡ଼ା କଉତୁକ ।

।୩୦।

ନାନାଜାତି ଫୁଲ ମାଳ ମାଳ ଲାଇ

 

ପ୍ରେମାଳାପେ ଦିନ କାଟୁଥାନ୍ତି ଯାଇ ।

 

ଯୁବକ ହାତରେ ଟାଇଁ ଧନୁଶର

 

ଯୁବତୀ ହାତରେ ଖଣନ୍ତା ଆବର ।

।୩୧।

ଖାଦ୍ୟ ଚିନ୍ତା ବିନା ଆନ ଚିନ୍ତା ନାହିଁ

 

ମନରେ ବିଷାଦ ଆସିବଟି କାହିଁ ?

 

ଛୁଇଁ ନାହିଁ କପଟତା ସେ ଜାତିକି

 

ଫଳ ମୂଳ ନେଇ ଫେରନ୍ତି ରାତିକି ।

।୩୨।

ଭେଟିବେ ତୋ ସଙ୍ଗେ ହୋଇଲେ ସକାଳ

 

ତୋ ତୀର ତାଙ୍କର ନିତ୍ୟ କ୍ରୀଡ଼ାସ୍ଥଳ ।

 

ତୋହର ସୋଦର ଅଟେ ଖଣ୍ଡାଧାର*

 

ଶଏ ହାତ ଉଚ୍ଚୁ ପଡ଼େ ଜଳଧାର ।

।୩୩।

ଶୁଷ୍କ ଶଇବାଳ ଚନ୍ଦନେ ଚର୍ଚିତ

 

ତା ପାର୍ଶେ ପଥର ଦିଶେ ଶମ୍ଭୁବତ ।

 

ଦୂରୁଁ ଯେ ଚାହିଁବ ପ୍ରପାତ-ପତନ

 

ମୁଗ୍ଧ ହୋଇଯିବ ତାର ତହିଁ ମନ ।

।୩୪।

ଅବା ମୋତି-ଧାରା ସଦା ବିତରୁଛି

 

ପ୍ରକୃତିରାଣୀଙ୍କ ମନ ମୋହୁଅଛି ।

 

ଏ ପାଖ ସେ ପାଖ ସେ ଝର ଚଳଇ

 

ପବନର ଗତି ଅନୁସରି ଥାଇ ।

।୩୫।

* ବଣେଇ ସୀମାରେ କେନ୍ଦୁଝରାନ୍ତର୍ଗତ ଖଣ୍ଡାଧାର ପର୍ବତରେ ଗୋଟିଏ ବୃହତ୍ ଜଳପ୍ରପାତ ଅଛି ।

ଦର୍ଶକମାନଙ୍କୁ ଭୂଇୟାଁ ସକଳ

 

କହନ୍ତି ହୋଇଲେ ଛିଡ଼ା ତାର ତଳ ।

 

“ଜଳଧାର ଯେବେ ମୁଣ୍ଡରେ ପଡ଼ିବ

 

ନିଜ ପିତାଠାରୁ ଜନମ ଜାଣିବ ।”

।୩୬।

ସେ ଜଳ ସମସ୍ତ ଗିରି ନଦୀ ଦେଇ

 

ଆସି ତୋର ସଙ୍ଗେ ଆନ୍ଦେ ମିଶଇ ।

 

ତୋର ଅଙ୍ଗ ତହୁଁ ହୁଅଇ ଟି ପୃଷ୍ଠ

 

କ୍ରୀଡ଼ା ରଙ୍ଗେ ତହୁଁ ଗମୁ ହୋଇ ହୃଷ୍ଟ ।

।୩୭।

ବାଟେ ଯାଉଁ ଯାଉଁ କେତେ ଗିରି ନଦୀ

 

ମିଳନ୍ତି ଆନନ୍ଦେ ତୋ ହୃଦୟ ଛନ୍ଦି ।

 

ବନ୍ଧୁର ତୋ ଶଯ୍ୟା ଅଟଇ ପାଷାଣେ

 

ଜଳସ୍ରୋତ ଗତି କିଏ ଅବା ଜାଣେ ?

।୩୮।

ଦୂରୁ ଚାହିଁବ ଯେ ଦିଶେ ନାହିଁଜଳ

 

ଅନୁମାନ ହୁଏ ଅଟେ ଏହା ସ୍ଥଳ ।

 

*ଗଜରା ମାଛର ଉତ୍ପତ୍ତି ସେ ସ୍ଥଳେ

 

ତାକୁ ଧରିବାକୁ ନାନା କଉଶଳେ ।

।୩୯।

 

* ଖଣ୍ଡାଧାର ଜଳପ୍ରପାତରୁ ଉତ୍ପନ୍ନ ଗିରିନଦୀ-ମଧ୍ୟରେ ଗଜରା ମାଛର ଉତ୍ପତ୍ତି ସ୍ଥଳ । ଏହା ବୈତରଣୀ ଗର୍ଭରେ ପ୍ରାୟ ୫୦ କ୍ରୋଶ ପର୍ଯ୍ୟନ୍ତ ଦେଖାଯାଏ । ମାଛଟି ବଡ଼ ସୁସ୍ୱାଦୁ, ଆକାର ବଡ଼ ସେରଣା ମାଛ ପରି ।

 

ପଥ ଠଉରାନ୍ତି ଭୂଇୟାଁ ସକଳ

 

ପଥରେ ପଥରେ ଡେଇଁ ପଡ଼ିଜଳ ।

 

ସପ୍ତକ୍ରୋଶ ଲମ୍ୱୀ ଗନ୍ଧମାରଦନ

 

ତୋତେ ମାଳାରୂପେ କରିଛି ଧାରଣ ।

।୪୦।

ତୋ ସ୍ରୋତ ଶୋଭଇ ତାର ହୃଦଦେଶେ

 

ନ ଛାଡ଼ଇ ମନ ତହୁଁ ମୋହବଶେ ।

 

ନାନା ଜାତି ଲତା କୁଞ୍ଜ ତହିଁ ରାଜେ

 

ବିବିଧ କୁସୁମ ପକ୍ଷିପନ୍ତି ସାଜେ ।

।୪୧।

ଗାଢ଼ କୃଷ୍ଣ ଶିଳା ମସୃଣ ପଥର

 

ତଳରେ ପଡ଼ିଛି ଛୁଇଁ ଜଳଧାର ।

 

 

 

ଚାରିପାଖେ ଶୋଭେ ନାନା ତରୁରାଜି

 

ସାଳ ପିଆସାଳ ଅସନ ବିରାଜି ।

।୪୨।

ସେ କୁଞ୍ଜ ଭିତରେ ବସିଯିବ ଯେବେ

 

ସଂସାର ଜଞ୍ଜାଳେ ଭ୍ରମିବ କି କେବେ ?

 

କୁରଙ୍ଗ କୁରଙ୍ଗୀ କରି-ଯୂଥମାନ

 

ଖସନ୍ତି ପର୍ବତ ଶିଖୁଁ ପ୍ରତିଦିନ ।

।୪୩।

ଜଳପାନ କରି କ୍ରୀଡ଼ନ୍ତି ତୋ ସ୍ରୋତେ

 

ଚରି ବୁଲି ଫେରୁଥାନ୍ତି ଅବିରତେ ।

 

ନିର୍ଜନ ସେ ସ୍ଥାନ ଦେଖିଣ ଅପ୍ସରା

 

ସ୍ୱର୍ଗୁ ଆସି ତହିଁ ଖେଳୁଥାନ୍ତି ପରା ।

।୪୪।

ଭୂଇୟାଁ ସକଳ ଶିକାରେ ମାତନ୍ତି

 

ତୋର ତୀରୁଁ କେତେ କୁରଙ୍ଗ ମାରନ୍ତି ।

 

ଅରଣ୍ୟ ଇନ୍ଧନୁଁ ଅଗ୍ନିକରି ଜାତ

 

ପୋଡ଼ି ମାଂସ ତହିଁ କରି ଗର୍ଭଗତ ।

।୪୫।

ଅବଶିଷ୍ଟ ମାଂସ ଘରକୁ ନିଅନ୍ତି

 

ବୁଢ଼ାବୁଢ଼ୀ ପିଲା ମନ ତୋଷୁଥାନ୍ତି

 

ଭୂଇୟାଁ ପୀଢ଼ରେ (୧) ପଞ୍ଚବିଂଶ କ୍ରୋଶ

 

ଭ୍ରମିଣ ପବିତ୍ର କରିସେହି ଦେଶ;

।୪୬।

ଯାଇ ତୁ ମିଳିଲୁ ଚମ୍ପକ ପୁରରେ(୨)

 

ଆନନ୍ଦ ଉପୁଜେ କୋହ୍ଲ ବସତିରେ ।

 

ସିଂହଭୂମି କେନ୍ଦୁଝର ମଧ୍ୟ ଦେଇ

 

ଚମ୍ପୂଆ (୩) ଜୟନ୍ତୀ (୪) ଗଡ଼ ମଧ୍ୟେ ଯାଇ ।

।୪୭।

 

(୧)

ପୀଢ଼–ପ୍ରଗଣା

(୨)

ଚମ୍ପକପୁର–କେନ୍ଦୁଝର ମଧ୍ୟରେ ଗୋଟିଏ ପ୍ରଗଣା । ଏ ପ୍ରଗଣାରେ କେବଳ କୋହ୍ଲମାନେ ବାସ କରିଥାନ୍ତି ।

(୩)

ଚମ୍ପୁଆ–କେନ୍ଦୁଝରର ଗୋଟିଏ ସବଡିଭିଜନ ଓ ହେଡ୍‍କ୍ୱାଟରର ନାମ, ବୈତରଣୀ ନଦୀକୂଳରେ ଅବସ୍ଥିତ ।

(୪)

ଜୟନ୍ତୀ–ଚମ୍ପୁଆର ଅପର ପାର୍ଶ୍ୱରେ ସିଂହଭୂମି ଅନ୍ତର୍ଗତ ଗୋଟିଏ ପ୍ରଧାନ ବ୍ୟବସାୟ ସ୍ଥଳ ।

 

ଛୁଇଁଲୁ ପ୍ରଥମେ ଆର୍ଯ୍ୟଦେଶ ଭୂଇଁ

 

ଜନନେତ୍ରେ ତହିଁ ତୋ ରୂପ ରାଜଇ ।

 

ଚମ୍ପୁଆରେ ଶମ୍ଭୁ ଚମ୍ପକଈଶ୍ୱର

 

ସେବା ପୂଜା କିଛି ନ ଥିଲା ତାଙ୍କର ।

।୪୮।

ମାକ୍ମିଲନ ତହିଁ ମନ୍ଦିର ଗଢ଼ିଣ

 

ସେବା ପୂଜା ଭୂମି କେତେକ ଖଞ୍ଜିଣ ।

 

ଶିବରାତ୍ରି ମେଳା ଭିଆଇଣ ତହିଁ

 

ଚିରକାଳ ନାମ ରଖିଗଲେ ଯହିଁ ।

।୪୯।

Image

 

ଦ୍ୱିତୀୟ ସର୍ଗ

ତୋ ତୀର ଅତିଡ଼ି ଉପରେ ଜୟନ୍ତୀ,

 

ନାନା ଜାତି ଲୋକ ବହୁଳ ବସତି ।

 

କେନ୍ଦୁଝରୁ ଚାଇଁବସା ଦେଇ ରାଞ୍ଚି

 

ଏକ ରାଜପଥ ର୍ନିମତ ହୋଇଛି ।

।୧।

ଗୁଡ଼ଘିଅ ରବି ପରିବା ଚାଉଳ

 

କେନ୍ଦୁଝରୁ ଯାଇ ହୁଏ ତହିଁ ଠୁଳ ।

 

ଚାରି ଦିନେ ଏକ ହାଟ ଯେ ବସଇ

 

ନାନା ଜାତି ଦ୍ରବ୍ୟ ତହିଁରେ ମିଳଇ ।

।୨।

ସିଂହଭୂମି କୋହ୍ଲ ଦମ୍ପତି ସକଳ

 

ହାଣ୍ଡିଆ* ହାଣ୍ଡିରେ ଧରି ତହିଁ ମେଳ ।

 

ହାଣ୍ଡିଆ ନିଶାରେ ଚାଲି ଢଳିଢଳି

 

କୁକୁଡ଼ା ଲଢ଼ାଇଠାରେ ସର୍ବେ ମିଳି ।

।୩।

 

* ହାଣ୍ଡିଆ-ଭାତରୁ ର୍ନିମିତ ମଦ

 

କାହିଁ ଜାୟା ଧବକାନ୍ଧେ ହାତ ଥୋଇ

 

କାହିଁ ଧବ ଜାୟାକାନ୍ଧେ ଥୋଇ ଦେଇ ।

 

 

 

କୁକୁଡ଼ା ଲଢ଼ାଇ ଘନ ଯୁଦ୍ଧ ବେଳେ

 

ଧବ ଜାୟାମୁଖେ ଚୁମ୍ୱ ଦିଏ ଭୋଳେ ।

।୪।

ଲୁଗା ଗୁଆ ଗୁଣ୍ଡି ମସଲା ବାସନ

 

ମାଳି ପାଟଫୁଲି ମୁଦି ଦରପଣ–

 

ଘୋଡ଼ା ପିଠେ ଲଦି ଆସନ୍ତି ପଠାଣ

 

ହାଟରେ ବସନ୍ତି ଫିଟାଇ ଦୋକାନ ।

।୫।

କୁକୁଡ଼ା ଲଢ଼ାଇ ହେଲେ ଅବସାନ

 

ହାଟେ ନିଜ ଚିଜ ବିକ୍ରୟେ ଗମନ ।

 

ପଇସା ଯା ମିଳେ ନେଇ ତୋଷମନେ

 

ଗଣି ଦେଉଥାନ୍ତି ପଠାଣ ଦୋକାନେ ।

।୬।

ନିଜ ଇଚ୍ଛାମତେ ନେଇଣ ଜିନିଷ

 

ଘରକୁ ଫେରନ୍ତି ମନ କରି ତୋଷ ।

 

ଚମ୍ପୁଆରୁ ଆସୁଥାନ୍ତି ଅମଲାଏ

 

ସଙ୍ଗେ ଧରି ଲୋକ ଗୋଟିଏ ଗୋଟିଏ ।

।୭।

ଶସ୍ତା ଦରେ କିଣି ସମସ୍ତ ଦରବ

 

ହାକିମ ଭାବରେ ଦେଖାନ୍ତି ଗରବ ।

 

ତହିଁ ଲୌହ ଜାଲେ ଛନ୍ଦି ତୋର ବକ୍ଷ

 

ସରକାର ଗଢ଼ିଛନ୍ତି ଦୃଢ଼ କକ୍ଷ ।

।୮।

ସବୁ ଦିନେ କେନ୍ଦୁଝରୁ ତେଣୁ ଲୋକେ

 

ହାଟ କରିବାକୁ ଯାନ୍ତି କଉତୁକେ ।

 

ସେତ ଦେଖି ତାଙ୍କ ବୁଦ୍ଧି ହୁଏ ବଣା

 

ବୈଜ୍ଞାନିକ ବୁଦ୍ଧି ନ ହୁଏ କଳନା ।

।୯।

ଶିରେ ଲୁଗା ଦେବା ନାହିଁ ସେ ଅଞ୍ଚଳେ

 

ଗଭା ଚାରିପାଶେ ଫୁଲ ମାଳେ ମାଳେ ।

 

ଲଗାଇ ହାତରେ ପିତ୍ତଳ କଙ୍କଣ

 

ନାନାରଙ୍ଗ ଶାଢ଼ୀମାନ ପରିଧାନ ।

।୧୦।

କାଖେ ହାତେ କୁମ୍ଭ ଧରିଣ ଯୁବତି

 

ଅତଡ଼ି ଗଡ଼ିଣ ଯାନ୍ତି ଜଳକତି ।

 

ସାରି ସାରି ହୋଇ ଗଡ଼ିବା ବେଳରେ

 

କଙ୍କଣ ଶବଦ ରୁଣୁ ଝୁଣୁ କରେ ।

।୧୧।

ତୋର ବୃଦ୍ଧି ବେଳେ ମଳ ମାଟି ଝରି

 

ବିଟପୀ ଦିଶନ୍ତି ସ୍ଥବିର ଯେପରି ।

 

ନାନା ଜାତି ପକ୍ଷୀ ବସି ତୋର ତୀରେ

 

ଗାଉଥାନ୍ତି ଗୀତ ମନୋହର ସ୍ୱରେ ।

।୧୨।

ତାହାଙ୍କୁ ଆହାର ଦେଇ କରୁ ଗତି

 

ଯାଇ ତୁ ମିଳିଲୁ ଜ୍ୟୋତିପୁର କତି ।

 

ବହୁକାଳ ପୂର୍ବେ ଭଞ୍ଜ ଦୁଇ ଭାଇ

 

ଜ୍ୟୋତି ଭଞ୍ଜ, ଆଦି ଭଞ୍ଜ ନାମ ନେଇ–

।୧୩।

ରହିଥିଲେ ଗଡ଼ କରି ସେ ଠାବରେ

 

ବଡ଼ ରାଜା ହେଲେ ମୟୁରଭଞ୍ଜରେ ।

 

ସାନ ଜ୍ୟୋତି ଭଞ୍ଜ ନାମେ ଜ୍ୟୋତିପୁର

 

ଗ୍ରାମ ବସାଇଲେ ଅତୀବ ସୁନ୍ଦର ।

।୧୪।

ସେଠାରୁ ଭୂଇୟାଁ ତାଙ୍କୁ ନେଇ ଯାଇ

 

କେନ୍ଦୁଝର ରାଜଗାଦିରେ ବସାଇ-

 

ରାଜା ବୋଲି ତାଙ୍କୁ ମଣିଲେ ସରବେ

 

ଜ୍ୟୋତିପୁରେ ଭଗ୍ନ ଦୁର୍ଗ ଅଛି ଏବେ ।

।୧୫।

ଅନତି ଦୂରରେ କୀଚକ ଈଶ୍ୱରୀ

 

ନାମେ ଦେବୀ-ମୂର୍ତ୍ତି ଅତି ଭୟଙ୍କରୀ ।

 

ମୟୁରଭଞ୍ଜର ସୀମା ମଧ୍ୟେ ଥାଇ

 

କୀଚକ ଈଶ୍ୱରୀ ସେବା ପୂଜା ପାଇ ।

।୧୬।

*ଅରୁଆଁ ଗ୍ରାମରେ ପଡ଼ିଲେ ବିପଦ

 

ଦେବୀକୃପା ଯୋଗୁଁ ନ ଥାଏ ବିଷାଦ ।

 

ମନ୍ଦିର ପାର୍ଶ୍ୱରେ କୀଚକ ନଗର

 

ଥିଲା ବୋଲି ଲୋକେ କହନ୍ତି ସେଠାରେ ।

।୧୭।

 

* ଅରୁଆଁ-କୀଚକେଶ୍ୱରୀଙ୍କ ନିକଟରେ ମୟୁରଭଞ୍ଜ ମଧ୍ୟରେ ଏକ ପ୍ରଧାନ ଗ୍ରାମ ।

 

ମାଟିତଳୁ କେତେ ମନ୍ଦିର ଜଗତି

 

ମଣ୍ଡପ ସଉଧ ବାହାରିଛି ତଥି ।

 

ପୂର୍ଣ୍ଣଚନ୍ଦ୍ର ଭଞ୍ଜ ସମୟେ ଉଦ୍ଧାର

 

ହୋଇଅଛି ସେହି ଜୀର୍ଣ୍ଣ କୀର୍ତ୍ତିବାର ।

।୧୮।

ସୂଚୀ କାମ ତହିଁ ରହିଛି ପଥରେ

 

କୋଣାର୍କ କାମର ସମକଛ ଧରେ ।

 

ହାହା ରେ ଉତ୍କଳ ତୋ ଗୁଣ ବିଭବ,

 

ଲୁଚାଇଲୁ ନେଇ ଏବେ କେଉଁ ଠାବ !

।୧୯।

ରହିଛି ତୋ କୋଳେ ସବୁ ଉପାଦାନ

 

ନାହାନ୍ତି କେବଳ ଆଉ କର୍ମ୍ମିଜନ ।

 

ଭୂସ୍ୱାମୀ ଯେତେକ ଧନୀ ଗୁଣୀମାନ

 

ଉତ୍ସାହ ଦେଉଣ ଥିଲେ ଶିଳ୍ପିଗଣ ।

।୨୦।

ନବ୍ୟ ରୀତି ନୀତି ଅନୁକରଣରେ

 

ଛୋଟଠାରୁ ବଡ଼ ସର୍ବେ ତୋ ଅଙ୍କରେ ।

 

ମାତିଣ ଅଛନ୍ତି ପଡ଼ୁନାହିଁ ଦୃଷ୍ଟି

 

ନିଜ ଦେଶେ, ତେଣୁ ହେଉନାହିଁ ସୃଷ୍ଟି ।

।୨୧।

 

 

ଶିଳ୍ପ ମାତୃଭାଷା ସେପରି ସଜୀବ

 

ଭଞ୍ଜ ଯୁଗେ ଯାହା ଥିଲାଟି ସମ୍ଭବ ।

 

କେତେ ଦିନ ଆଉ ପୂର୍ବ କଥାମାନ

 

ଗାଇ ହେଉଥିବେ ତୋର ସୁତଗଣ ?

।୨୨।

ଲାଜ ନ ମାଡ଼େ କି ଭାଷଣେ ଏ କଥା

 

ମୋର ପିତାଙ୍କର ଥିଲା ବଡ଼ମଥା ।

 

ନିଜତ୍ୱ ହରାଇ ତୋ ସୁତ ସକଳ

 

ପରଭାବରାଜି ଗ୍ରହଣେ ଚପଳ ।

।୨୩।

ଯେତେ ଦିନଯାଏ ଥିବଏହି କଥା

 

ସେତେ ଦିନଯାଏ ତୋର ଗୁଣଗାଥା ।

 

ଲୁଚି ରହିଥିବ ଗର୍ଭେ ନଦୀ ଗିରି

 

ବଣଫୁଲ ବନେ ମଉଳିଲା ପରି ।

।୨୪।

ଜ୍ୟୋତିପୁର ଗ୍ରାମେ କରଣ ବ୍ରାହ୍ମଣ

 

ଅତି ଆନନ୍ଦରେ କାଟନ୍ତି ଜୀବନ ।

 

ତାଙ୍କ ମନ ତୋଷି ତହୁଁ ବହିଗଲୁ

 

ରାଜନଗରରେ ଯାଇଣ ମିଲିଲୁ ।

।୨୫।

ତୋ ତୀରେ ଶୋଭଇ ରାଜାଙ୍କ ନବର

 

ତୋର ଶଯ୍ୟା ତହିଁ ଆବୃତ ପଥର ।

 

ରାଜମାତା ତହିଁ ବାସ କରିଥାନ୍ତି

 

ଗରିବ କ୍ଷୁଧାର୍ଥୀ ଅଭାବ ଘୁଞ୍ଚାନ୍ତି ।

।୨୬।

ଅନେକ ପାଇକ ବ୍ରାହ୍ମଣ କରଣ

 

ରାଜାଙ୍କ ପ୍ରସାଦେ ସୁଖେ ଯାଏ ଦିନ ।

 

ତହିଁ ଆଗେ ଦଧିବାମନ ମନ୍ଦିର

 

ରଥ ଏକ ହୁଏ ଦିଶଇ ରୁଚିର ।

।୨୭।

ଯେତେବେଳେ କୋହ୍ଲ ଦମ୍ପତି ସକଳ

 

ଗୁଣ୍ଡିଚା ଯାତ୍ରାରେ ହୋଇ ଏକଠୁଳ ।

 

କରୁଣ ଥାଆନ୍ତି ନୃତ୍ୟ ରଥ ଆଗେ

 

ଚାଙ୍ଗୁବାଦ୍ୟେ ଗାଇ ଗୀତ ନାନା ରଙ୍ଗେ ।

।୨୮।

ତା ପାଶ୍ୱେ ରହିଛି କେଶରୀ ଯେ କୁଣ୍ଡ,

 

ବହୁଯାତ୍ରୀ ତହିଁ ପ୍ରତିଦିନ ରୁଣ୍ଡ ।

 

ମୟୁରଭଞ୍ଜର ସୀମାରେ ଅଛଇ

 

ତୋର ଶୋଭା ତହିଁ ବିଚିତ୍ର ରାଜଇ ।

।୨୯।

ତହୁଁ ତୁ ମିଳିଲୁ ଲଙ୍ଘି ଗିରି ବନ

 

ଯହିଁ ସୁଆଁ ମରେ ସପତ ଶାସନ ।

 

କେନ୍ଦୁଝର ମଧ୍ୟେ ସେ ସ୍ଥାନ ପ୍ରସିଦ୍ଧ

 

ମଧ୍ୟେ ମଧ୍ୟେ ତହିଁ ପହଞ୍ଚନ୍ତି ସିଦ୍ଧ ।

।୩୦।

ତୋ ତୀର ବନରୁ ନେଇ ଜଡ଼ିବୁଟି

 

ରୋଗ ଉପଦ୍ରବ ଯାଏ ବଳେ ହଟି ।

 

ସୁଆଁମ ତେଜିଣ ଘୋର ଗିରିବନ

 

ଲଙ୍ଘି ତୁ ଗମିଲୁ ବିଂଶ କ୍ରୋଶ ପୁଣ ।

।୩୧।

ଯାଇ ତୁ ମିଳିଲୁ ସନ୍ତୋଷପୁରରେ

 

ବେପାରୀ ଯେଠାରେ କାଠଭେଳା କରେ ।

 

ମୁଷନ ନାମରେ ଖର ସ୍ରୋତଧାର

 

ମିଳିଲା ତୋ ସଙ୍ଗେ ଆସି ସେ ଠାବର ।

।୩୨।

ସେହିଠାରୁ ନାବ୍ୟ ଅଟେ ତୋର ଶଯ୍ୟା

 

କାଠଭେଳାମାନ ହୁଏ ତହିଁ ସଜ୍ଜା ।

 

ସୁଆଁମ ଗ୍ରାମରୁ ସନ୍ତୋଷପୁରକୁ

 

ତୋର ଯେଉଁ ପଥ ଲଙ୍ଘି ଆସିବାକୁ ।

।୩୩।

ସେପରି ଭୟଦ କେଉଁଠାରେ ବନ

 

ଅଛି ବୋଲି ଦେଖି ନାହିଁ ମୋ ନୟନ ।

 

ଘଟଗାଁ ତାରିଣୀ ଆସ୍ଥାନ ପାଖରୁ

 

ମୟୁରଭଞ୍ଜର ସୀମା ନିକଟରୁ ।

।୩୪।

ସେ ମଧ୍ୟରେ କେହି ନ ରହନ୍ତି ଜନ

 

ହିଂସ୍ରଜନ୍ତୁ ପୁଣିକରି-ଯୁଥମାନ ।

 

କୁରଙ୍ଗ ଘୋଡ଼ିଙ୍ଗ ଆଦି ବାସସ୍ଥାନ

 

ଜନମାନଙ୍କର ନ ପଡ଼େ ନୟନ ।

।୩୫।

ସେ ଅଂଶର ଶୋଭା କେ ବର୍ଣ୍ଣିପାରିବ

 

ଗୁଳି ତୀର ଯେଉଁ ବନେ ନ ଭେଦିବ ।

 

ନିର୍ଜ୍ଜନ ଦେଖିଣ ଦେବକନ୍ୟାଗଣ

 

କରୁଥିବେ ଅବା ତୋ ଜଳରେ ସ୍ନାନ ।

।୩୬।

ସନ୍ତୋଷପୁରରେ କୋହ୍ଲର ବସତି

 

ଦେଖିଲେ ଆସଇ ମନେ ମହାଭୀତି ।

 

ସାରି ସାରି ହୋଇ କ୍ଷୁଦ୍ର ଘରମାନ

 

ନିବିଡ଼ ଅରଣ୍ୟ ମଧ୍ୟେ ଅବସ୍ଥାନ ।

।୩୭।

ଶିବିକା ପରାୟେ ଦିଶଇ ଦୂରକୁ

 

ଧନ୍ୟ ସେ ସାହାସ ରାତି ଚଳିବାକୁ ।

 

ଧୁନି, ତୀର ଯୋଗେ ନ କରନ୍ତି ଭୟ

 

ଏକତା ବଳରେ ଅଟନ୍ତି ନିର୍ଭୟ ।

।୩୮।

ଭାବନ୍ତି ଜଣକୁ ପଡ଼ିଲେ ବିପଦ,

 

ବିପଦ ପଡ଼ିଲା ସର୍ବ ଜନପଦ ।

 

ମୋଗଲବନ୍ଦିରେ ଗ୍ରାମେ ଏ ଏକତା

 

ଥିଲେ କାହିଁ ଆଜି ଏ ଦଶା ହୁଅନ୍ତା ?

।୩୯।

ନାନା ବର୍ଣ୍ଣ ମାଟି ନେଇଣ ଯୁବତୀ

 

ନାନା ବର୍ଣ୍ଣେ କାନ୍ଥମାନ ଲିପିଥାନ୍ତି ।

 

କାଠି କୁଟା ପୋଡ଼ି କରି ରଙ୍ଗ କଳା

 

ମଧ୍ୟେ ମଧ୍ୟେ ଲିପି ଦିଅନ୍ତି ଅବଳା ।

।୪୦।

ଅବଳା ନ କହି ସବଳା କହିଲେ

 

ଅତି-ଉକ୍ତି ହେବ ନାହିଁ କେତେବେଳେ ।

 

ସନ୍ତୋଷପୁରରୁ ତୋର ବକ୍ଷ ଛାଇ

 

କେତେ କାଠଭେଳା ଭାସି ଯେ ଆସଇ ।

।୪୧।

ମହାଜନମାନେ ଛନ୍ଦି ଦେଇ ଭେଳା

 

ଠିକଣା ଜାଗାରେ ତହୁଁ ଯାଇ ମେଳା ।

 

*ବାଥୁଡ଼ି ବାହକ ଭେଳା ପରେ ଉଭା

 

ହୋଇ କାତ ମାରି ଦେଖି ନଦୀ ଶୋଭା ।

।୪୨।

 

* ବାଥୁଡ଼ି–ଏକ ପ୍ରକାର ଆଦିମଜାତି      

 

ଛାଡ଼ି ଦେଇଥାଏ ସୁସ୍ୱରେ ସଙ୍ଗୀତ

 

ଅଣ୍ଟି ଭୋଜା ଖାଇ ହୋଇ ଆନନ୍ଦିତ ।

 

ଖରା ବରଷାରେ ଚାଲିଥାଏ ଭେଳା,

 

ପହଞ୍ଚିଗଲେ ସେ ମହିଷର ମେଳା ।

।୪୩।

ଖିଦିଖିଦି ହୋଇ ପଳାଉଣ ଥାନ୍ତି

 

ଭେଳା ଚାଲିଗଲେ ଜଳରେ ପଶନ୍ତି ।

 

ଉଭୟ ତୀରରେ ପ୍ରକୃତିସୁନ୍ଦରୀ

 

କେତେ କେତେ ଶୋଭା ଦେଇଛି ବିସ୍ତାରି ।

।୪୪।

ମାଙ୍କଡ଼ ପଲକୁ ପଲ ଚରୁଥାନ୍ତି

 

ଏ ଗଛ ସେ ଗଛ ଡିଆଁ ମାରୁଥାନ୍ତି ।

 

ଜାକ କରି ଛୁଆମାନ ପେଟତଳେ

 

ଓହଳି ପଡ଼ନ୍ତି କାହିଁ ଶାଖାତଳେ ।

।୪୫।

ଗୋରୁ ଗାଈ ମେଣ୍ଢା ଚରାଇ ବାଳକେ

 

ତଡ଼ୁଣ ଥାଆନ୍ତି ମାଙ୍କଡ଼ଙ୍କୁ ଥୋକେ ।

 

ଦୋଳି ଖେଳୁଥାନ୍ତି ଶିଆରୀ ଲତାରେ

 

କିଏ ବା ମାତନ୍ତି ପୁଆଡାବଳରେ ।

।୪୬।

ନେଇଣ ଆହାର ପକ୍ଷୀମାନେ କାହିଁ

 

ଖୁଆନ୍ତି ଶାବକେ ବୃକ୍ଷଡାଳେ ରହି ।

 

ଖାଇଲା ବେଳରେ କିଚିରି ମିଚିରି

 

ଶବ୍ଦ କରୁଥାନ୍ତି ଥଣ୍ଟେ ଥଣ୍ଟ ମାରି ।

।୪୭।

କାହିଁ ତରୁଶ୍ରେଣୀ ନିବିଡ଼ ଅରଣ୍ୟ

 

କରିଯୁଥ ପୁଣ ସମ୍ୱର ହରିଣ ।

 

ଜଳପାନ କରି ଫେରିଗଲା ବେଳେ

 

ଭେଳାର ବାହକ ପଡ଼ିଗଲେ ଡୋଳେ ।

।୪୮।

ଥକାମାରି ଛିଡ଼ା ହୋଇଯାନ୍ତି କ୍ଷଣେ,

 

ଡିଆଁମାରି ପୁଣି ପଳାନ୍ତି ଅରଣ୍ୟେ ।

 

ଶସ୍ୟକ୍ଷେତ୍ରମାନ ଶୋଭୁଅଛି କାହିଁ

 

ନାନା ଜାତି ଶସ୍ୟ ଦେଖାଯାଏ ତହିଁ ।

।୪୯।

ସୋରିଷ ଗଛର ଫୁଲ କି ସୁନ୍ଦର

 

ପବନେ ଝୁଲେ କିସୁବର୍ଣ୍ଣ ଚଅଁର!

 

ରାଶି ଗଛ ଫୁଲ ରହିଛି ଥୋକାଏ

 

ରାମତିଳା ଫୁଲ ମନ ମୋହୁଥାଏ ।

।୫୦।

କାହିଁ ଲତାକୁଞ୍ଜେ ବସି ଚଷାପୁଏ

 

“ମୁଁ ଚଷା ପୁଅଟି” ରାବ କରୁଥାଏ ।

 

କାହିଁ ମାଛ ରଙ୍କା କରି ନାନା ଗତି

 

ଡୁବି ତୋର ଜଳେ ମାଛ ଧରୁଥାନ୍ତି ।

।୫୧।

ଧାନକ୍ଷେତ ବୁଲି ଆସିଣ ଚଷାଏ

 

ବାଳୁଙ୍ଗା ବାଛନ୍ତି ବିଲରୁ ଥୋକାଏ ।

 

ଜଳର ଅଭାବ ଦେଖି ଅବା କାହିଁ

 

ଏ କ୍ଷେତୁଁ ସେ କ୍ଷେତ କାଟୁଥାନ୍ତି ଗୋହି ।

।୫୨।

ବକ୍ରଗତି ସ୍ରୋତେ ତହୁଁ ଚାଲୁ ଚାଲୁ

 

ସେ ବୀରଗୋବିନ୍ଦପୁରେ ପହଞ୍ଚିଲୁ ।

 

ବାମେ କୋରକୋରା ମଠଟି ରାଜଇ

 

ଯହିଁ ମନୋହର ଉଦ୍ୟାନ ଅଛଇ ।

।୫୩।

ଠାକୁର ଗୋପାଳଜିଉ ନାମ ତହିଁ

 

ଦରଶନେ ଭକ୍ତି ଉପୁଜଇ ଯହି ।

 

ତହିଁ ଅନ୍ନଭୋଗ ଥରେ ଯେ ଚାଖିଛି

 

ଠାକୁର ମହିମା ସେ ସିନା ଜାଣିଛି ।

।୫୪।

ପୁରୀ ଜଗନ୍ନାଥ ମନ୍ଦିରରୁ ଖଞ୍ଜା

 

ହୋଇଛି ବିଧାନ ତହିଁ ସେବା ପୂଜା ।

 

ଦକ୍ଷିଣେ ଶୋଭଇ ରାଘବ ମନ୍ଦିର

 

ସମ୍ମୁଖେ ଶାସନ କୁଳୀନ ଭୁସୁର ।

।୫୫।

 

* ଭୁସୁର–ବ୍ରାହ୍ମଣ

 

ଅଶୋକ, ବକୁଳ, ଚୁତ, ନାରିକେଳ

 

ଚମ୍ପକ, କଦଳୀ ଆଦି ତହିଁ ଠୁଳ ।

 

ସେ ସ୍ଥାନର ଶୋଭା ପଡ଼ିଲେ ନୟନେ

 

ଗ୍ରାମବାସ ତୁଚ୍ଛ ହେଉଥାଏ ମନେ ।

।୫୬।

କାଞ୍ଚି ଯୁଦ୍ଧେ କେନ୍ଦୁଝର ମହାରାଜା

 

ସାହାଯ୍ୟ ଦେଇଣ ଉଡ଼ାଇଲେ ଧ୍ୱଜା ।

 

ପୁରସ୍କାର ରୂପେ ଆନନ୍ଦପୁରକୁ

 

ପାଇଥିଲେ ଆଣିଥିଲେ ରାଘବଙ୍କୁ ।

।୫୭।

ନେଉଁ ସେ ମୂର୍ତ୍ତିକୁ ନିଜ ଦୁର୍ଗଯାଏ

 

ସେ ସ୍ଥଳରେ ବସା କରିବା ସମୟେ ।

 

ଦେଖିଲେ ସ୍ୱପନ ରାଜା ନିଶାକାଳେ

 

ରଘୁନାଥମୂର୍ତ୍ତି ଆସିଣ କହିଲେ ।

।୫୮।

“ଏ ସ୍ଥାନରେ ମୋତେ ରଖ କରି ପୁର

 

ଯିବାକୁ ମୋହର ନାହିଁ ମନ ଦୂର ।

 

ସିଦ୍ଧ ଗତାଗତ ଯୋଗେ ଏହା ପୂତ

 

ଏ ସ୍ଥାନରେ ବାସ ମୋର ଅଭିମତ ।”

।୫୯।

ତେଣୁ ତହିଁ କରି ସୁନ୍ଦର ମନ୍ଦିର

 

ସ୍ଥାପିଲେ ସେ ସ୍ଥାନେ ମୂର୍ତ୍ତି ନୃପବର ।

 

ଦକ୍ଷିଣେ ପତିତପାବନ ମୁରତି

 

ବାମେ ଶମ୍ଭୁ ଏକ ଥାପିଲେ ନୃପତି ।

।୬୦।

ଅଗ୍ରେ ରହୁଛନ୍ତି ମହାବୀର ତହିଁ

 

ମନ୍ଦିର ପାର୍ଶ୍ୱରେ ତୋର ସ୍ରୋତ ବହି ।

 

ମନୋହର କରିଅଛି ସେହି ସ୍ଥାନ

 

ନାନାରଙ୍ଗେ ତହୁଁ କରିଲୁ ଗମନ ।

।୬୧।

ତାରତଳେକୁଣ୍ଡବାସଳୀ ଯେ ଘାଟି,

 

ଯାର ଶୋଭା ତହିଁ ଅତି ପରିପାଟି ।

 

କାଠ ଭେଳା ତହିଁ ଅତି ସାବଧାନେ

 

ପାର କରିଥାନ୍ତି ତା ବାହକମାନେ ।

।୬୨।

ଯାଇ ତୁ ଭେଟିଲୁ କ୍ରୋଶ ଲିଙ୍ଗ ଏକ

 

ଝାଡ଼େଶ୍ୱର ନାମେ ପୂଜେ ତାଙ୍କୁ ଲୋକ ।

 

ଅନତିଦୂରରେ ଆନନ୍ଦବର୍ଦ୍ଧକ

 

ଆନନ୍ଦପୁର ଯେ ଶୋଭଇ ପ୍ରତ୍ୟକ୍ଷ ।

।୬୩।

Image

 

ତୃତୀୟ ସର୍ଗ

ଆନନ୍ଦପୁରେ ତୋ ଜଳ-ଦରପଣେ

 

ଦେଖୁଥାନ୍ତି ନିଜ ମୁଖ ଜନମାନେ ।

 

ଉଭୟ ତୀରରେ ଚାରୁ ସୌଧବାର

 

ତୋ କଣ୍ଠେ ଲମ୍ୱେ କି ଶୁଭ୍ର ପୁଷ୍ପହାର ?

।୧।

ମନୋହର ସୌଧ ନୃପତିନବର

 

ଫକିରମୋହନ ଥିବା ସମୟର ।

 

ବାମେ ନବ କୋଠା ଧାଡ଼ି ଧାଡ଼ି ସାଜେ

 

କୁଳୀନ ବ୍ରାହ୍ମଣ ଶାସନ ବିରାଜେ ।

।୨।

ମାକ୍ମିଲନଙ୍କ ରାଜତ୍ୱ କାଳରେ

 

କେନ୍ଦୁଝର ଗତି ଉନ୍ନତି ପଥରେ ।

 

ଏଥି ଯେତେ ନବ ସୌଧ ବିରାଜିତ

 

କେନ୍ଦୁଝର ଦୁର୍ଗ ଚମ୍ପୁଆ ସମେତ ।

।୩।

ଚମ୍ପୁଆରେ ଲୌହ ସେତୁ ବକ୍ଷେ ତୋର

 

ସେଠାରୁ ଏଠାକୁ ରାଜପଥ ସାର ।

 

ତାଙ୍କ ସମୟରେ ହୋଇଛି ନିର୍ମିତ

 

ଆଉ କେତେ ସେତୁ ପଥରେ ଶୋଭିତ ।

।୪।

କେନ୍ଦୁଝର ମଧ୍ୟେ ବୃହତ ନଗର

 

ଆନନ୍ଦପୁରଟି ଅତି ମନୋହର ।

 

ତହିଁରେ ଅଛନ୍ତି ଲୋକ ସବୁ ଜାତି

 

ନାନା ବ୍ୟବସାୟେ ଦିନ କାଟୁଥାନ୍ତି ।

।୫।

ମଠା ଲୁଗା ତହିଁ ମିଳଇ ବହୁତ

 

ସୁତାଶାଢ଼ୀ ପୁଣି ବହୁ ବ୍ୟବହୃତ ।

 

ଯେ ଚନ୍ଦ୍ରଶେଖର ଧଳ ତହିଁ ଥିଲେ

 

ସିପାହୀ ବିଦ୍ରୋହେ ସାହାଯ୍ୟ ସେ କଲେ ।

।୬।

ଉତ୍କଳେ ପ୍ରଥମେ ରାୟ ବାହାଦୂର

 

ପଦବୀ ତାହାଙ୍କୁ ଦେଲେ ସରକାର ।

 

ବେବର୍ତ୍ତା ଉପାଧି ଦେଇଥିଲେ ରାଜା

 

ସ୍ନେହେ ପାଳୁଥିଲେ କେନ୍ଦୁଝର ପ୍ରଜା ।

।୭।

ମୋଗଲବନ୍ଦୀରେ କିଣି ଜମିଦାରୀ

 

ଚଳୁଥିଲେ କୁଳାଚାରକୁ ଆଦରି ।

 

ତାଙ୍କ ବଂଶଧର ଗତି ଯେ ଦେଖିବ

 

ମୁଣ୍ଡେ ହାତ ଦେଇ ବିସ୍ମୟେ ବସିବ ।

।୮।

ପ୍ରଭୁତ୍ୱ ଯୌବନ ଧନ ଅବିବେକ-

 

ପଣିଆ ଏପରି କରିଥାଏ ଲୋକ ।

 

ନଗର ପ୍ରାନ୍ତରେ ବଳଭଦ୍ରପୁର

 

ଶାସନ କୁଳୀନ ବ୍ରାହ୍ମଣଙ୍କ ଘର ।

।୯।

କବିଚନ୍ଦ୍ର ବଡ଼ ପଣ୍ଡା ବାସୁଦେବ

 

ଜନ୍ମିଥିଲେ ତହିଁ ଅର୍ଜିଲେ ଗୌରବ ।

 

ଛାନ୍ଦାର୍ଥୀ ସେପରି ଜଣେ ଅବା କାହିଁ

 

କେବେ ଦେଖି ନାହିଁ ତାଙ୍କ ପରିମୁହିଁ ।

।୧୦।

ସରସ ସଙ୍ଗୀତ ରଚନାରେ ପଟୁ

 

ବହୁଦୂରେ ଥିଲେ ସଦା ସେ କପଟୁଁ ।

 

ଝାଡେଶ୍ୱରୁଁ କ୍ରୋଶ ଦୂର ବାଟଯାଏ

 

ଉତ୍ତରଇଶ୍ୱର କ୍ରୋଶ ଲିଙ୍ଗଟିଏ ।

।୧୧।

ଏ ମଧ୍ୟ ସ୍ଥାନରେ ବ୍ୟାପିଛି ନଗର

 

ମଧ୍ୟେ ସ୍ଥିତ ଦଧିବାମନ ମନ୍ଦିର ।

 

ସାର ସାରି ହୋଇ ତାର ପାର୍ଶ୍ୱ ଦେଇ

 

କାଖେ ହାତେ କୁମ୍ଭ ଧରି ବେଶ ହୋଇ ।

।୧୨।

ଜଳ ଅନୟନେ ନାରୀଙ୍କ ଗମନ

 

ତୋର ବକ୍ଷଶୋଭା କରଇ ବର୍ଦ୍ଧନ ।

 

ଅଳ୍ପ ଦୂରେ କୁଶଭଦ୍ରା ନଦୀତୀର

 

ପ୍ରତିଷ୍ଠିତ ଶମ୍ଭୁ କୁଶଳ-ଈଶ୍ୱର ।

।୧୩।

ସେଠାରେ ତା ତୀରେ ଅଛି ସେତୁଟିଏ

 

ଇଞ୍ଜିନିୟରଙ୍କ ବୁଦ୍ଧି ବଣା ହୁଏ ।

 

ଧନୁର୍ଜୟ ଭଞ୍ଜ ନିଜ ବୁଦ୍ଧିବଳେ

 

ତା ତୀର ବାନ୍ଧିଣ ନ ଥିଲେ ସେ କାଳେ ।

।୧୪।

ଦେବଗ୍ରାମ ଭୂମି କୁଶଳ-ଇଶ୍ୱର

 

ବାଲିସ୍ତୂପ ମଧ୍ୟେ କରନ୍ତେଣି ଘର ।

 

ତହିଁ ତାଟ ଭୋଗ ସୁସ୍ୱାଦ ସୁପଥ୍ୟ

 

ଭୋଗ ମଧ୍ୟେ ଥାଏ ଯହିଁ ବିଶେଷତ୍ୱ ।

।୧୫।

ଛେନା କନ୍ଦ ସର ସଙ୍ଗରେ ପାଳୁଅ

 

ମିଶାଇ କରିଣ ଥାଆନ୍ତି ଅମିୟ ।

 

ଆନନ୍ଦପୁରରେ ମଜ୍ଜିଗଲା ମନ

 

ତେଣୁ ସଙ୍କୁଚିତ ତୋର ଆୟତନ ।

।୧୬।

ତୋ ସଙ୍ଗେ ଆସିଣ ସେ ବନମାଳିଆ

 

ତୋ ତୀରେ ଥିଲେ ବା କଦମ୍ୱମୂଳିଆ ।

 

ରାଜଭବନର ଅଗ୍ରେ କି କଦମ୍ୱ

 

ଜଳେ ପଡୁଥିଲା ତାଙ୍କ ପ୍ରତିବିମ୍ୱ ।

।୧୭।

ସ୍ନାନାନ୍ତେ ଗମନ କାଳେ ଭକ୍ତଗଣ

 

ତୋଷୁଥିଲେ ଅବା ନିଜ ପ୍ରାଣମନ ।

 

ଆନନ୍ଦପୁରକୁ ସଦା କୃପା ତୋର

 

ତୋ ବକ୍ଷେ ରଖିଣ ଥାଉ ବହୁ ନୀର ।

।୧୮।

ଝାଡେଶ୍ୱର ଶମ୍ଭୁମନ୍ଦିର ତଳରେ

 

ତୋର ଶୋଭା ତହିଁ ଜନ ମନ ହରେ ।

 

ଏକ ପାଶ୍ୱେ ଶୋଭେ ଚାରୁ ସୌଧରାଜି

 

ଅନ୍ୟ ପାଶ୍ୱେ ରାଜ-ଉଦ୍ୟାନ ବିରାଜି ।

।୧୯।

ସୌଧରାଜି ପାଶ୍ୱେ ଘସିପୁରା ଗ୍ରାମ

 

ଗୋବରଗଡିଆ ମଧ୍ୟେ ପଦ୍ମ ନାମ ।

 

ପରି ଜନ୍ମିଥିଲେ ପଣ୍ଡିତ ପ୍ରବର

 

ନ୍ୟାୟ ବାଚସ୍ପତି ଶାସ୍ତ୍ରୀ ଦ୍ୱିଜବର ।

।୨୦।

ମାଧବା ନନ୍ଦଟି ନାମଟି ଯାହାର

 

ବଗଳା ମନ୍ତ୍ରଟି ସାଧନ ତାଙ୍କର ।

 

ପଞ୍ଚନ୍ତ୍ରିଂଶ ବର୍ଷ ବୁଲି ନାନା ଦେଶ

 

ଲାଭ କରିଥିଲେ ସେ ବିଦ୍ୟା ବିଶେଷ ।

।୨୧।

ମୈଥିଳୀ, ବଙ୍ଗଳା, ମହାରାଷ୍ଟ୍ରୀ, ହିନ୍ଦୀ

 

ଭାଷାରେ ବକ୍ତୃତା କରୁଥିଲେ ଛନ୍ଦୀ ।

 

ତାଙ୍କ ରୂପ ଯେହୁ ଦେଖିଛି ନୟନେ

 

ବ୍ରାହ୍ମଣର ତେଜ ସେହି ସିନା ଜାଣେ ।

।୨୨।

ବନଫୁଲ ବନେ ମଉଳିଲା ପରି

 

କେନ୍ଦୁଝରେ ଜନ୍ମ ଯୋଗୁଁ ସେହିପରି ।

 

ଧନୁର୍ଜୟ ଭଞ୍ଜ ସଦା ନିକଟରେ଼

 

ବସାଇ ପଦାକୁ ନ ଛାଡିଲେ ଥରେ ।

।୨୩।

ଫକିରପୁରକୁ ଗମନେ ତୋ କକ୍ଷ

 

କ୍ରମେ ବିସ୍ତାରିତ ହେଲା ତୋର ବକ୍ଷ ।

 

ଦକ୍ଷିଣେ ବସତି ଜନାର୍ଦ୍ଦନପୁର

 

କୁଳୀନ ବ୍ରାହ୍ମଣମାନଙ୍କର ଘର ।

।୨୪।

ନୀଳାମ୍ୱର ପତି ନାମେ ବିପ୍ର ତହିଁ

 

ତନ୍ମାଦି ଶାସ୍ତ୍ରରେ ନିପୁଣଟି ସେହି ।

 

ସହସ୍ର ସହସ୍ର ଶ୍ଲୋକ କେଣ୍ଠ ରଖି

 

କଥା ପଦକେ ସେ ଦେଉଥାନ୍ତି ଯୋଖି ।

।୨୫।

କହିଲେ ନ ସରେ ତାଙ୍କ ନିଷ୍ଠାପଣ

 

ଧନୁର୍ଜୟ ଭଞ୍ଜ ବିଶ୍ୱାସ କରିଣ ।

 

ତାଙ୍କଦ୍ୱାରା ସବୁ କରାନ୍ତି ବରଣ

 

ନ ଥାଏ ବିଶ୍ୱାସ ଅନ୍ୟଠାରେ ପୁଣ ।

।୨୬।

ଆଜିକାଲି ତାଙ୍କ ପରି ଜଣେ କେହି

 

କର୍ମିଷ୍ଠ ବ୍ରାହ୍ମଣ ଦେଖାଯାଏ ନାହିଁ ।

 

ଶରୀରର କାନ୍ତି ଅତି ତେଜସ୍କର

 

ବିଧର୍ମ୍ମୀ କରନ୍ତି ତାଙ୍କୁ ନମସ୍କାର ।

।୨୭।

ଦକ୍ଷିଣେ ଟୁକୁଣା ବ୍ରାହ୍ମଣ ବସତି

 

କୁଣ୍ଡେଶ୍ୱର କ୍ରୋଶଲିଙ୍ଗ ପୂଜୁଥାନ୍ତି ।

 

ଫକିରପୁରଟି ଶୋଭଇ ବାମରେ

 

ବହୁମଠା ଲୁଗାମିଳେ ସେହିଠାରେ ।

।୨୮।

ନାନାଜାତି ଦ୍ରବ୍ୟ ସେଠାବେ ମିଳଇ

 

ପରିବାର ହାଟ କାହିଁ ବସିଥାଇ ।

 

ସବୁବେଳେ ଲୋକ ତୋର ରମ୍ୟ ତୀରେ

 

ବସି ରହିଥାନ୍ତି ଡଙ୍ଗା ଅପେକ୍ଷାରେ ।

।୨୯।

କାହାର ସନ୍ତାନ ଜ୍ୱର ଭୋଗୁଅଛି

 

ପାଚନ କିଣିବା ପାଇଁ ଆସିଅଛି ।

 

କିଏ ଅବା ଯୋଗୀବୈଦ୍ୟ* ଡାକିନେବ

 

ନିଜ ପରିବାର ରୋଗ ଦେଖାଇବ ।

।୩୦।

 

* ଯୋଗୀ–ଏହିଜାତି ପୁରୁଷାନୁକ୍ରମେ କେବଳ ବୈଦ୍ୟ ବ୍ୟବସାୟ କରନ୍ତି ।

 

କିଏ ଅବା ଯିବ ଟୁକୁଣା ଗ୍ରାମକୁ

 

ନିଜ ପୁରୋହିତ ଡାକି ଆଣିବାକୁ ।

 

ପ୍ରଚଣ୍ଡ ଖରାରେ ତାତିଲା ବାଲିରେ

 

ଛଟପଟ ହେଉଥାନ୍ତି ବସି ନରେ ।

।୩୧।

କାର ପୁଅ ଯାଇଥିଲା ଦୋକାନକୁ

 

ନିଜ ଘର ଲୋଡ଼ା ଚିଜ ଆଣିବାକୁ ।

 

ବିଳମ୍ୱ ହେବାରୁ ତା ମାତା ବିକଳ

 

ପଠାଇଛି ତାର ପିତା ତୋର କୂଳ ।

।୩୨।

ମେଘ ଅନ୍ଧାରରେ କିପରି ତନୟ

 

ଆସିବ ଭାବିଣ ତା ମନ ଅଥୟ ।

 

ଏ ଲୋକ କଷଣ ନାଉରିଆ କେବେ

 

ଲେଶମାତ୍ର ତାର ମନରେ ନ ଭାବେ ।

।୩୩।

ତୋର ଦୁଇ ତୀର ଅତଡ଼ି ତଟରେ

 

ନାନାଦି ଫସଲ ଅତି ଶୋଭା ଧରେ ।

 

ବାଇଗଣ ଆଖୁ କ୍ଷେତେ ଜଳଦାନେ

 

ତେଣ୍ଡା ବାହୁଥାନ୍ତି କାହିଁ ଜନମାନେ ।

।୩୪।

ମନ ହରଷରେ ଉଚ୍ଚସ୍ୱରେ ଗୀତ

 

ଛାଡ଼ି ଦେଇ ତୋଷୁଥାନ୍ତି ନିଜ ଚିତ୍ତ ।

 

ତୋ ତୀର ବୃହତ ବରଗଛମାନ

 

ଭୂଇ ତଳଯ଼ାଏ ମେଲେ ଡାଳମାନ ।

।୩୫।

ସେ ଡାଳେ ବସିଣ କୌତୁକେ ବାଳକେ

 

ନାନାଜାତି କ୍ରୀଡ଼ା ରଚୁଥାନ୍ତି ଥୋକେ ।

 

ଗୋରୁ ଗାଈ ଛାଡ଼ି ତୀର ବେଣାପାଟେ

 

ତାଛାଇରେ ବସି କେହି ଦିନ କାଟେ ।

।୩୬।

କିଛି ଦୂର ପରେ ଭେଟିଲା କୁଶେଇ

 

କୁଶଭଦ୍ରା ବୋଲି ଯା ନାମ ବହଇ ।

 

କୁଶଳ-ଈଶ୍ୱର ଚନ୍ଦନ ମିଶିଣ

 

ବିଲ୍ୱପତ୍ରୀ ସହ ଜଳଧାର ପୁଣ

।୩୭।

ଆସି ତୋ ବକ୍ଷରେ ମିଶେ ଯେଉଁଠାରେ

 

ଲତାଗୁଳ ଆଦି ଆନନ୍ଦ ମନରେ ।

 

ତୀର ସ୍ରୋତେ ତୋର ଭାସୁଣ ଥାଆନ୍ତି

 

ପାଇବାକୁ ସେହି ପୂତ ବେଲପତ୍ରୀ ।

।୩୮।

ତେନ୍ତୁଳି, ପୁଟିଆ, ଜାମୁ, ଆମ୍ର, ବଂଶ

 

ଶୋଭୁଥାଇ ତୋର ତୀରରେ ବିଶେଷ ।

 

ପଞ୍ଚୁପଲ୍ଲୀ ମାଳ ମଧ୍ୟେ ତୋର ଗତି

 

ପତନଉନ୍ମୁଖ ତୀର-ତରୁପନ୍ତି ।

।୩୯।

ପିପ୍ପଳ ଇଶ୍ୱର କ୍ରୋଶ ଲିଙ୍ଗ ଏକ

 

ସେଠାରେ ପୂଜୁଣ ଥାନ୍ତି ତାଙ୍କୁ ଲୋକ ।

 

ତୋ ତୀର ହିଞ୍ଜଳ ଗଛ ଛାଇତଳ

 

ଶୋଭଇ ପାକୁଳି ବତ୍ସତରୀକୁଳ ।

।୪୦।

ଭଗ୍ନତୀର ତୋର ହୋଇ ଆଚ୍ଛାଦିତ

 

ତେନ୍ତୁଆ ଲତାରେ ହୋଇଛି ସଜ୍ଜିତ ।

 

କାହିଁ କରିଅଛି ତଣ୍ଡୀ ଛଞ୍ଚାଣିଆ

 

ଖୁଙ୍କି ପଡ଼ି ଛାୟାପ୍ରଦ ତୋର ହିଆ ।

।୪୧।

ଧୋବଣୀ ଚଢ଼େଇ ଖଣ୍ଡିଉଡ଼ା ଦେଇ

 

ବରୁଣ ଡାଳରୁ କଣ୍ଟି ଡାଳେ ଯାଇ ।

 

ବସିଣ ହଲାଉଥାଏ ପୁଚ୍ଛ ତାର

 

ସେ ଜାଣେ, କରୁଣ ଥାଏ କି ବିଚାର ।

।୪୨।

ସେଠାରୁମ ଣ୍ଡପ ପରାଏ ଦିଶେଟି

 

ଆନନ୍ଦପୁରର ଡାକ ବଙ୍ଗଳାଟି ।

 

କାହିଁ କଣ୍ଟି ଲଅ ପଲାଶ ଶୋଭଇ

 

ତୋର ଅତଡ଼ିକୁ ଛାଇ ଦେଇଥାଇ ।

।୪୩।

ଏବେ ତହିଁ ରାଜା ବଳଭଦ୍ର ଭଞ୍ଜ

 

ବଣକାଟି ଶିଶୁ ଶାଗୁଆନ ପୁଞ୍ଜ ।

 

ବଗିଚା କରିଣ ଲୋକ ଉପକାରେ

 

ଅତି ମନୋହର ଆଭାକୁ ବିସ୍ତାରେ ।

।୪୪।

ବାମେ ରାଜୁଅଛି ବଉଳା(୧) ପର୍ବତ

 

ଦକ୍ଷିଣେ ଟମକା(୨) ଦିଶଇ ପ୍ରଶସ୍ତ ।

 

ବଉଳା ପର୍ବତେ ନାମେ ଚକ୍ରତୀର୍ଥ

 

କୁଣ୍ଡୁ ଝରୁଅଛି ଜଳ ଅବିରତ ।

।୪୫।

 

(୧)

ବଉଳା-ଆନନ୍ଦଫୁଲର ସବଡିଭିଜନ ମଧ୍ୟରେ ବୈତରଣୀ ବାମପାର୍ଶ୍ୱରେ ବୃହତ ପର୍ବତ ।

(୨)

ଟମକା-ସୁକିନ୍ଦା ମଧ୍ୟରେ ଟମକା ଅତି ପ୍ରକାଣ୍ଡ ପର୍ବତ, ତହିଁରେ ଅନେକ ଯୋଗୀଋଷି ଥାଆନ୍ତି ।

 

ରଜ ସମୟରେ ବହୁ ଯାତ୍ରିଗଣ

 

ସେଠାକୁ ଆନନ୍ଦେ କରନ୍ତି ଗମନ ।

 

ତୋ ତୀରେ କୋଚିଲା ଗଛରେ ଟେଣ୍ଟେଇ

 

ଗୋଡ଼ ଉପରକୁ କରି ଶୋଇଥାଇ ।

।୪୬।

ଭାଙ୍ଗିଣ ପଡ଼ିବ ବୋଲି ମେଘ ଭୟେ

 

ଏହିପରି ସେ ତ ପ୍ରତିଦିନ ଶୁଏ ।

 

ବାଲି ପତରଙ୍ଗା ଅତଡ଼ି କଡ଼ରେ

 

ବସା ଖୋଳି ରହିଥାଆନ୍ତି ସେଠାରେ ।

।୪୭।

ପକ୍ଷି କୃଷ୍ଣ ବର୍ଣ୍ଣ ପେଟ ଧଳା ତାର

 

ବଇରା ଯେ ଉଚ୍ଚ ଗଛେ ବସା ତାର ।

 

ଚାଆ ଚଢ଼େଇର ମୁଣ୍ଡ ହଳଦିଆ

 

ଥଣ୍ଟ ଗୋଟି ତାର ଦିଶଇ କାଳିଆ ।

।୪୮।

ବିଚିତ୍ର ଗତିରେ ସେ ଉଡ଼ି ଆସଇ

 

ତୋ ତୀରେ ବସଇ ପୁଚ୍ଛକୁ ହଲାଇ ।

 

ମଧୁକେଶରୀ ଯେ ଶମ୍ଭୁ ଏକ ଅଛି

 

ତା ପାଶ୍ୱେ ଟମକା ଦୃଶ୍ୟ ଶୋଭୁଅଛି ।

।୪୯।

ହସ୍ତି ମୁଣ୍ଡ ପରିଚୂଳ ଦିଶୁଥାଏ

 

ଗାଢ଼ କୃଷ୍ଣବର୍ଣ୍ଣ ତନୁ ଶୋଭା ପାଏ ।

 

ଉତ୍ତରଇଶ୍ୱର କ୍ରୋଶଲିଙ୍ଗ ଏକ

 

ନିତି ପୂଜାକରେ ମୁଗପୁର ଲୋକ ।

।୫୦।

ମୁଗପୁର ଗ୍ରାମ ଶୋଭେ ତୋର ତୀରେ

 

ବିଭକ୍ତ ହୋଇଛି ବାର ପାଟଣାରେ ।

 

ବଣିଆ କଂସାରି ତନ୍ତୀ ଆଦି ଜାତି

 

ନିଜ ବ୍ୟବସାୟେ ପେଟ ପୋଷୁଥାନ୍ତି ।

।୫୧।

ସବୁ ଜାତିଠାରୁ ବଣିଆ ଚତୁର

 

ଖାଣ୍ଟି ସୁନା ତାଙ୍କ ଘରେ ଅଳଙ୍କାର ।

 

ସୁନା ରୂପା ମଧ୍ୟେ ଭେଲ ସେ ମିଶାନ୍ତି

 

କୌଶଳେ ଲୋକଙ୍କୁ ସଦା ଠକୁଥାନ୍ତି ।

।୫୨।

ନିଜ ଘରେ ବସି ପଇସା କମାନ୍ତି

 

ଖରାକୁ ସେ କେବେ ବାହାର ନୁହନ୍ତି ।

 

ଶିକ୍ଷିତା ନାରୀଙ୍କି ଆଜିକାଲି ସିନା

 

ରେଶମ ଚଷମା କରିଅଛି ବଣା ।

।୫୩।

ଝିଲିମିଲି ଚୂଡ଼ି ବିଦେଶୁଁ ଅଣାଇ

 

ହାତେ ଦୁଇ ପଟ ଦିଅନ୍ତି ଗଳାଇ ।

 

ବେକେ ସୁନାସୁତା ମାଳେ ଦୁଇମାଳେ

 

କିଏ ବା ଲମ୍ୱାଇ ଥାଇ ହାର ଗଳେ ।

।୫୪।

ଆଉ ଅଳଙ୍କାର ସଙ୍ଗେ ଦେଖା ନାହିଁ

 

ବଣିଆଙ୍କ ଫାନ୍ଦେ ପଡ଼ିବେ ସେ କାହିଁ ?

 

ମୁଗପୁର ତନ୍ତୀ ବୁଣା ଲୁଗା ଯେତେ

 

ଆଉ ତନ୍ତୀ ବୁଣା ଲୁଗା ଗଡ଼ଜାତେ ।

।୫୫।

ସକଳେ ପିନ୍ଧନ୍ତି ଆନନ୍ଦ ମନରେ

 

କେବଳ ଶିକ୍ଷିତ ମନେ ଲଜ୍ଜା ଧରେ ।

 

ମୋଗଲବନ୍ଦୀରେ ଅଶିକ୍ଷିତ ଜନ

 

ସୁଦ୍ଧା ପିନ୍ଧୁଛନ୍ତି କଳ ଲଗାମାନ ।

।୫୬।

ଗଡ଼ଜାତୀ ଲୋକ ମୁଣ୍ଡେ ଦେଖି ଝାମ୍ପି

 

ଥଟ୍ଟା କରୁଥାନ୍ତି କଥାରେ ସେ ଝାମ୍ପି ।

 

ତନ୍ତୀଙ୍କ ଜୀବିକା କ୍ରମଶଃ ବୁଡ଼ୁଛି

 

ଲୁଗା ପାଇଁ ଅର୍ଥ ଅଭାବ ହେଉଛି ।

।୫୭।

ନିଜେ ସୁତା କାଟୁଥିଲେ ସବୁ ନାରୀ

 

ନେଉଥିଲା ତନ୍ତୀ ଆଦର ତା କରି ।

 

ଯୋଡ଼େ ଯୋଡ଼େ ଲୁଗା ଆଣୁଥିଲା ବୁଣି

 

ମୂଲଲାଗି ଧାନ ନେଉଥିଲା ପୁଣି ।

।୫୮।

ବଙ୍ଗ ଭାଇଠାରୁ ଓଡ଼ିଆ ସତ୍ୱର

 

ସବୁ ନୂଆ କଥା ଶିଖିଲା ଏଥର ।

 

ଦିଶୁଛି ତୁମ୍ଭଙ୍କୁ ଘର ବୁଡ଼ା କଥା

 

ଭବିଷ୍ୟତ କଥା ନ ଧରୁଛି ମଥା ।

।୫୯।

ଆଉ ଲୁଗାବୁଣା ନାହିଁ ଦରକାର

 

ଲୁଙ୍ଗୀ ଖଣ୍ଡେ ହେଲେ ଚଳିଯିବ ନର ।

 

ପଠାଣ ଭାଇଏ ନିଜ ରୀତିନୀତି

 

ଗୋଟିଏ କଥା ତ ଛାଡ଼ିଣ ନାହାନ୍ତି ।

।୬୦।

ସବୁ ଜାତି ରଖିଛନ୍ତି ନିଜ ଟେକ

 

କେବଳ ବଙ୍ଗାଳୀ ଓଡ଼ିଆଙ୍କୁ ଦେଖ ।

 

ବିଶ୍ୱପ୍ରେମ କରୁଅଛନ୍ତି ବରଣ

 

କୁଳାଚାର ଧର୍ମ୍ମେ ପକାନ୍ତି ଚରଣ ।

।୬୧।

ନିଜତ୍ୱ ପାଶୋରି ପକାନ୍ତି ସରବେ

 

ଟିକିଏ ଇଂରାଜି ପଢ଼ିଯାନ୍ତି ଯେବେ ।

 

ଜାତି କୁଳାଚାର ବୁଡ଼ିଯିବ କାହିଁ

 

ଓଡ଼ିଆ ବୋଲିଣ ଚିହ୍ନାଯିବେ ନାହିଁ ।

।୬୨।

ନିଜ ଦେଶ କଥା ଅସୁନ୍ଦର

 

ପର ଦେଶ କଥା ସକଳ ସୁନ୍ଦର ।

 

ଯେତେ ଦିନ ଯାଏ ଚଳିବ ଏ ଭବେ

 

ପରାଧୀନ ହୋଇ ବଞ୍ଚିବ ସରବେ ।

।୬୩।

ମାଢ଼ୁଆଳୀ ଜାତି କୋଟିପତି ହୋଇ

 

ଗୋଟିଏ ଚାକର ରଖନ୍ତି ତ ନାହିଁ ।

 

ତାର ନାରୀପେଷୁଥାଏ ଅଟା ନିତି

 

କରେ ବାସୀ କାମ ହୋଇ ତୋଷମତି ।

।୬୪।

ଶିକ୍ଷିତ ଓଡ଼ିଆ ଭାଇଙ୍କ ଆଦର୍ଶ

 

ପଶିଲାଣି ଏବେ ନଗରରୁ ଦେଶ ।

 

ଦଶ ଟଙ୍କା ଅବା ଭରଣେ ଯା ପାଶେ

 

ବଳି ପଡ଼ୁଅଛି ବର୍ଷ ଯାଇ ଶେଷେ ।

।୬୫।

ଖୋଜୁଅଛି ଧାନ କୁଟଣୀ ଜଣକୁ

 

ମନ ହେଉ ନାହିଁ ସେ ବାସୀ କାମକୁ ।

 

ସର୍ବନାଶ କାଳ ଆସୁଅଛି ଧାଇଁ

 

ଓଡ଼ିଆ ଜାତିଙ୍କୁ ଗିଳିଦେବା ପାଇଁ ।

।୬୬।

ଯେତେ ପରିଶ୍ରମ କରନ୍ତି ବିଦେଶେ

 

ଅଧେ ଯେବେ କରୁଥାନ୍ତେ ନିଜ ଦେଶେ ।

 

ବାଳକ ଯୁବତୀ କାହିଁକି ବିରସେ

 

ଦୁଃଖାନଳେ ଦଗ୍ଧ ହୁଅନ୍ତେ ବିଶେଷେ ?

।୬୭।

ଓଡ଼ିଆର ଯେତେ ଜମି ବାଡ଼ିଥାଏ

 

ପାଏ ସୁଦ୍ଧା ଅନ୍ୟ ଜାତିର ନ ଥାଏ ।

 

ତୋର ପରା ସ୍ୱର୍ଣ୍ଣ ପ୍ରସବିନୀ ମାତା

 

ଥାଉଁ ଥାଉଁ କିସ କରୁଅଛି ଧାତା!

।୬୮।

ଗଡ଼ଜାତ ଶୋଭା ଡେଇଁ ତୁ ଆସିଲ

 

ମୋଗଲବନ୍ଦୀର ସ୍ନିଗ୍ଧତା ଭଜିଲୁ ।

 

ବରେଶ୍ୱରେ ଯାଇ ହେଲୁ ଉପଗତ

 

ତୋ ତୀର ଶୋଭଇ ନାରୀକେଳ ଚୂତ ।

।୬୯।

ଶଙ୍କରେଶ୍ୱରଙ୍କ ମନ୍ଦିର ବେଢ଼ିଛି

 

ଜରିଗଛ ଏକ ଢାଙ୍କି ପକାଇଛି ।

 

ତୋର ବୃଦ୍ଧିବେଳେ କୁଞ୍ଜଟିଏ ଭାସି

 

ଲାଗିଛି କି ଏଥି ସ୍ରୋତବଳେ ଆସି ?

।୭୦।

ତୋ ତୀରେ ରାଜଇ ମଙ୍ଗରାଜ ଘର

 

ଅମ୍ୱୋ ବୋଲି ଗ୍ରାମ ନାମ ଅଟେ ତାର ।

 

ଚୌହାନ ବଂଶୀୟ କ୍ଷତ୍ରୀୟ ଗୋଟିଏ

 

ସେନାପତି ରୂପେ ମୋଗଲ ସମୟେ ।

।୭୧।

ଆସିଣ ପାଇଲେ ଚଉଦଟି ଗ୍ରାମ

 

ସେଠାରେ ରହିଣ ଅର୍ଜିଲେ ସୁନାମ ।

 

କାଳକ୍ରମେ ବୃଦ୍ଧି ହେବା ଯୋଗୁ ବଂଶ

 

କ୍ରମେ ହୋଇଗଲେ ଘର ପଞ୍ଚବିଂଶ ।

।୭୨।

ଅକର୍ମ୍ମା ହୋଇଣ ବସି ରହିଥାନ୍ତି

 

ବଡ଼ ବଡ଼ କଥାମାନ କହିଥାନ୍ତି ।

 

ମଙ୍ଗରାଜ ଗୃହ ପାର୍ଶ୍ୱ ବକ୍ଷ ତୋର

 

ତଳ କଡ଼ ଘନ ଜଡ଼ିତ ପଥର ।

।୭୩।

ତେଣୁ କାୟା ତୋର ହୋଇ ସଙ୍କୁଚିତ

 

ଖର ସ୍ରୋତେ ଜଳ ହୁଅଇ ର୍ନିଗତ ।

 

ଭେଳା ନଉକାର ବାହକ ସମସ୍ତେ

 

ଅତି ସାବଧାନେ ତହିଁ ଭୟ ଚିତ୍ତେ ।

।୭୪।

ତୋ ବକ୍ଷେ ଢାଳିଣ କନ୍ଦ ଗୁଡ଼ ପଣା

 

ପାର ହୋଇଯାନ୍ତି ସେ ପଥ ଅଜଣା ।

 

ଅଗାଧ ଜଳଟି ରହିଥାଏ ଯହିଁ

 

ବଡ଼ ବଡ଼ ମାଛ ବସା କରେ ତହିଁ ।

।୭୫।

ଗୋପାଳଜୀ ଦେବ ବରଡ଼ି ମଠରେ

 

ବିଜେ କରିଛନ୍ତି ତୋହର ତଟରେ ।

 

ବଳଭଦ୍ର ଦେବ ଶମଣା ଗ୍ରାମରେ

 

ବିଜେ କରିଛନ୍ତି ଜନମନ ହରେ ।

।୭୬।

Image

 

ଚତୁର୍ଥ ସର୍ଗ

ଆମ୍ୱୋଠାରୁ ବକ୍ଷ କ୍ରମେ ବିସ୍ତାରିତ

 

ଆଉ ହୋଇ ନାହିଁ କାହିଁ ସଙ୍କୁଚିତ ।

 

କେବଳ ପାଷାଣ ରୋଧେ ତୋର ଗତି

 

ଆଉ କାହାରିକି ନାହିଁ ତୋର ଭୀତି ।

।୧।

ତହୁଁ ବିସ୍ତାରିତ କରି ତୋର କାୟା

 

ଭେଟିଲୁ ଖିରିଗାଁ ସେ ବାଲି ବେରୁଆଁ ।

 

ଯହିଁ ରାଜେ ଦଧିବାମନ ମନ୍ଦିର

 

ଲକ୍ଷ୍ମୀ ରହିଥାନ୍ତି ସଦା ହୋଇ ସ୍ଥିର ।

।୨।

ଗିରି ଗ୍ରାମ ପାଢ଼ୀ ଘର ତହିଁ ରାଜେ

 

ଭାଇମାନଙ୍କର ପେଟମାନ ସାଜେ ।

 

ଲୁଗାର ଗୋଦାମ ବସିଛି ତାଙ୍କର

 

ରେଜା ଦୋକାନୀଏ କିଣନ୍ତି ଅପାର ।

।୩।

ଟଙ୍କା ଗଣିବାକୁ ଦିନ ଅଣ୍ଟେ ନାହିଁ

 

ଲୁଗା କାଢିବାକୁ ବେଳ ତହିଁ କାହିଁ ?

 

ଶତ ଶତ ଲୋକ ଧରି ଭାରମାନ

 

ପହଞ୍ଚି ଯାଆନ୍ତି ସେ ଲୁଗା ଦୋକାନ ।

।୪।

ମଦନମୋହନ ମନ୍ଦିରେ ସେମାନେ

 

ଭୋଗ ଖାଇ ରାତି କାଟି ତୋଷମନେ ।

 

ପହଞ୍ଚିବା ମାତ୍ରେ ଟଙ୍କା ଗଣି ଦ୍ୟନ୍ତି

 

ରାତି ପାହିଲେ ସେ ଲୁଗା ସଜାଡ଼ନ୍ତି ।

।୫।

ସାରା କେନ୍ଦୁଝର ମୁଲକ ଗୋଟିକ

 

ଲୁଗା କିଣିବାକୁ ଠୂଳ ତହିଁ ଲୋକ ।

 

କାରବାରେ ଅବିଶ୍ୱାସ ତାର ନାହିଁ

 

ତେଣୁ ବିଶ୍ୱାସରେ ଲୋକ ଯାଏ ତହିଁ ।

।୬।

ଲକ୍ଷ ଲକ୍ଷ ଟଙ୍କା କରି ରୋଜଗାର

 

ବହୁ ପୁରୁଷରୁ ଏକ ପରିବାର ।

 

ସମସ୍ତ ସମ୍ପତ୍ତି ରହିଛି କୋଠରେ

 

ଭାତଟିଏ ହୁଏ ପିତଳ ହାଣ୍ଡିରେ ।

।୭।

ଡାଲି ଗୋଟି ପୁଣି ତାର ସଙ୍ଗେ ହୁଏ

 

କୋଠ ଭାତୁଁ ନେଇ ଚଟୁଏ ଚଟୁଏ;

 

ନିଜ ଘରେ ଭାଇମାନେ ରାନ୍ଧିଖାନ୍ତି

 

ଦାଣ୍ଡକୁ ଏକତ୍ର ରହିଣ ଥାଆନ୍ତି ।

।୮।

ରାତ୍ରି ପ୍ରହରକ ଯାଏ ବ୍ୟବସାୟେ

 

ସଦା ରହିଥାନ୍ତି ସମସ୍ତେ ଅଥୟେ ।

 

ତା ପରେ ଭାଇଏ ଧରି ଝୁଲାମାଳ

 

ଗୋଡ଼ ହାତ ଧୋଇ ମନ୍ଦିରରେ ମେଳ ।

।୯।

ଶୁଣିଣ ଅଧ୍ୟାୟେ ଭାଗବତ ଗ୍ରନ୍ଥ

 

କୀର୍ତ୍ତନେ ମାତନ୍ତି ହୋଇ ଭାବଗ୍ରସ୍ତ ।

 

ରାତିଅଧେ ନିଜ ଗୃହକୁ ଫେରନ୍ତି

 

ଦିନ ପ୍ରହରକେ ଶଯ୍ୟାରୁ ଉଠନ୍ତି ।

।୧୦।

ବୁଝାଇଲି ମୁହିଁ ତାଙ୍କୁ ବାରମ୍ୱାର

 

ସ୍କୁଲଟିଏ କର ତୁମ୍ଭର ଗ୍ରାମର ।

 

ମୋର କଥାକୁ ତ ଉଡ଼ାଇ ଇଙ୍ଗିତେ

 

କହନ୍ତି ସେ ପାଠେ ଭୟ କାହିଁ ଚିତ୍ତେ ।

।୧୧।

ପିତା ମାତାଙ୍କୁ ସେ ମୂର୍ଖ ବୋଲି ଭାବି

 

କହିବେ କଥା ସେ ଯେପରି କି କବି ।

 

ତାଙ୍କ କଥା ଶୁଣି ପିତାମାତା ସର୍ବେ

 

ଦୀର୍ଘ ନିଶ୍ୱାସକୁ ଛାଡ଼ି ଦେଉଥିବେ ।

।୧୨।

ଧନ ଧର୍ମ୍ମ ଆଉ ରହିବ କି ଘରେ

 

ଜାତି କୁଳାଚାର ଲୋପ ତା ସଙ୍ଗରେ ।

 

କେତେ ପାଠ ପଢ଼ି ଅଛନ୍ତି ଆପଣ

 

କେତେ ଟଙ୍କା ଗଣିଦେବେ ଶୁଣେ ପୁଣ ।

।୧୩।

ଘର ଛାଡ଼ି ବୁଲାଛନ୍ତି ଏଣେ ତେଣେ

 

କୁଳାଚାର ରହିଗଲା ଘରକୋଣେ ।

 

ସେକଥା ଆମ୍ଭଙ୍କୁ ନ କହନ୍ତୁ ଆଉ

 

ଏହିପରି ଦୁଃଖେ ସୁଖେ ଦିନ ଯାଉ ।

।୧୪।

ଅନ୍ୟ ତୀରେ ଶୋଭେ ପଟୁଆରୀ ଘର

 

କରଣ ମଧ୍ୟରେ ଥିଲେ ସେ ଉଦାର ।

 

ତାଙ୍କ ପୁଣ୍ୟବଳେ ନିଜ ପୁତ୍ରମାନେ

 

ଦିନ କାଟୁଥାନ୍ତି ଅତି ସନମାନେ ।

।୧୫।

ତହୁଁ ଯାଇ ହେଲୁ ଦୋସିଆ ମୁହଁରେ

 

ଦେଉ ହାଟେ ଯାଇ ଜଳ ସର୍ବ ନରେ ।

 

ମୁଁ ଆଗ ଡଙ୍ଗାରେ ଯାଇଣ ବସନ୍ତି

 

ସର୍ବେ ଚେଷ୍ଟା କରି ବିଫଳ ହୁଅନ୍ତି ।

।୧୬।

ସମୟେ ସମୟେ ବହୁଲୋକ ଯାଇ

 

ଡଙ୍ଗା ଗର୍ଭଯାକ ଦେଇଥାନ୍ତି ଛାଇ ।

 

ବହୁ ଭାର ଯୋଗୁ ଡଙ୍ଗା ଯାଏ ବୁଡ଼ି

 

ତୋର ଗର୍ଭଗତେ ପଡ଼ିଯାଏ ରଡ଼ି ।

।୧୭।

ଦକ୍ଷିଣେ ଛାଡ଼ିଣ ସୀମା ଗଡ଼ଜାତ

 

ବାମେ କିଛି ଦୂର ହୋଇଛି ବିସ୍ତୃତ ।

 

ଦକ୍ଷିଣେ ମୁକୁନ୍ଦପୁର ଗ୍ରାମ ଗୋଟି

 

ବାମେ ଶୋଭେ କ୍ରୋଶ ଶମ୍ଭୁ ମନ୍ଦିରଟି ।

।୧୮।

ଅଟେ ତାଙ୍କ ନାମ ହାବଳଈଶ୍ୱର

 

ଗ୍ରାମ ନାମ ତାଙ୍କ ନାମରେ ଗୋଚର ।

 

ସେଠାରେ ଗୋଟିଏ ବୈଷ୍ଣବ ଆସିଣ

 

ଭିକମାଗି ବଡ଼ଦେଉଳ ଗଢ଼ିଣ ।

।୧୯।

ଠାକୁରଙ୍କ ନାମ ଦେଇଛି ବଢ଼ାଇ

 

ପାଞ୍ଚ କ୍ରୋଶ ଯାଏ କରଣୀ କାଟଇ ।

 

କୋଶେ ଦୂରୁଁ ଦିଶେ ମନ୍ଦିରର ଶୋଭା

 

ତୋର ବାଙ୍କ ଯୋଗେ ଜନମନ ଲୋଭା ।

।୨୦।

ତହୁଁ ଯାଇ ଭେଟୁ ଗହ୍ମାରିଆ ଗ୍ରାମ

 

ନିଶଙ୍କ ଚୌଧୁରୀ ଜମିଦାର ନାମ ।

 

ପ୍ରବଳ ପ୍ରତାପୀ ଥିଲେ କାଳେ ଏକ

 

ଛୟାନବେ ଗ୍ରାମେ ସେ ଅଧିନାୟକ ।

।୨୧।

ଆରମ୍ଭ ଯେଠାରେ ତୋର ବକ୍ଷ ପରେ

 

ରେଳ ସେତୁ ଥିଲା ତାଙ୍କର ନବରେ ।

 

ନିଶଙ୍କ ଉଆସ ତାକୁ ବୋଲୁଥାନ୍ତି

 

ଛତା ଧରି ଯିବା ଭୟ କରୁଥାନ୍ତି ।

।୨୨।

ଅଧକୋଶ ଯାଏ ତାଙ୍କର ଉଦ୍ୟାନ

 

ରଖିଥାନ୍ତି ପାଶେ ଶଏ ଘର ପାଣ ।

 

କେନ୍ଦୁଝର ରାଜ୍ୟେ ତାଙ୍କ ଯୋଗେ ଅରି

 

ପଶି ନ ପାରନ୍ତି ତାଙ୍କୁ ଭୟ କରି ।

।୨୩।

ଦୁଇ ଗୋଟି ଗ୍ରାମ ତାଙ୍କୁ ପୁରସ୍କାର

 

ଦେଇଥିଲେ ରାଜା ଅଛି ତୋର ତୀର ।

 

ବାମେତର ଦିଗେ ତାଙ୍କର ନବର

 

ଶୋଭାଥିଲା ତୋର ଅତଡ଼ି ଉପର ।

।୨୪।

ରେଳ ଇଲାକାର ବଙ୍ଗଳା ସେଠାରେ

 

ରାଜୁଅଛି ଏବେ ଉଚ୍ଚଭୂମି ପରେ ।

 

ତାଙ୍କର ଉଆସ ଉଠିଯିବା ବେଳେ

 

ଚଉଦ ହଜାର ଟଙ୍କା ତାଙ୍କୁ ମିଳେ ।

।୨୫।

ତାକୁ ବାଣ୍ଟି ନେବା ପାଇଁ ଚାରି ଭାଇ

 

ସବୁ ଜମିଦାରୀ ବସିଲେ ହରାଇ ।

 

ଧନ୍ୟ ମକଦ୍ଦମା ଧନ୍ୟ ସେ ଓକିଲ

 

କେତେ ବଡ଼ ଘର ପଡ଼ି ତାଙ୍କ ପାଲ ।

।୨୬।

ସର୍ବସ୍ୱ ହରାଇ ବସିଛନ୍ତି ଏବେ

 

ଏ ଦଶା ଘଟୁଛି ଶିକ୍ଷାର ଅଭାବେ ।

 

ଶିକ୍ଷାର ଅଭାବେ ସାରା ଦେଶ ଗୋଟି

 

ଜପମାଳା କଲେ ସଦା ଚାକିରିଟି ।

।୨୭।

ମୂଳାପାଳେ ଆସି ଭେଟୁ ରାଜପଥ

 

ଜଗନ୍ନାଥ ପଥ ବୋଲି ସେ ବିଦିତ ।

 

ପହଞ୍ଚିଣ ଗଲୁ ସେଠାରୁ ତୁ ଯାଇ

 

ରୋଢ଼ିଆ ଆଖୁଆ ପଦା ମଧ୍ୟ ଭୂଇଁ ।

।୨୮।

ସେଠାରେ ଅଛନ୍ତି ଶମ୍ଭୁ ଯମେଶ୍ୱର

 

ପଞ୍ଚକ୍ରୋଶ ମଧ୍ୟେ ପ୍ରତ୍ୟକ୍ଷ ଠାକୁର ।

 

ସେଠାରୁ ତୁ ହୋଇ ଗଲୁ ଦୁଇ ଭାଗ

 

ବୁଢ଼ା ବୈତରଣୀ ନାମେ ପାଇ ଯୋଗ ।

।୨୯।

ଆନିକଟ ଯୋଗେ ପ୍ରସିଦ୍ଧ ସେ ସ୍ଥାନ

 

ହୋଇଅଛି ତହିଁ ତୋ ବକ୍ଷ ବନ୍ଧନ ।

 

ବ୍ରାହ୍ମଣୀ ଗର୍ଭରୁ ଆସି ଏକ ନାଳ

 

ଭଦରଖେ ଯାଇ ହୋଇଅଛି ମେଳ ।

।୩୦।

ସେହିଠାରୁ ପୁଣି କିଆନାଳୀ ଯାଏ

 

ଯାଜପୁରେ ଏକ ନାଳ ଚାଲିଥାଏ ।

 

ବେପାରେ ସୁବିଧା କ୍ଷେତେ ଜଳଦାନ

 

ପାଇଁ ସିନା ହୋଇ ଅଛି ତା ନିର୍ମ୍ମାଣ ।

।୩୧।

ବଢ଼ି ପାଣି ବନ୍ଦ କରିଦିଏ ଯେଣୁ

 

ନାନା ସ୍ଥାନେ ଘାଇ ହୋଇଯାଏ ତେଣୁ ।

 

କେତେ ଜନପଦ ଭସାଇ ନିଅଇ

 

କ୍ଷେତେ ବାଲିରାଶି ଅଜାଡ଼ି ଦିଅଇ ।

।୩୨।

କିଆନାଳୀ ନାଳ ବୈତରଣୀ ଧାର

 

କୋଶେ ଅଛି ବଡ଼ ପଣ୍ଡାଙ୍କ ନବର ।

 

ସେ ବଡ଼ ପଣ୍ଡାଙ୍କ ସିଦ୍ଧି ଏ ଉତ୍କଳେ

 

ଅନ୍ୟ କାହିଁ ଅଛି ଦେଖି ନାହିଁ ଡୋଳେ ।

।୩୩।

ଆନନ୍ଦପୁରର ମାଳ ଗୋଟି ଯାକ

 

ଜମିଦାରୀ କୋରକରା ଯେ ତାଳକ ।

 

ଓଡ଼ିଶା ରାଜନ ଛଡ଼ା ଅନ୍ୟ କେହି

 

ଦଶାଶ୍ୱମେଧକୁ ଛତ୍ର ନେବେ ନାହିଁ ।

।୩୪।

ଏକା ସେ ଗମନ୍ତି ପୂର୍ବ ସିଦ୍ଧି ବଶେ

 

ଛତ୍ର ଉଡ଼ାଇଣ ବାରୁଣୀ ଦିବସେ ।

 

ତାଙ୍କୁ ଦେଖିବାକୁ ବହୁ ଯାତ୍ରିଗଣ

 

ଅପେକ୍ଷା କରିଣ ରହିଥାନ୍ତି ପୁଣ ।

।୩୫।

ଅଣାଇଶ ଦଶ ସହସ୍ର ବ୍ରାହ୍ମଣ

 

କାନ୍ୟକୁବ୍ଜ ଦେଶୁଁ ଯାଜପୁରେ ସ୍ଥାନ ।

 

ଦେଇଥିଲେ ତାଙ୍କୁ ଯଯାତିକେଶରୀ

 

ଦଶ ଅଶ୍ୱମେଧ ଯାଗେ ତାଙ୍କୁ ବରି ।

।୩୬।

ମାତ୍ର ସେ ସମୟେ ବଉଧ ଧରମ

 

ପ୍ରବଳ ହେବାରୁ ଫେରିଗଲା କର୍ମ୍ମ ।

 

ବଦଳାଇ ଯାଜପୁରୁ ରାଜଧାନୀ

 

ଭୁବନେଶ୍ୱରରେ ତାହା ସେ ନିର୍ମ୍ମାଣି ।

।୩୭।

ନେଇଗଲେ ସଙ୍ଗେ ନିଯୋଗୀ ବ୍ରାହ୍ମଣ

 

ଆଉ ସବୁ ରହିଗଲେ ଏହି ସ୍ଥାନ ।

 

ଯେମାନେ ରହିଲେ ତାଙ୍କରି ସମାଜ

 

ପରିଚାଳନର ଭାର ଦେଇ ରାଜ ।

।୩୮।

ବଡ଼ ପଣ୍ଡାଙ୍କୁ ସେ ପ୍ରତିନିଧି ରୂପେ

 

ମହାପାତ୍ର ପଦ ଛତ୍ର ଅନୁରୂପେ ।

 

ଜାଗିରି ସହିତ ଆଉ ସିଦ୍ଧିମାନ

 

ଦେଇ ଚାଲିଗଲେ ତହିଁ ନୃପରାଣ ।

।୩୯।

କର୍ପୂର ଗଲାଣି ପଡ଼ିଛି କନାଟି

 

ଏବେ ପ୍ରତିବର୍ଷ ଟେକିଣ ଛତ୍ରଟି ।

 

ବାରୁଣୀ ଯାତ୍ରାକୁ ଆସୁଛନ୍ତି ସେହି

 

କାଳୀ ପୂଜା ମାତ୍ରେ ଟେକ ଅଛି ରହି ।

।୪୦।

ସମୟ ଆସୁଛି ତାହା ଉଭେଇବ

 

କାଳଗତିରେ ତ ସବୁ ଲୋପ ହେବ ।

 

ତଳଗତି ପାଣି ଉଜାଣି ଉଠିବ

 

ଏ କଥା ଅଟଇ ସଦା ଅସମ୍ଭବ ।

।୪୧।

ଗଲା କଥା ଗଲା ଆଉ ନ ଫେରିବ

 

କିଛି ଦିନ ମାତ୍ର କଥା ରହିଥିବ ।

 

ବଡ଼ ପଣ୍ଡା ଘର ଉଆସ ଯେଠାରେ

 

ତାହାର ସମ୍ମୁଖେ ଶୋଭେ ଅନ୍ୟ ତୀରେ ।

।୪୨।

ମଞ୍ଜୁରି ଉଆସ ବୋଲି ତାକୁ କହି

 

ଦକ୍ଷିଣ ରାୟଙ୍କ ଜମିଦାରୀ ସେହି ।

 

ମହାନାୟକଙ୍କ ମଧ୍ୟେ ସେହି ପୂଜ୍ୟ

 

ମଞ୍ଜୁରି ନାମେଣ ଚାରି କୋଶ ରାଜ୍ୟ ।

।୪୩।

ବଡ଼ ପଣ୍ଡା ନିଜ ଉଆସ ପାଖରୁ

 

ପିତେଇପୁରର ଗ୍ରାମ ସମୀପରୁ ।

 

ଏ ମଧ୍ୟେ ତୋହର ଉଭୟ ତୀରରେ

 

କୁଳୀନ ବ୍ରାହ୍ମଣ ଘର ଶୋଭା ଧରେ ।

।୪୪।

ମଧ୍ୟରେ ମଧ୍ୟରେ କରଣ ବସତି

 

ତାଙ୍କ ସେବା ପାଇଁ ବାସ ଅନ୍ୟ ଜାତି ।

 

ଶାସନ ବ୍ୟବସ୍ଥା ସେହି ସମୟରେ

 

ନ ଥିବାରୁ ତାହା ନ ଥିଲା ଏଠାରେ ।

।୪୫।

ଇଚ୍ଛାମତେ ରହିଗଲେ ସ୍ଥାନ ବାଛି

 

ଋଷିର ଆଶ୍ରମ ପ୍ରାୟେ ଦିଶୁଅଛି ।

 

ସେଠାରୁ ଚାଲିଲୁ ଗତି କରି ଧୀରେ

 

ଦକ୍ଷିଣେ ବୁଢ଼ାଟି ବାମେ ତୋର ଧରେ ।

।୪୬।

ଏ ତ୍ରିକୋଣାକାର ଭୂମିଟି ପବିତ୍ର

 

ଜଳବାୟୁ ଫଳ ସଦା ମନୋମତ ।

 

କାଳର ଗତିରେ କାହିଁ ଲିଭିଗଲା

 

ବାହିନୀପତିଙ୍କ ଉଆସ ଯେ ଥିଲା ।

।୪୭।

ବଡ଼ ପଣ୍ଡା ପୁଣି ମଞ୍ଜୁରି ରାଜନ

 

ଆଦେଶେ ଚଳୁଣ ଥିଲେ ସର୍ବଜନ ।

 

ପ୍ରହରାଜଙ୍କର ଉଆସ ଯେପରି

 

ପ୍ରତାପେ ଯା ନାମେ ପଡ଼ୁଥିଲା ହୁରି ।

।୪୮।

କାଳିଆ ନାମରେ ଥିଲା ଏକ ପାଣ

 

ରାତିରେ ଶୋଉଣ ନ ଥିଲେଟି ଜନ ।

 

ବଡ଼ ଡକାଇତି ଦଳ ଥିଲା ସାଜି

 

ଭୟ ହୁଏ ଯାର ନାମ କର୍ଣ୍ଣେ ବାଜି ।

।୪୯।

ମରହଟ୍ଟାଙ୍କର ଶାସନ ବେଳରେ

 

ଉପଦ୍ରବ କଲା ସେ ଜନପଦରେ ।

 

କଲେକ ଘୋଷଣା ଧରି ନ ପାରିଣ

 

ଧରିବ ଯେ ହେବ ପହରେ ରାଜନ ।

।୫୦।

ପ୍ରହରାଜ ବଂଶ ତନ୍ତ୍ରରେ ନିପୁଣ

 

ଥିବାରୁ ସେ ବ୍ରହ୍ମ ବିଦ୍ୟାବଳେ ପୁଣ ।

 

ଗତି ତାର ବନ୍ଦ କରି ଦେଇ ସ୍ଥାନେ

 

ଖବର ପଠାଇ ଦେଲେ ତତକ୍ଷଣେ ।

।୫୧।

ରାଜଦୂତେ ଆସି ତାକୁ ନେଲେ ଧରି

 

ପ୍ରହରାଜ ବଂଶ ଲୋକ ନେଲେ ବରି ।

 

ପ୍ରହରେ ରାଜନ ହେବାରୁ ପଦବୀ

 

ପ୍ରହରାଜ ବୋଲି ବୋଲାଇଲେ ଭୁବି ।

।୫୨।

ପ୍ରହର ରାଜତ୍ୱ କାଳ ସମୟରେ

 

ସପତ ଶାସନ ସେ ଯାଜପୁରରେ ।

 

ବସାଇଣ ଥିଲେ ଚାରି ଗୋଟି ପୁଣ

 

ଯାଜପୁର ଚାରି ପାଖେ ଯେଉଁ ସ୍ଥାନ ।

।୫୩।

କାଳ ଗତି ତାଙ୍କ ବିଦ୍ୟା ଲୋପ କଲା

 

କଥା ମାତ୍ର ଲୋକ ମୁଖରେ ରହିଲା ।

 

ଚଇନ ପୁରରେ ଅଟେ ତାଙ୍କ ଘର

 

ଦେଖିଲେ ତାହାକୁ ଦୁଃଖ ହୁଏ ଘୋର ।

।୫୪।

କମାଗଡ଼େ ଉଚ୍ଚ କରଣ ବସତି

 

ବାର ଭାଗିଆ ଯେ ଶାସନର ସ୍ଥିତି ।

 

ତା ମଧ୍ୟେ ଅଛନ୍ତି ବେଲେଶ୍ୱର ଲିଙ୍ଗ

 

ପ୍ରସିଦ୍ଧ ହୁଅନ୍ତି ବୋଲି କ୍ରୋଶ ଲିଙ୍ଗ ।

।୫୫।

ଯାଜପୁରେ ଅଗ୍ନୀଶ୍ୱର ରହିଛନ୍ତି

 

କିଲା ଲାଟେଶ୍ୱର ଯହିଁ ଅବସ୍ଥିତି ।

 

ଏ ମଧ୍ୟ ଭୂମି ଯେ ପଞ୍ଚକ୍ରୋଶୀ ନାମ

 

ଭାରତ ମଧ୍ୟେ ଯେ ଅତି ପୁଣ୍ୟଧାମ ।

।୫୬।

ଏହିଠାରୁ ଯାଜପୁର ଯାଏ ଗତି

 

କରି ଦେଖିଅଛୁ କେତେ ପରିଣତି ।

 

କେତେ ବଡ଼ ଘର ଉତ୍ଥାନ ପତନ

 

କେତେ ବଡ଼ ଘର ତୋ ତୀରରେ ଲୀନ ।

।୫୭।

ଦୁଇ ତୀରେ ତୋର ବଡ଼ ପଣ୍ଡାମାଳ

 

ଶୋଭୁଥାଇ ଗଳେ ଅବା ପୁଷ୍ପମାଳ ।

 

ପଲାଶ ଯେ ପୁଣି ନାନା ଜାତି ଗଛ

 

ତା ମଧ୍ୟେ ପୁଟିଆ କରି ଦେଇ ପଛ ।

।୫୮।

ଉପରକୁ ବଢ଼ିଥାଏ ହୋଇ ଉଚ୍ଚା

 

ଅନ୍ୟ ବୃକ୍ଷ ତହିଁ ଦିଏ ପଛଘୁଞ୍ଚା ।

 

ମାଳପରେ ଶୋଭୁଅଛି ଗ୍ରାମମାନ

 

ନାନା ଜାତି ଗଛ ରାଜୁଥାଏ ପୁଣ ।

।୫୯।

ପଳାଶ ବାଉଁଶ ନାରୀକେଳ ଗୁଆ

 

କରଞ୍ଜ ଉଆଉ କଣ୍ଟକିତ କିଆ ।

 

ବାଇଆ ଗୋବରା କୋକିଳ ଟେଣ୍ଟେଇ

 

ପଲ ପଲ ହୋଇ ଚକୁଆ ଚକୋଇ ।

।୬୦।

ଉଡ଼ି ବସୁଥାନ୍ତି ତୋ ତୀର ବାଲିରେ

 

ପୁଣି ଉଡ଼ିଯାନ୍ତି ବିଚିତ୍ର ଗତିରେ ।

 

ଗଣେଶ୍ୱରପୁର ଗ୍ରାମେ ବିପ୍ରବର

 

ମାର୍କଣ୍ଡେୟ ଶାସ୍ତ୍ରୀ ନାମଟି ତାଙ୍କର ।

।୬୧।

ଉତ୍କଳେ ଥିଲେ ସେ ବିଖ୍ୟାତ ପଣ୍ଡିତ

 

ଅର୍ଥ ଅଜୁର୍ଥିଲେ ବୁଲି ଗଡ଼ଜାତ ।

 

ବର୍ଷକ ବୁଲିଣ ଯେ ଅର୍ଥ ପାଆନ୍ତି

 

ସବୁ ଆଣି ଦେବୀ ପୂଜାରେ ଲଗାନ୍ତି ।

।୬୨।

ଏପରି ନିର୍ଲୋଭ ବିପ୍ର ଦେଖା ନାହିଁ

 

ନିଜ ଘର ପାଇଁ କଂସା ଖଣ୍ଡେ ନାହିଁ ।

 

ଦେବୀପୂଜା ପାଇଁ ସ୍ୱର୍ଣ୍ଣ ରୌପ୍ୟ ପାତ୍ର

 

ଅନ୍ୟାନ୍ୟ ଜିନିଷ ସେଥିପାଇଁ ମାତ୍ର ।

।୬୩।

ଘର ଏକ କୋଣେ ପୂରି ରହିଥାଏ

 

କେବଳ ସେ ପାଇଁ ସିନ୍ଦୂକ ଗୋଟିଏ ।

 

ଆଉ କିଛି ଘରେ ନ ଥାଏ ସମ୍ପଦ

 

ପରିବାର ପାଇଁ ଚିନ୍ତେ ନାହିଁ ହୃଦ ।

।୬୪।

ଜନ୍ମହେବା ଦିନୁ ଏକମାତ୍ର ପୁତ୍ର

 

ସ୍ତ୍ରୀ ସଙ୍ଗ ଛାଡ଼ିଣ ବ୍ରହ୍ମଚର୍ଯ୍ୟ ବ୍ରତ ।

 

ବହୁକାଳ ତାହା ଆଚରଣ କରି

 

ଫଳ ମୂଳ ଜଳ କ୍ଷୀରେ ଦିନ ସାରି ।

।୬୫।

ବୟାଶୀ ବରଷ ପର୍ଯ୍ୟନ୍ତ ଭ୍ରମିଣ

 

ଶେଷେ ଗୃହେ ଥାଇ ବିସର୍ଜିଲେ ପ୍ରାଣ ।

।୬୬।

Image

 

ବୈତରଣୀ

ପଞ୍ଚମ ସର୍ଗ

ଯେ ଯାଜପୁରରେ ଅଟୁ ତୁ ପବିତ୍ର

 

ଶ୍ରେଷ୍ଠ କ୍ଷେତ୍ର ମଧ୍ୟେ ପୁଣି ସେହି ଖ୍ୟାତ ।

 

ତାହା ବର୍ଣ୍ଣିବାକୁ ନୁହେଁ ସାମରଥ

 

ବିରଜା କୃପାରେ ସଂକ୍ଷେପେ ଉକତ ।

।୧।

କ୍ଷେତ୍ରର ମାହାତ୍ମ୍ୟ ସମ୍ପୂର୍ଣ୍ଣରେ ଜ୍ଞାତ

 

ହେବାକୁ ଯାହାର ଇଚ୍ଛା ହେବ ଜାତ ।

 

ବ୍ରହ୍ମାଣ୍ଡ ପୁରାଣେ ବିରଜା ଚରିତ

 

ପଢ଼ିଲେ ହୋଇବ ସକଳ ବିଦିତ ।

।୨।

ବିରଜା ମାହାତ୍ମ୍ୟ କପିଳ ସଂହିତା

 

ଜନଶ୍ରୁତି ମଧ୍ୟେ ଆବଦ୍ଧ ମୋ କଥା ।

 

ଅବିମୁକ୍ତ ବିରଜସ ସିଦ୍ଧ କ୍ଷେତ୍ର

 

ଗୁପ୍ତ କ୍ଷେତ୍ର ବୋଲି ପୁରାଣରେ ଖ୍ୟାତ ।

।୩।

ନୀଳାଚଳୁଁ ଦୂର ଦ୍ୱାଦଶ ଯୋଜନ

 

ନାଭିଗୟା ଯୋଗେ ଗୁପ୍ତ ଥିଲା ସ୍ଥାନ ।

 

ବ୍ରହ୍ମା ଯାଗ କାଳେ କ୍ଷେତ୍ରର ସ୍ଥାପନ

 

ଶୁଭ ସ୍ତମ୍ଭ ରୂପେ ଗୋଟିଏ ପାଷାଣ ।

।୪।

ଥାପିଥିଲେ ବୋଲି ଲୋକରେ କଥିତ

 

ଇତିହାସେ ତାହା ଅଟେ ଅନ୍ୟମତ

 

ଯଯାତି କେଶରୀ କୀର୍ତ୍ତି ଧ୍ୱଜା ତହିଁ

 

ଉଡ଼ୁଥିଲା ବୋଲି ଲୋକେ ମଧ୍ୟ କହି ।

।୫।

ସେ ତ ଯାହା ହେଉ ପ୍ରକାଣ୍ଡ ପାଷାଣ

 

କିପରି ଆସିଲା କ୍ଷେତ୍ର ମଧ୍ୟେ ପୁଣ ।

 

ନିକଟରେ ନାହିଁ କାହିଁ ପରବତ

 

କି ବୁଦ୍ଧି ବଳରେ ସେଠାକୁ ଆନୀତ ।

।୬।

ତାହା ଦେଖି ନବ୍ୟ ଯୁଗ ବୈଜ୍ଞାନିକ

 

ଭାବି ଆଚମ୍ୱିତ ଓଡ଼ିଆ ମସ୍ତିଷ୍କ ।

 

ପୃଥିବୀ ମଧ୍ୟରେ ଏହା ଦର୍ଶନୀୟ

 

ଆଣିଥିବା ଲୋକ ଗୁଣ ବନ୍ଦନୀୟ ।

।୭।

ନବଗ୍ରହ ଥିବା କୋଣାର୍କ ପଥର

 

ଲିଙ୍ଗରାଜ ପୁଣି ସୂର୍ଯ୍ୟଙ୍କ ମନ୍ଦିର;

 

ସୂଚୀ କର୍ମ୍ମ ଶୁଭ ସ୍ତମ୍ଭରେ ପାଷାଣ

 

ଉତ୍କଳର ଟେକ ରଖିଅଛି ଜାଣ

।୮।

ମାତ୍ର ପେଡ଼ିମଧ୍ୟେ ଭାଷା ସୁସଜ୍ଜିତ

 

ବିଚିତ୍ର ରସରେ ଅତି ମଧୁରିତ ।

 

ନ ହେବାରୁ ଅନ୍ୟ ଭାଷାରେ ବିଦିତ

 

ସଭ୍ୟ ଭାଷା ମଧ୍ୟେ ହେଉ ନାହିଁ ଖ୍ୟାତ ।

।୯।

ଆଦି ରସ ବୋଲି ଘୃଣା କରେ ଲୋକ

 

ଅନ୍ୟ ଭାଷାରେ କି ନାହିଁ ସେହି ଲେଖ ?

 

ବଳି ଘାଇଠାରୁ ହୋଇ ଦୁଇ ଭାଗ

 

ବୁଢ଼ୀ ବୈତରଣୀ ନାମ ଧରି ଆଗ ।

।୧୦।

ଯଜ୍ଞ ବରାହର ନିକଟେ ଗମିଲୁ

 

ଅନ୍ୟ ପାଶ୍ୱେ ସପ୍ତ ମାତୃକା ବ୍ୟାପିଲୁ ।

 

ଅଟୁ ଗୁପ୍ତ ଗଙ୍ଗା ସେ ମଧ୍ୟ ସ୍ଥାନରେ

 

ଅତୀବ ପବିତ୍ର ବିଦିତ ଲୋକରେ ।

।୧୧।

ଯେଣୁ ତାହା ମଧ୍ୟେ ଯଯାତିକେଶରୀ

 

ଦଶ ଅଶ୍ୱମେଧ ଯାଗକୁ ଆଚରି ।

 

ସ୍ଥାପିଲେ ବାଇଶି ପାବଚ୍ଛ ଉଭୟ-

 

ତୀରେ ଦେଲେ ପାପୀ ଜନକୁ ଅଭୟ ।

।୧୨।

ଉତ୍ତରେ ବରାହ ମନ୍ଦିର ପଛରେ

 

ବହେ ବୈତରଣୀ ଧାର ଧୀରେ ଧୀରେ ।

 

ଦକ୍ଷିଣେ ଅଛନ୍ତି ସପତମାତୃକା

 

ତାଙ୍କ ପାଶ୍ୱେ ଗଣନାଥ ସିଦ୍ଧ ଏକା ।

।୧୩।

ତାହାର ଦକ୍ଷିଣେ ପ୍ରକାଣ୍ଡ ମନ୍ଦିର

 

ଜଗନ୍ନାଥ ରୂପ ଅତି ମନୋହର ।

 

କପିଳେନ୍ଦ୍ର ଦେବ ଷୋଳମ ପୁରରୁ

 

ଆଣି ଥାପିଥିଲେ ତାଙ୍କ ଆଦେଶରୁ ।

।୧୪।

ତହିଁ ଚୈତ୍ର କୃଷ୍ଣ ତ୍ରୟୋଦଶୀ ଦିନ

 

ବାରୁଣୀ ଯୋଗ ଯେ ପଡ଼ଇ ବର୍ଷେଣ ।

 

ବରାହ ମନ୍ଦିର ଦକ୍ଷିଣ ପାବଚ୍ଛ

 

ଦଶ ଅଶ୍ୱମେଧ ଘାଟ ଅଟେ ସ୍ୱଚ୍ଛ ।

।୧୫।

ବହୁଯାତ୍ରୀ ତହିଁ ସମାଗମ ହୋଇ

 

ସ୍ନାନାନ୍ତେ ବରାହ ଦର୍ଶନକୁ ଯାଇ ।

 

ଯେଉଁ ବର୍ଷେ ଅତି ଅଳ୍ପ ଜଳଥାଏ

 

କାଦୁଅରେ ଘାଣ୍ଟି ଲୋକ ହେଉଥାଏ ।

।୧୬।

ବରାହ ପଛରେ ଅଛି ସ୍ୱର୍ଗଦ୍ୱାର

 

ଯହିଁ ବୈତରଣୀ ବହୁଥାଏ ଧୀର ।

 

ତହିଁ ଯାଇ ପୁଣି ସ୍ନାନ ଆଚରନ୍ତି

 

ବରାହ ଦର୍ଶନେ ବସାକୁ ଫେରନ୍ତି ।

।୧୭।

ନାନା ଜାତି ଦ୍ରବ୍ୟ ଆଣିଣ ଦୋକାନୀ

 

ପୂର୍ବରୁ ସଜାଇ ରଖିଥାନ୍ତି ପୁଣି ।

 

ବହୁ ଦିନ ଯାଏ ହୁଏ ବିକାକିଣା

 

କିଣନ୍ତି ନୂତନ ଜିନିଷ ଅଜଣା ।

।୧୮।

ଯୁବତୀମାନେ ଯେ କାଚ ଦରପଣ

 

ମୁଦି ବଳା ପିଲାଖେଳ ଚିଜମାନ ।

 

କିଣି କଣ୍ଟ କଲାବେଳେ ଗୋଡ଼-ହାତେ

 

କଷ୍ଟେ ମୁଖଭଙ୍ଗୀ କରୁଥାନ୍ତି ଯେତେ ।

।୧୯।

କିଣି ସାରି ତାହା ଭୁଲିଣ ଯାଆନ୍ତି

 

ଆନନ୍ଦ ମନରେ ଗୃହକୁ ଫେରନ୍ତି ।

 

ବରାହ ବାମକୁ ନଦୀବକ୍ଷ ତଳେ

 

ସୌଧରାଜି ଆହା ! ଶୋଭେ ଏକମେଳେ ।

।୨୦।

କଚେରି ସମ୍ମୁଖେ ମୁକତି ମଣ୍ଡପ

 

ଯହିଁରେ ସାମନ୍ତ କୁଳୀନ ଯେ ବିପ୍ର;

 

ବାରୁଣୀ ଦିବସେ ଏକମେଳ ହୋଇ

 

ସମାଜ ବିଧାନ ବିଚାରନ୍ତି ଯହିଁ ।

।୨୧।

ଅନ୍ୟ ଦିନେ କିଏ ମାଳା ଧରି କରେ

 

ଜପ କରୁଥାଏ ଆସନ ବିଧିରେ ।

 

କାଳବଶେ ଆଫଗାନ ସେନାପତି

 

ଶବର କବର ଏବେ ରାଜେ ତଥି ।

।୨୨।

ସେତେବେଳେ ବଡ଼ ପଣ୍ଡା ବିପ୍ରେ ମିଳି

 

ଗଣ୍ଡଗୋଳ କରି ଜମିଦାର ଧରି ।

 

ଖଣ୍ଡ କେତେ ନେଲେ ସେଠାରୁ ପଥର

 

ସନ୍ଥ ମାଧବରେ ସ୍ଥାପିଲେ ସତ୍ୱର ।

।୨୩।

ଦଶ ସହସ୍ର ଯେ ମଣ୍ଡପ ନାମରେ

 

ନିର୍ମ୍ମାଣିଲେ ତାହା ଲୋକ ଉପକାରେ ।

 

ପୁରାଣ ପ୍ରଭୃତି ବିଚାରର ପାଇଁ

 

ଅଦ୍ୟାପି ସେଠାରେ ସଭା ଯେ ବସଇ ।

।୨୪।

କଚେରି ପାର୍ଶ୍ୱରେ ମସଜିଦ ବୃହତ

 

ଆବୁ ନସେରିଖାଁ ସମୟେ ନିର୍ମ୍ମିତ ।

 

ଏବେ ବିପ୍ରେ ଯାଇ କଳ୍ପବଟ ତଳେ

 

ପରଚ୍ଛିଦ୍ର ଖୋଜୁଥାନ୍ତି ସଦାବେଳେ ।

।୨୫।

ଯଯାତି ପୂର୍ବରୁ ବରାହ ସ୍ଥାପିତ

 

ବୋଲି ଏହା ଅଗ୍ନି ପୁରାଣେ ଉକତ ।

 

ସପ୍ତମାତୃକାକୁ ସାଧାରଣ ଲୋକେ

 

ଯମ ମା ସପତ ଭଗ୍ନୀ ବୋଲେ ଥୋକେ ।

।୨୬।

ପିଲାଏ ଦେଖିଲେ ସେ ମୂର୍ତ୍ତିମାନଙ୍କୁ

 

ଭୟ କରି ଯିବେ ନାହିଁ ତା ପାଖକୁ ।

 

ଅତି ବଡ଼ ଅତି ଭୟଙ୍କରୀ ମୂର୍ତ୍ତ

 

ଦେଖିଲେ ସେସବୁ ମନେ ଆସେ ଭୀତି ।

।୨୭।

ପ୍ରକାଣ୍ଡ ପଥରେ ହୋଇଣ ଖୋଦିତ

 

ଚାମୁଣ୍ଡା, ଇନ୍ଦ୍ରାଣୀ ଗଣେଶ ସମେତ ।

 

କଳିଯୁଗ ଭେଣ୍ଡା ଚାରିମୂର୍ତ୍ତି ପୁଣ

 

ଅଫିସର ସବଡ଼ିଭିଜନ ଜାଣ ।

।୨୮।

ବଙ୍ଗଳା ହତାରେ ପଡ଼ି ରହିଥିଲେ

 

ଗୃହ କରି ସରକାର ରଖାଇଲେ ।

 

ଅପୂଜା ଦେବତା ରୂପେ ବସିଛନ୍ତି

 

ଦର୍ଶକମାନଙ୍କ ମନ ତୋଷୁଥାନ୍ତି ।

।୨୯।

ଯେ କ୍ଷେତ୍ରରେ ଅଷ୍ଟ ଚଣ୍ଡୀ ରହିଛନ୍ତି

 

ଚାରି ଭଇରବ ବାସ କରିଥାନ୍ତି ।

 

ତେର ରୁଦ୍ର ବାର ମାଧବ ଯହିଁରେ

 

ତିନି ନଦୀ ସପ୍ତରେଖା ସେହିଠାରେ ।

।୩୦।

ତିନିଗୋଟି ସିଦ୍ଧ ବିବର ଅଛଇ

 

ଅଷ୍ଟ ଷଷ୍ଠୀ ତୀର୍ଥ ଧରାଧର ଥାଇ ।

 

ସପ୍ତ ସଂଖ୍ୟା ବୋଲି ପୁରାଣେ ଉକତ

 

ସେସବୁ ବର୍ଣ୍ଣନେ ବଡ଼ ହେବ ଗ୍ରନ୍ଥ ।

।୩୧।

ବେଢ଼ା ମଧ୍ୟେ ଚାରୁ ମନ୍ଦିର ଭିତରେ

 

ବରାହଙ୍କଠାରୁ କ୍ରୋଶକ ଦୂରରେ ।

 

ଜଗଦ୍ଧାତ୍ରୀ ମାତା ରଜୋଗୁଣହୀନା

 

ପତିତପାବନୀ ସର୍ବୈଶ୍ଚର୍ଯ୍ୟପୂର୍ଣ୍ଣା ।

।୩୨।

କ୍ଷେତ୍ର ଅଧିଷ୍ଠାତ୍ରୀ ଜନନୀ ବିରଜା

 

ବ୍ରହ୍ମାଗ୍ନିରୁ ଜନ୍ମି ଉଡ଼ାଇଲେ ଧ୍ୱଜା ।

 

ବେଢ଼ା ମଧ୍ୟେ ଶୋଭେ ଈଶାନ-ଈଶ୍ୱର

 

ନାଭିଗୟା କୁଣ୍ଡ ରାଜଇ ଆବର ।

।୩୩।

ଭୂଭାରତୁଁ ଯହିଁ ପିଣ୍ଡ ଦେବାଅର୍ଥେ

 

ହିନ୍ଦୁଜାତି ଯାତ୍ରୀ ଗମନ୍ତି ଏ ତୀର୍ଥେ ।

 

ଦଶ-ଅଶ୍ୱମେଧ ଘାଟରେ ଯାଇଣ

 

ଆନନ୍ଦେ କରିଣବୈତରଣୀ ଦାନ ।

।୩୪।

* ଯମଦ୍ୱାରା ଅବସ୍ଥିତ ତପ୍ତବୈତରଣୀ ପାଇ ହେବା ପାଇଁ ଏଠାରେ ଗୋଦାନ କରନ୍ତି । ଏହାକୁ ବୈତରଣୀ ଦାନ କହନ୍ତି।

ପଣ୍ଡାକୁ ଏଠାରେ ଘାଟିଆ ବୋଲନ୍ତି

 

ବହୁଦୂର ଯାଇ ଯାତ୍ରୀଙ୍କୁ ଆଣନ୍ତି ।

 

ପ୍ରକାଣ୍ଡ ପୁସ୍ତକ ତାଳପତ୍ର ଲେଖା

 

ଯଜମାନଙ୍କୁ ସେ କରାଇଣ ଦେଖା ।

।୩୫।

ସପ୍ତଠାରୁ ଏକବିଂଶ ପୁରୁଷର

 

ନାମ କରିଥାନ୍ତି ତହିଁରୁ ବାହାର ।

 

ଯଜମାନ ମନ ବୋଧ ହେବାଯାଏ

 

ଛପନ ପୁରୁଷ ବାହାରୁଣ ଥାଏ ।

।୩୬।

ସମୟେ ସମୟେ ଦୁଇ ପଣ୍ଡାଙ୍କର

 

କଳି ଲାଗିଯାଏ ଅତି ଗୁରୁତର ।

 

ନାଭିଗୟା କୁଣ୍ଡ ପାଖେ ଗଦାଧର

 

ସାକ୍ଷୀ ହୋଇଥାନ୍ତି ପିଣ୍ଡଦାନୀଙ୍କର ।

।୩୭।

ଯାଉଁଳି ବନ୍ଧରେ ଶତ ଶତ ଲିଙ୍ଗ

 

ରହିଣ ଅଛନ୍ତି ହୋଇ ଏକ ସଙ୍ଗ ।

 

ବିଶିଷ୍ଟ ହଲପ କରେ କେହି ଯେବେ

 

ସେ ସ୍ଥାନକୁ ଯାଇ କରିଥାଏ ତେବେ ।

।୩୮।

ବାବାଜୀ ଭିଖାରି ଦାସ ଏକ ଜଣ

 

କରିଥିଲେ ବେଢ଼ା ବିରଜା ର୍ନିମ୍ମାଣ ।

 

ଦୃଢ଼ ହୋଇଅଛି ଆଉ ଭାଙ୍ଗୁ ନାହିଁ

 

ମୁଷ୍ଟିଭିକ୍ଷା ବଳ ଦେଖାଯାଏ ତହିଁ ।

।୩୯।

ମହାଷ୍ଟମୀ ଅର୍ଦ୍ଧ ନିଶାରେ ଭ୍ରମଣ

 

ପାଇଁ ଏକ ରଥ ହୁଅଇ ର୍ନିମାଣ ।

 

କୋଟିଏ ଦର୍ଶନ କଲେ ନୀଳାଚଳେ

 

ଯେ ଫଳ ମିଳଇ ତାର ସଙ୍ଗେ ତୁଳେ ।

।୪୦।

ଥରେ ଯେବେ ଭାଇ କରିବ ଦର୍ଶନ

 

ମହାଷ୍ଟମୀ ନିଶି ବିରଜା ଆନନ ।

 

ଥିଲା ଏକ ଦୁର୍ଗ ବିରଜା ନିକଟେ

 

ନବରପଦା ଯେ ନାମରେ ପ୍ରକଟେ ।

।୪୧।

ବରାହ ପୂର୍ବରେ ବଜାର ମଧ୍ୟରେ

 

ଏକାଦଶ ରୁଦ୍ର ଅଛନ୍ତି ସେଠାରେ ।

 

ସଦାବର୍ତ୍ତ ମଠ ରଘୁଜି ଭୋନ୍ସଲା

 

ସମୟେ ସ୍ଥାପିତ ତାହା ହୋଇଥିଲା ।

।୪୨।

ଜଗନ୍ନାଥ ସଦାବର୍ତ୍ତ ମଠ ସେବା

 

ଖଞ୍ଜା ଯେତେ ଅଛି ତାହାଙ୍କର ଦେବା ।

 

ରାଏ ଚୟନ ଯେ ଭୋଗ ମାଧବର

 

ଖଞ୍ଜା ଖଞ୍ଜିଦେଇ ଗଲେ ଦାନବୀର ।

।୪୩।

ଗଉରାଙ୍ଗ ରାୟ ଶ୍ରୀ ଗୋବିନ୍ଦ ଏକ

 

ମୂର୍ତ୍ତ ସ୍ଥାପି ଖଞ୍ଜା ଖଞ୍ଜିଲେ ଅନେକ ।

 

ତିନି ଶତ ପଞ୍ଚଷଠି ସଂଖ୍ୟା ଗ୍ରାମ

 

ଖଞ୍ଜିଦେଇ ରଖିଗଲେ ନିଜ ନାମ ।

।୪୪।

କୁସୁମ୍ୱୀ ବୋଲିଣ ବେଶ୍ୟା ଏକ ଥିଲା

 

ହ୍ରଦ ଆକାରରେ ପୁଷ୍କରିଣୀ କଲା ।

 

କୁସୁମ୍ୱା ବୋଲି ତା ନାମ ଅଟେ ଖ୍ୟାତ

 

ପୋତା ପଡ଼ିଗଲା ନୋହି ମରାମତ ।

।୪୫।

ଡାକ୍ତରଖାନାର ନିକଟେ ରାଜଇ

 

ନାମ ମାତ୍ର ତାର ରଖିଣ ଅଛଇ ।

 

ବିରଜା ନିକଟ ଯିବାର ପଥରେ

 

ସେତୁ ଏକ ଗଢ଼ା ହୋଇଛି ପଥରେ ।

।୪୬।

ଅଠରନଳା ସେ ନାମରେ ବିଦିତ

 

ଏପରି ସେ ଦୃଢ଼ ଭାବରେ ନିର୍ମ୍ମିତ;

 

ଅଦ୍ୟାବଧି ହୋଇ ନାହିଁ ମରାମତ

 

ମନ୍ଦାକିନୀ ନଦୀ ଉପରେ ରାଜିତ ।

।୪୭।

ଖିଲାଣେ ଖୋଦିତ ବହୁ ପ୍ରତ୍ନତତ୍ତ୍ୱ

 

ରହିଛି ସେଠାରେ ହୋଇଣ ଗୁପତ ।

 

ଅଠର ନଳାର ପାର୍ଶ୍ୱରେ କେନାଲ

 

ଯିବାରୁ ଭାଙ୍ଗିଛି ଦୁଇଗୋଟି ନାଳ ।

।୪୮।

ବ୍ରହ୍ମଯଜ୍ଞୁ ଜାତ ଈଶାନ-ଈଶ୍ୱର

 

ବିରଜା ଯେ ଯଜ୍ଞ ବରାହ ଆବର ।

 

ଈଶାନ-ଈଶ୍ୱର ହୃଦୟୁଁ ଭୈରବ

 

ବିରଜା ମାନସୁ ଜାତ ଦୁର୍ଗା ନବ ।

।୪୯।

ଚତୁଃଷଷ୍ଟି ପୁଣି ଯୋଗିନୀ ସମ୍ଭୂତ

 

ବ୍ରହ୍ମାଣ୍ଡ ପୁରାଣେ ହୋଇଛି ଉକତ ।

 

ଦ୍ୱାଦଶ ମାଧବ ବିଷ୍ଣୁଙ୍କ ଶରୀରୁ

 

କ୍ଷେତ୍ରକୁ କରିଣ ଅଛନ୍ତି ସୁଚାରୁ ।

।୫୦।

ବରୁଣ-ଈଶ୍ୱର ଉତ୍ପତ୍ତି ବରୁଣ

 

ତପସ୍ୟାର ପାଇଁ ହୋଇଲେ ବରଣ ।

 

ଇନ୍ଦ୍ର ତପସ୍ୟାର ଯୋଗରୁ ଉତ୍ତର-

 

ଈଶ୍ୱର ଉତ୍ପତ୍ତି ହୋଇ କ୍ଷେତ୍ରବର ।

।୫୧।

ସେ ମୂର୍ତ୍ତି ଦକ୍ଷିଣେ ଶଚୀ ତୀର୍ଥ ରାଜେ

 

କୃଷ୍ଣ ଚତୁର୍ଦ୍ଦଶୀ ଦିନେ ସ୍ନାନେ ପୂଜେ ।

 

ତାହାର ଦକ୍ଷିଣେ ବଶିଷ୍ଠ ଯେ ତୀର୍ଥ

 

ଲୋକର ହୋଇଣ ଅଛଇ ବିଦିତ ।

।୫୨।

ବରାହ ବିରଜା ମଧ୍ୟେ ଚାରି ରେଖା

 

ବୈତରଣୀ ପଦ୍ମ-ଶଶୀ ଚିତ୍ରରେଖା ।

 

ବିରଜା ଦକ୍ଷିଣେ ତିନି ରେଖା ସାଜେ

 

ହଂସ, ଜମ୍ୱୁ, ପଦ୍ମ ରେଖାମାନ ରାଜେ ।

।୫୩।

ବେଲେଶ୍ୱର ପୁଣି କିଲା ଲାଟେଶ୍ୱର

 

ବରୁଣ-ଈଶ୍ୱର ମଧ୍ୟରେ ଆକାର ।

 

ଶକଟ ସଦୃଶ ତୀର୍ଥରାଜ ସାଜେ

 

ଏକ ଊଣା କୋଟି ଲିଙ୍ଗ ତହିଁ ବିଜେ ।

।୫୪।

ଈଶାନ-ଈଶ୍ୱର ଦକ୍ଷିଣରେ ତୀର୍ଥ

 

ମୃତ୍ୟୁଞ୍ଜୟ ନାମେ ତାହା ଅଟେ ଖ୍ୟାତ ।

 

ଅକ୍ଷୟ ତୃତୀୟା ଦିନେ ପିଣ୍ଡଦାନ

 

କର ତହିଁ ଯେବେ ବିଶ୍ୱାସ କରିଣ;

।୫୫।

ଦ୍ୱାଦଶୀ ଦିବସ ଶ୍ରାବଣ ମାସରେ

 

ତହିଁ ପିଣ୍ଡଦାନ କର ଯେବେ ଥରେ ।

 

ଗୟାତୀର୍ଥେ କଲେ ଯେ ଫଳ ଫଳଇ

 

ଏଠାରେ ତାଠାରୁ ଶତ ଗୁଣ ପାଇ ।

।୫୬।

ମଙ୍ଗଳବାରରେ ଚତୁର୍ଦ୍ଦଶୀ ଦିନ

 

ଅଷ୍ଟମୀ ଯେ ଗୁରୁବାରେ ହେଲେ ଜାଣ ।

 

ବିରଜା ଦର୍ଶନେ ମିଳେ ବିଷ୍ଣୁ ଭକ୍ତି

 

ଅଗସ୍ତି-ଈଶ୍ୱର ଦର୍ଶନରେ ମୁକ୍ତି ।

।୫୭।

ଭାଦ୍ର ପୂର୍ଣ୍ଣିମାରେ କଲେ ତାହା ମିଳେ

 

ଫାଲଗୁନ ଶୁକ୍ଳ ଏକାଦଶୀ ବେଳେ ।

 

ମାଧବ ଦର୍ଶନ ଯୋଗଟି ପ୍ରଶସ୍ତ

 

ବରାହ ଯେ ଆଖଣ୍ଡଳ ଲିଙ୍ଗସ୍ଥିତ ।

।୫୮।

ମହାପାପୀ ମଲେ ତା ମଧ୍ୟେ ମୁକତ

 

ବରାହଙ୍କ ଠାରେ ଚଇତନ୍ୟ ଗୁପ୍ତ ।

 

ପ୍ରକାଶ ହୋଇଲେ କପିଳେଶ୍ୱରରେ

 

ମଠଟିଏ ଅଛି ଅଦ୍ୟାପି ସେଠାରେ ।

।୫୯।

କପିଳ ମୁନିର ତାହା ଅଟେ ତୀର୍ଥ

 

ତହିଁ ଧର୍ମ୍ମବଟ ହୋଇଛି ରାଜିତ ।

 

ମହାପୁଣ୍ୟ ମଣିକର୍ଣ୍ଣିକାରେ ସ୍ନାନ

 

ସେ ଜଳେ ମନ୍ଦିର ଅଧା ଅଟେ ପୂର୍ଣ୍ଣ ।

।୬୦।

ବୁଡ଼ିଣ ଅଛନ୍ତି କପିଳ-ଈଶ୍ୱର

 

ଭୋଗ ନେଇ ଦେଲେ ଜଳର ଉପର ।

 

ଅସଂଖ୍ୟ ମାଗୁର କଚ୍ଛପ ସେଠାରେ

 

ଭୋଗ ଖାଉଥାନ୍ତି ଆନନ୍ଦ ମନରେ ।

।୬୧।

ଅତି ମନୋହର ଅଟେ ସେହି ସ୍ଥାନ

 

ବିରଜା ମନ୍ଦିରୁ ଅର୍ଦ୍ଧକ୍ରୋଶ ପୁଣ ।

 

ହଂସରେଖା ପାଖେ ତିଳ ଭଣ୍ଡେଶ୍ୱର

 

ଏଡ଼େ ବଡ଼ ଲିଙ୍ଗ ନାହଁ କେଉଁଠାର ।

।୬୨।

ବିରଜା ନିକଟେ ବ୍ରହ୍ମା ଯାଗ କୁଣ୍ଡ

 

ପୋଖରୀ ଆକାରେ ଅଟଇ ପ୍ରକାଣ୍ଡ ।

 

ତାର କିଛି ଦୂରେ ତ୍ରିଲୋଚନେଶ୍ୱର

 

ଦଶାନନ ଯାଗ କୁଣ୍ଡ ସେ ଠାବର ।

।୬୩।

ନଅ ହାତେ ଉଚ୍ଚ ଦେଉଳ ମଧ୍ୟରେ

 

ଅଷ୍ଟାଦଶଭୂଜା କାଳୀ ବିଜେ କରେ ।

 

ଯାଜପୁର ଯାତ୍ରୀ ଫେରି ଗଲାବେଳେ

 

ବାଟରେ ପୁଚ୍ଛନ୍ତି ଲୋକେ କୁତୂହଳେ-

।୬୪।

ନ ହାତ ଦେଉଳେ ଅଠର ହାତର

 

କାଳୀ ଦେଖିଅଛ କହ କେଉଁଠାର ?

 

ବରଜା ହାଟର ନିକଟେ ଭେଟିବ

 

ଅଗ୍ନି-ଈଶ୍ୱରଙ୍କୁ ଦର୍ଶନ କରିବ ।

।୬୫।

ଚାରି ପ୍ରହରରେ ଧରେ ଚାରିବର୍ଣ୍ଣ

 

ପୀତ, ଶୁଭ୍ର, ନୀଳ, କୃଷ୍ଣ ରଙ୍ଗମାନ ।

 

ନରହରିପୁର ଶାସନ ସୀମାରେ

 

ପ୍ରକାଣ୍ଡ ଗରୁଡ଼ ରହିଛି ମନ୍ଦିରେ ।

।୬୬।

ଶୁଭ ଖୁମ୍ବୁ ଉଡ଼ି ଆସିଣ ସେଠାରେ

 

ପଡ଼ିଛି ବୋଲିଣ କଥିତ ଲୋକରେ ।

 

ଦାଶରଥି ବିଦ୍ୟାଭୂଷଣ ନାମରେ

 

ପତି ମିଶ୍ର ଥିଲେ ନରହରିପୁରେ ।

।୬୭।

ଚାଳିଶ ବରଷ ବୟସ ପର୍ଯ୍ୟନ୍ତ,

 

ବିଭା ନୋହି ଅଧ୍ୟୟନେ ଥିଲେ ରତ ।

 

ବହୁ ପାଠ ପଢ଼ି ଦକ୍ଷିଣ ଦେଶରେ

 

ତ୍ରିପୁରସୂନ୍ଦରୀ ସାଧନ ସିଦ୍ଧିରେ ।

।୬୮।

ଶିଷ୍ୟକରି ଯାଇଥିଲେ ବହୁ ଲୋକ

 

ବ୍ରାହ୍ମଣ ମଧ୍ୟରେ କୁଳୀନ ଯେତେକ ।

 

ଦାମୋଦର ବିଦ୍ୟାବାଗୀଶ ବୋଲିଣ

 

ସ୍ୱପନପୁରରେ କୁଳୀନ ବ୍ରାହ୍ମଣ ।

।୬୯।

ଭଗବତ ଗ୍ରନ୍ଥେ ଅଧିକାରୀ ଥିଲେ

 

ଦର୍ଶନ ଶାସ୍ତ୍ରରେ ନିପୁଣ ହୋଇଲେ ।

 

ତାଙ୍କ ନିଷ୍ଠାପଣ କହିଲେ ନ ସରେ

 

ଶରୀରର ତେଜ ସଦା ମନୋହରେ ।

।୭୦।

ଶିବ ବିଦ୍ୟାରତ୍ନ ତାଙ୍କ ସମୟରେ

 

ଢେଙ୍କାନାଳ ଭାଗୀରଥ ସହିତରେ ।

 

ସଂସ୍କୃତ ବିଦ୍ୟାରେ ଥିଲେ ସେ ନିପୁଣ

 

ଦର୍ଶନ ଶାସ୍ତ୍ରରେ ଅତି ବିଚକ୍ଷଣ ।

।୭୧।

ପ୍ରଭାକର ଚୂଡ଼ାମଣୀ ନ୍ୟାୟବିତ୍

 

ଶ୍ରୀକର ଶାସ୍ତ୍ରୀ ତ ଭାରତେ ବିଦିତ ।

 

ଏମାନେ ଉତ୍କଳ ବିଖ୍ୟାତ ପଣ୍ଡିତ

 

କାଶୀକ୍ଷେତ୍ରେ ବଙ୍ଗେ ତାଙ୍କ ନାମ ଖ୍ୟାତ ।

।୭୨।

ଦାମୋଦର ବିଦ୍ୟାବାଗୀଶଙ୍କ ପୁତ୍ର

 

କାମପାଳ ନାମ ଉତ୍କଳେ ପବିତ୍ର ।

 

ତୋର କୋଳେ ଜନ୍ମି ଧନ୍ୟ କଲେ କ୍ଷେତ୍ର

 

ଆଉ କେହି ନାହିଁ ନୀଳମଣି ମାତ୍ର ।

।୭୩।

କାଳବଶେ ତାହା ହେଲା ମୃତଭାଷା

 

ଦାସ ହେଲେ ବିପ୍ରେ ଯେଣୁ କୋଳେ ଯୋଷା ।

 

କାବ୍ୟ ଖଣ୍ଡ କେତେ ପଢ଼ିଣ ପଣ୍ଡିତ

 

ବୋଲାଇଲେ ଯେଣୁ ନିଜ ଇଚ୍ଛାମତ ।

।୭୪।

ସେତକର ମଧ୍ୟ ଗୁଣ ନ ଦିଶିଲା

 

କାବ୍ୟ ଅଭିନୟ ବାଳାଠାରେ ହୋଲା ।

 

ଶୁଦ୍ଧ ଭାଷା ଖଣ୍ଡେ ଲେଖେ ନାହିଁ ଶକ୍ତି

 

ବୃଥା ଆଡ଼ମ୍ୱରେ ପଣ୍ଡିତ ବୋଲାନ୍ତି ।

।୭୫।

ତୋର କୃପାବଳେ ମାତଃ ଗୋ ବିରଜା

 

ଦେବଭାଷାମୟ ସ୍ତୋତ୍ର ମନ୍ତ୍ର ପୂଜା ।

 

ଯୋଗୁଁ ମୁଖରିତ ତୋର ପୀଠସ୍ଥାନ

 

ହୋଇଥିଲା ଏବେ ଅତି ଅଳ୍ପ ଜନ ।

।୭୬।

କାଏ ଅବା କରୁଅଛନ୍ତି ତା ଗାନ

 

ଶୁଭୂ ନାହିଁ ଆଉ ସେ ଝଙ୍କାର ପୁଣ ।

।୭୭।

ସତେକି ଫେରିବ ସେ ଯୁଗ ଭାରତେ

 

ତୋ ପୀଠ ଧ୍ୱନିତ ହେବ ପୂତ ଗୀତେ ।

 

ବ୍ରହ୍ମ ଅଗ୍ନି ଜାତା ମାତଃ ଗୋ ବିରଜା

 

ମହିଷାସୁରକୁ ମାରି ପାଇ ପୂଜା;

।୭୮।

ଶୂଳ ଲଙ୍ଗଳ ଯେ ଶୋଭଇ ହସ୍ତରେ

 

ସୁବର୍ଣ୍ଣ ଜିଣିଣ କାନ୍ତି ତନୁ ଧରେ ।

 

ଚନ୍ଦ୍ର ନାଗ ଗଣପତି ରାଜେ ଶିରେ

 

ତୋ ପୀଠ ବର୍ଣ୍ଣନା ମାନବକି ପାରେ ?

।୭୯।

ତୋହ ନିକଟରୁ ନେଉଛି ବିଦାୟ

 

କରୁଣା କରିଣ ହୋଇବୁ ସଦୟ ।

 

ମୋର ଲକ୍ଷ୍ୟସ୍ଥାନେ ଯାଇ ପହଞ୍ଚିବି

 

ଫେରିଣ ତୋ ପାଦେ ବିନୟେ ନମିବି ।

।୮୦।

Image

 

ଷଷ୍ଠ ସର୍ଗ

ବରାହଙ୍କ ତଳେ ବୁଢ଼ୀ ବୈତରଣୀ

 

ବୈତରଣୀ ସଙ୍ଗେ ଏକତ୍ରି ଗାମିନୀ ।

 

ତା ତଳେ ଥାଆନ୍ତି ମୁଗର-ଈଶ୍ୱର

 

ସେଠାରୁ ବହିଛି ଗେଙ୍ଗୁଟିର ଧାର ।

।୧।

ଗେଙ୍ଗୁଟି ଧାରରେ ତୋର ଦୁଇ କୂଳେ

 

କେତେ ଦୃଶ୍ୟ ଦେଖୁଥାଇ ନର ଡୋଳେ ।

 

ପ୍ରଭାତେ ସଧ୍ୟାହ୍ନେ ସାୟାହ୍ନେ ତୋ ତୀରେ

 

ନାନା ଜାତି ପକ୍ଷୀ କ୍ରୀଡ଼ା କୈତୁକରେ ।

।୨।

ଉଡ଼ି ଯାଉଥାନ୍ତି ବୃକ୍ଷେ ଚଉକତି

 

ପୁଣି ଆସି ତୋର ବାଲିରେ ବସନ୍ତି ।

 

କଅଁଳ ଗାଧୁଆ ବେଳରେ ଯୁବତୀ

 

କାଖେ କୁମ୍ଭ ଧରି ତୋ ତୀରେ ଆସନ୍ତି ।

।୩।

ପୂର୍ବ ରାତି କଥା ପକାଇ ହଳଦି

 

ଦେହରେ ଲଗାଇ ଖଡ଼ୁ ବଳା ମୁଦି ।

 

ମାଜୁଥାନ୍ତି ଆଣ୍ଠୁ ପରେ ହାତ ଥୋଇ

 

ଥଟ୍ଟା ପରିହାସେ ନାନା କଥା ହୋଇ ।

।୪।

ତା ପରେ ବୁଢ଼ୀଏ ଆସନ୍ତି ଗାଧୋଇ

 

ନାତି ନାତୁଣୀଙ୍କୁ ତାଙ୍କ ସଙ୍ଗେ ନେଇ

 

ପିଲାଙ୍କୁ ଗାଧୋଇ ପୋଛି ପାଛି ଦେଇ

 

କୂଳେ ଛିଡ଼ା ତାଙ୍କୁ କରିଦ୍ୟନ୍ତି ନେଇ ।

।୫।

ସେମାନେ କି ଥୟ ହୋଇଣ ବସନ୍ତି

 

ବାଲି ଜଳେ କେତେ ଖେଳ ଆରମ୍ଭନ୍ତି ।

 

ବୁଢ଼ୀଏ ଗାଧୁଆବେଳେ ପରସ୍ପରେ

 

ବୋହୂ କଥାମାନ ପଡ଼େ ନିରନ୍ତରେ ।

।୬।

ତା ପରେ ସ୍ନାନକୁ ଆସନ୍ତି ପୁରୁଷେ

 

ବିଲବାଡ଼ି କଥା ଭାଇବାଦ ଶେଷେ ।

 

ପକାଇ ଚଞ୍ଚଳ ସ୍ନାନ କରିଯାନ୍ତି

 

କୁଳାଚାର ଧର୍ମେ ମତି ନ ଦିଅନ୍ତି ।

।୭।

ଖରାବେଳେ ବାଲି ତାତିଯାଏ ଯେଣୁ

 

କେହି ଲୋକ ଦେଖା ନ ଯାଅନ୍ତି ତେଣୁ ।

 

ମାଛପରେ ଦୃଷ୍ଟି ଦେଇଣ ପକ୍ଷୀଏ

 

କିଏ ବସିଥାଏ କିଏ ଉଡ଼ୁଥାଏ ।

।୮।

ଖରାବେଳେ ମାଛ ପଦାକୁ ଉଠନ୍ତି

 

ଥଣ୍ଟେ ଚାପି ହୋଇ ଜୀବନ ହରାନ୍ତି ।

 

କାହିଁ ଜାଲ ଧରି କେଉଟେ ଡଙ୍ଗାରେ

 

ଓଟାରୁଣ ଥାନ୍ତି କୂଳକୁ ସଜୋରେ ।

।୯।

ଗୋଟା କେତେ ବଡ଼ ମାଛ ଯଦି ଧରେ

 

କେଉଟ ଆନନ୍ଦ କିଏ କଳିପାରେ ?

 

ଖରାକୁ ନ ମାନି ଭେଳା ଚାଲିଥାଏ

 

ନାଆ ଡଙ୍ଗାମାନ ଗତି କରି ଯାଏ ।

।୧୦।

ଆଗ ଆଡ଼ୁ ଯେବେ ପବନ ବହଇ

 

ତା ପଛକୁ ପଛ ଲହରି ଉଠଇ ।

 

ଡଙ୍ଗା ଦେହେ ଆସି ତାଳ ମାରୁଥାଏ

 

ତେରଛେ ତେରଛେ ଡଙ୍ଗା ଚାଲିଯାଏ ।

।୧୧।

ସାୟାହ୍ନେ ସୁନ୍ଦର ଦିଶେ ତୋର କୂଳ

 

ଜଳ ପାନ କରି ସର୍ବ ଜୀବକୁଳ ।

 

ଆସି ଜଳ ପିଇ ଆନନ୍ଦେ ଫେରନ୍ତି

 

କେହି ଅବା ଘାସ ଧୋଉଣ ଥାଆନ୍ତି ।

।୧୨।

ବେଶ ହୋଇ ତହୁଁ ଆସନ୍ତି ଅବଳା

 

ମାଙ୍ଗରେ ସିନ୍ଦୂର ଆଖି ମଧ୍ୟେ କଳା ।

 

କୁମ୍ୱେ ଜଳ ଭରି କାଖରେ ଲଦନ୍ତି

 

ସାରି ସାରି ହୋଇ ବାଲିରେ ଚାଲନ୍ତି ।

।୧୩।

ନିତମ୍ୱ ହଲାଇ ଚାଲିବା ବେଳରେ

 

ତୋର ତୀର ତହୁଁ ଅତି ଶୋଭା ଧରେ ।

 

ବାଉଁଶ କରଞ୍ଜ ଓ୍ୟାଉ ନାରୀକେଳ

 

ପଣସ ପୁଟିଆ ଖଜୁରି ଯେ ତାଳ ।

।୧୪।

ତୋର ତୀର ଶୋଭା ବଢ଼ାଉଣ ଥାଏ

 

ପକ୍ଷୀସ୍ୱନ ତହିଁ ମନ ମୋହୁଥାଏ ।

 

ସିଦ୍ଧେଶ୍ୱର ଦେବ ମନ୍ଦିର ରାଜଇ

 

ଉତ୍ତରବାହିନୀ ତୋ ଧାର ହୁଅଇ ।

।୧୫।

ବାଇଶି ପାବଚ୍ଛ ଜଳୁଁ ଉପରକୁ

 

ସୁଦ୍ଧେଶ୍ୱରୀ ଦେବୀ ମନ୍ଦିର ତଳକୁ ।

 

ଖଞ୍ଜା ହୋଇ ଶୋଭା ପାଉଅଛି ତହିଁ

 

ଅଷ୍ଟ ସିଦ୍ଧ ପୀଠ ବିରାଜିତ ଯହିଁ ।

।୧୬।

ସିଦ୍ଧେଶ୍ୱରୀ ସିଦ୍ଧେଶ୍ୱର ସିଦ୍ଧବଟ

 

ସିଦ୍ଧ ଗଣନାଥ ରାଜେ ତୋର ତଟ ।

 

ସିଦ୍ଧ ଭୈରବ ଯେ ସିଦ୍ଧ ବିମ୍ୱରଟି

 

ନ ପାଇଲି ନାମ ଆଉ ଦୁଇଗୋଟି ।

।୧୭।

ପଦ୍ମନ ତପସ୍ୟା ସ୍ଥଳ ସେ ଅଟଇ

 

ହାରୀପୁର ଗ୍ରାମ ନିକଟେ ଅଛଇ ।

 

ଗୋପୀନାଥ ଦେବ ମନ୍ଦିର ସେ ଗ୍ରାମେ

 

ଭକ୍ତି ଆସେ ମନେ ତାହାଙ୍କର ନାମେ ।

।୧୮।

ତାହାର ସମ୍ମୁଖେ ପ୍ରକାଣ୍ଡ ପଥର

 

କଟା ହୋଇ ଚାରିକୋଣିଆ ଆକାର-

 

ପଡ଼ିଛି ହେବାକୁ ମଣ୍ଡପ ସେ ସ୍ଥାନେ

 

କିପରି ଆସିଲା ଭାବି ନୋହେ ମନେ ।

।୧୯।

ପାହାଡ଼ପୁର ନାମରେ ଗ୍ରାମ ଏକ

 

ଅନ୍ୟ ପାଶ୍ୱେ ରାଜେ ତୋର ତଟଯାକ ।

 

ହରମାଧବ ଯେ ମନୋହର ମୂର୍ତ୍ତି

 

ସେ ଗ୍ରାମେ ଅଛନ୍ତି ବିପ୍ର ପୂଜେ ନିତି ।

।୨୦।

ତାହାଙ୍କ ମହିମା ଖ୍ୟାତି ଯେ ପୁରାଣେ

 

ମୁକ୍ତି ଭୂତି ଆଦି ମିଳଇ ପୂଜନେ ।

 

ଆମ୍ର ବୃକ୍ଷ ତହଁ କିଏ ଗଣିପାରେ

 

ନାରୀକେଳ ଆଦି କେତେ ଶୋଭା ଧରେ ।

।୨୧।

ସାମନ୍ତ କୁଳୀନ ବ୍ରାହ୍ମଣଙ୍କ ଘର

 

ଉଭୟ ତୀରରେ ରାଜଇ ପ୍ରଚୁର ।

 

ସିଦ୍ଧେଶ୍ୱରୀ ଦେବୀ ମନ୍ଦିର ସମ୍ମୁଖେ

 

ବସିଣ ଅଭ୍ୟାସ କରୁଥିଲେ ମୁଖେ ।

।୨୨।

ଚଣ୍ଡୀ ବଗଳା ଯେ କାଳୀଙ୍କ କପୂର୍ର

 

ସିଦ୍ଧେଶ୍ୱର ଆଗେ ମହିମ୍ନ ଆବର ।

 

ରୁଦ୍ରଚଣ୍ଡୀ ଆଉ ଆପଦ ଉଦ୍ଧାର

 

ସ୍ତବେ ହେଉଥିଲା ସେ ସ୍ଥଳୀ ମୁଖର ।

।୨୩।

ସେ ବିପ୍ରେ ଗଲେଣି ତାଙ୍କ ବଂଶଧର

 

କରିଣ ଅଛନ୍ତି ସର୍ବସ୍ୱ ଉଦର ।

 

ହତଭାଗା ଲକ୍ଷ୍ମୀଛଡ଼ା ଗାଳି ଖାଇ

 

ବିଦେଶେ କଟାଉଛନ୍ତି ଦିନ ଯାଇ ।

।୨୪।

ମାତଃ ସିଦ୍ଧେଶ୍ୱରି! ତୋର କୃପା ଊଣା

 

ହେଲା ଏବେ ସେବା ଭକ୍ତି ବିନୁ ସିନା ।

 

ଚଇତ୍ର ଶୁକଳ ଅଷ୍ଟମୀ ଦିବସେ

 

ତୋ ପାଶେ ଅଶୋକାଷ୍ଟମୀ ଯାତ୍ରା ବସେ ।

।୨୫।

ସିଦ୍ଧବଟ ତଳେ ବସିଣ ବ୍ରାହ୍ମଣେ

 

ସ୍ତବପାଠେ ସ୍ତବ୍ଧ କରିଥାନ୍ତି ଜନେ ।

 

ସକଳ ସମାଜ ଲୋକ ତହିଁ ଆସି

 

ପ୍ରଭାତେ ତୋ ତୁଠେ ସ୍ନାନ କରି ବସି ।

।୨୬।

ସଂକଳ୍ପ କରନ୍ତି ବ୍ରାହ୍ମଣ ବସାଇ

 

ପଇସାଏ ଦେଇ ତହିଁ ଚାଲିଯାଇ ।

 

ଆଠୋଟି ଅଶୋକ କଳିକା ଭକ୍ଷନ୍ତି

 

ବର୍ଷଯାଏ ଶୋକ ନ ହେବା ପାଞ୍ଚନ୍ତି ।

।୨୭।

ତାପରେ ତୋ ପୀଠେ ଦେବତା ଦର୍ଶନ

 

କରି ଭୋଗ ପାଇ ଯାତ୍ରାକୁ ଗମନ ।

 

ନାନା ଜାତି ଦ୍ରବ୍ୟ ବିକା କିଣା ହୁଏ

 

ନୂତନ ପଦାର୍ଥ କିଣା ହର୍ଷ ଦିଏ ।

।୨୮।

ଯାଜପୁର ଉଚ୍ଚ ବ୍ରାହ୍ମଣ ସମାଜ

 

ଏକ ସ୍ଥାନେ ବସିଯାନ୍ତି ହୋଇ ସଜ ।

 

କରିଣଥାଏ ଯେ ନୀଚ ବନ୍ଧୁ କାହିଁ

 

ଖୋଜା ହୋଇ ଧରା ପଡ଼ିଥାଏ ତହିଁ ।

।୨୯।

ଜରିମାନା ଦେଇ ମିଶଇ ସମାଜେ

 

ପଇସା ନ ଥିଲେ ମୁଣ୍ଡ ପୋତେ ଲାଜେ ।

 

ଏବେ ଆଉ ନାହିଁ ସମାଜ କର୍ତ୍ତୁତ୍ୱ

 

ବନ୍ଧୁ କରୁଛନ୍ତି ନିଜ ଇଚ୍ଛାମତ ।

।୩୦।

ଧାମନଗରର ମିଆଁ ଜମିଦାର

 

ଅତି ଆଡ଼ମ୍ୱରେ ପ୍ରବେଶ ସେଠାର ।

 

ସେତେବେଳେ ଖରା ପାରି ଲୋକମାନେ

 

ଘରକୁ ଫେରିବା ପାଞ୍ଚୁଥାନ୍ତି ମନେ ।

।୩୧।

ଘଡ଼ିଏ ଦେଖିଣ ତାଙ୍କ ସାଜସଜ୍ଜା

 

ଫେରୁଥାନ୍ତି ଘରେ କହି କଥା ମଜ୍ଜା ।

 

ଯାତ୍ରାଶେଷେ କୁଆ ମେଳା ମେଳା ହୋଇ

 

ପଡ଼ିଥିବା ଭୋଗ ଥଣ୍ଟେ ଖୁମ୍ପି ଖାଇ ।

।୩୨।

ଝାମ୍ପୁଣ ଥାଆନ୍ତି ଭୋଗ ନେବା ଜନେ

 

ଜଣା ଲୋକ ଗମେ ଅତି ସାବଧାନେ ।

 

ପଞ୍ଚୁ କୋଶୀ ମଧ୍ୟେ ଏ ଯାତ୍ରା ପ୍ରସିଦ୍ଧ

 

ଧରି ପହଞ୍ଚନ୍ତି ଦ୍ରବ୍ୟ ସେ ବିବିଧ ।

।୩୩।

ଛେନା ଗୁଡ଼ ଘିଅ ଦଧି ଦୁଗ୍ଧ ଫଳ

 

ସିଦ୍ଧେଶ୍ୱର ଶିରେ ଘଷେ ଦେଇ ଜଳ ।

 

ପାଦୁକ ଘେନି ଯେ ଆସନ୍ତି ପଦାକୁ

 

ଉଖୁଡ଼ା ମିଠେଇ କିଣନ୍ତି ଘରକୁ ।

।୩୪।

ସିଦ୍ଧେଶ୍ୱରୀ-ସିଦ୍ଧେଶ୍ୱରେ ଭୋଗ ଦେଇ

 

ନିଜ ପୁତ୍ର କନ୍ୟା ଶୁଭ ମନାସଇ ।

 

ଯୁବକ ଯୁବତୀ ସ୍ୱଭାବ ସୁଲଭ

 

ପ୍ରଫୁଲ୍ଲ ଭାବକୁ ଦେଖାନ୍ତି ତ ସର୍ବ ।

।୩୫।

ବାଳକ ବାଳିକା ମିଠେଇରେ ମନ

 

ନ ଦେଲେ ଭୂଇଁରେ ଲୋଟନ୍ତି କାନ୍ଦିଣ ।

 

କେତେ ମଜା କରୁଥାନ୍ତି ଜନମାନେ

 

ତାହା ବର୍ଣ୍ଣିବାକୁ ଧୈର୍ଯ୍ୟ କାହିଁ ମନେ ?

।୩୬।

ମାତଃ ସିଦ୍ଧେଶ୍ୱରି ! ଦିଅ ତୁ ବିଦାୟ

 

ତୋ ପୀଠବାସୀକୁ ହୋଇଥା ସଦୟ ।

 

ତୋର କୃପାବଳେ ମନୁଷ୍ୟପଣରେ

 

ନାମ ରଖିଯାନ୍ତୁ ଉତ୍କଳ ଦେଶରେ ।

।୩୭।

ଖଣ୍ଡାୟତ ପୁଣି ଅନେକ କରଣ

 

ଦୁଇ ତୀରେ ସୁଖେ କାଟନ୍ତି ଜୀବନ ।

 

ଦୁଇ ତୀରେ ହୁଏ ବାଲି ବୋଇତାଳୁ

 

ଟୁସୀ କଲରା ଯେ ରମ୍ଭା ଦେଶୀ ଆଳୁ ।

।୩୮।

କେତେ ଫସଲ ଯେ ହୁଅନ୍ତା କୂଳରେ

 

ଜଡ଼ତାବଶରୁ ନ ହୁଏ ହେଳାରେ ।

 

ମାତଃ ବୈତରଣି ! ତୋ ଗତି ବିଚିତ୍ର

 

ଦେଖାଉଛୁ ଲୋକେ କେତେ କେତେ ଚିତ୍ର ।

।୩୯।

ପୂର୍ବ ବର୍ଷ ଥିଲା ଯହିଁ ଗ୍ରାମ ଏକ

 

ଆଜି ସେ ସ୍ଥାନରେ ନାହିଁ କେହି ଲୋକ ।

 

ଢଳି ପଡ଼ି କାହିଁ ତରୁ ଚୂତବର

 

ଜାତ କରେ ସ୍ରୋତ ତୋ ଜଳେ ପ୍ରଖର ।

।୪୦।

କାହିଁ ଶସ୍ୟକ୍ଷେତ୍ରେ ଶସ୍ୟ ଦେଖା ନାହିଁ

 

ଶୁଭ୍ର ଦିଶୁଥାଇ ବାଲିରାଶି ତହିଁ ।

 

କାହିଁ ଦେଉଥାଉ ତୁ ପଟୁ ଅଜାଡ଼ି

 

ତହିଁରେ ଫସଲ ଶୋଭୂଥାଏ ବଢ଼ି ।

।୪୧।

ଅତଡ଼ିର କଡ଼ କାହିଁ ସ୍ରୋତେ ଧୋଇ

 

କେତେ ନୂଆ ଚିତ୍ର ଦେଖା ଯାଉଥାଇ ।

 

କେଉଁଠାରେ ମିଳେ ପୂର୍ବ କୀର୍ତ୍ତି ଚିହ୍ନ

 

କେଉଁଠାରେ ଗ୍ରାମ ଥିବା ଚିହ୍ନମାନ ।

।୪୨।

କେଉଁଠାରେ ବାଲିକୁଦ ହୋଇଥିଲା

 

ସେଠାରେ ଗଭୀର ଗଣ୍ଡ ବିରାଜିଲା ।

 

କାହିଁ ଏକ ପାଶ୍ୱେ ଧାର ତୋର ଥିଲା

 

ଅନ୍ୟ ବର୍ଷେ ଅନ୍ୟ ପାଖେ ତା ବହିଲା ।

।୪୩।

କାହିଁ ତୋର ତୀରେ ଥିଲା ଚୂତବନ

 

ଏବେ ତହିଁ ବାଲିରାଜି ବିଦ୍ୟମାନ ।

 

କେତେ କାଠାଭେଳା ତୋର ବୃଦ୍ଧିବେଳେ

 

ବାଉଁଶ ସହିତ ଭାସି ଆସେ ଜଳେ ।

।୪୪।

ଢିପେ ବସି କାହିଁ ଚରଖା* ପକାଇ

 

ଡଙ୍ଗା ବାହି କାଠ ଧରିବାର ପାଇଁ ।

 

ଲୋକଙ୍କ ଉଦବେଗ କହିହୁଏ ନାହିଁ

 

ଜୀବନ ମୂର୍ଚ୍ଛିଣ କାଠ ଧରେ ତହିଁ ।

।୪୫।

*ଚରଖା–ନଦୀ ସ୍ରୋତରେ ଭାସି ଆସୁଥିବା କାଠ ଧରିବା ପାଇଁ ବାଉଁଶ ଓ ସୁତୁଲୀରେ ତୟାର ହୋଇଥିବା ଯନ୍ତ୍ର, ଯାହାକୁ କାଠ ଉପରକୁ ପକାଇ ଟାଣି ଆଣନ୍ତି ।

ଜୀବାକା ନର୍ବାହେ ସେ ଉତ୍ସାହ ଯେବେ

 

ଦେଖା ଯାଉଥାନ୍ତା, ସର୍ବଦା କି ତେବେ ।

 

ପେଟପାଇଁ ଏତେ କଷ୍ଟ ସହୁଥାନ୍ତେ

 

ଘର ଛାଡ଼ି ପର ଦେଶେ ରହୁଥାନ୍ତେ ?

।୪୬।

ବଡ଼ ବଢ଼ି ବେଳେ ଘର ଯାଏ ଭାସି

 

କାନ୍ଦୁଥାଏ ଲୋକ ଛପରରେ ବସି ।

 

କଳ ଲୋକକୁ ସେ ଡାକ ଛାଡ଼ୁଥାଏ

 

ପିଲା ଧନ ନିଅ ମୁଁ ବୁଡ଼ିଣ ଯାଏ ।

।୪୭।

ସେ କରୁଣ ସ୍ୱନ ଯେ ଲୋକ ଶୁଣିବ

 

ଦୁଃଖ ଭୟେ ତାର ହୃଦୟ ଥରିବ ।

 

ଅତି ନିଦାରୁଣ ଲୋକ ଯେବେ ହେବ

 

ଦୟାରେ ତା ହୃଦ ନିଶ୍ଚେ ତରଳିବ ।

।୪୮।

ମାତଃ ବୈତରଣୀ ତୁ ଅତି ଦାରୁଣ

 

ବର୍ଷେ ବର୍ଷେ ହୋଇଥାଉ ତୁହି ପୁଣ ।

 

ସହସ୍ର ସହସ୍ର ଲୋକ ତୋର ପାଇଁ

 

ଖାଦ୍ୟଦ୍ରବ୍ୟଶୂନ୍ୟ ହୋଇ ବସିଥାଇ ।

।୪୯।

ତୋ ତୀରୁ ଏ ଦଶା ଘୁଞ୍ଚାଇବ କିଏ

 

ଏକମାତ୍ର ଲୋକ ମୋର ମନେ ହୁଏ ।

 

କନିକା ନୃପତି ହୋଇଲେ ସଦୟ

 

ଘୁଞ୍ଚି ଯାଇପାରେ ଏ ଦାରୁଣ ଭୟ ।

।୫୦।

ଅତି ନିନ୍ଦାରୁଣ ଶୋକ କଥାଟିଏ

 

ତୋ ତୀରେ ଘଟିଲା କାହିଁକି ଗୋ ମାଏ ।

 

ଓଡ଼ିଆ ଜାତିର ସ୍ୱାଧୀନତା ଗଲା

 

ବହୁ ଦେବ ମୂର୍ତ୍ତି ଖଣ୍ଡିଆ ହୋଇଲା ।

।୫୧।

ଗେଙ୍ଗୁଟି ତୀରରୁ ଧାମନଗରର

 

ସୀମା ଯାଏ ବ୍ୟାପେ ଗୋହିରା ଟାଙ୍ଗର

 

ତା ମଧ୍ୟରେ ପୂର୍ବ ଚାରୁ କୀର୍ତ୍ତମାନ

 

ମାଟିର ଭିତରେ ଅଛି ବିଦ୍ୟମାନ ।

।୫୨।

ଏକ ଠାବେ ଦେଖିଅଛି ମୂହିଁ ତହିଁ

 

ବୃହତ ପାଷାଣ ମୂରତିଟି ରହି ।

 

ଥିବ ମାଟି ତଳୁ ବାହାର ପଡ଼ିଛି

 

ବୁଦ୍ଧରୂପ ପରି ମନରେ ଆସଛି ।

।୫୩।

ସମ୍ଭବ ହେଉଛି ଦୁର୍ଗ ଥିଲା ତହିଁ

 

ସୈନ୍ୟଗଣ ବାସ କରୁଥିଲେ ଯହିଁ ।

 

ସ୍ୱାଧୀନତା- ରବି ହେଲା ଅସ୍ତାରିତ

 

ଅଧୀନତା-ତମ ହେଲା ବିସ୍ତାରିତ ।

।୫୪।

ଓଡ଼ିଶାର ଶେଷ ସ୍ୱାଧୀନ ରାଜନ

 

କଳାପାହାଡ଼ର ସଙ୍ଗେ ଘୋର ରଣ ।

 

କରି ହରାଇଲେ ତହିଁ ନିଜ ପ୍ରାଣ

 

ସେନାପତି ମଧ୍ୟେ ମତଭେଦୁଁ ଜାଣ ।

।୫୫।

Image

 

ସପ୍ତମ ସର୍ଗ

କିଲା ଲାଟେଶ୍ୱର ସମୀପେ ମିଳିଲୁ

 

ଶେଷ କ୍ରୋଶ ଲିଙ୍ଗ ଯାଇ ତୁ ଭେଟିଲୁ ।

 

ନିକଟେ ପିତେଇପୁର ଗ୍ରାମ ସ୍ଥିତ

 

ଯହିଁ ଅଗ୍ନିହୋତ୍ରୀ ବ୍ରାହ୍ମଣ ପୂଜିତ ।

।୧।

ଯଯାତି ଯଜ୍ଞରୁ ଅଗ୍ନି ଆଣି ଘରେ

 

ପାଞ୍ଚ କୁଣ୍ଡ କରି ରଖିଲେ ବିଧିରେ ।

 

ସେହି ଦିନଠାରୁ ଅଖଣ୍ଡ ଭାବରେ

 

ଆଜିଯାଏ ଅଗ୍ନି ଅଛି ତାଙ୍କ ଘରେ ।

।୨।

କୁମାର ପୂର୍ଣ୍ଣିମା ଦିନ ଯଜ୍ଞ ହୁଏ

 

ଆହୁତି ତ ପ୍ରତିଦିନ ଦିଆଯାଏ ।

 

ବୈଶ୍ୱଦେବ କରି ଆହୁତି ଦିଅନ୍ତି

 

ପ୍ରତିଦିନ ଏହି ବିଧି ପାଳିଥାନ୍ତି ।

।୩।

ଅଗ୍ନିହୋତ୍ରୀ ଜଣେ ଛାଡ଼ିଲେ ସଂସାର

 

ସେ ଅଗ୍ନି ମୁଖାଗ୍ନି ରୂପେ ବ୍ୟବହାର ।

 

ତାପରେ ସେ ଅଗ୍ନି ସଂସ୍କାର ହୁଅଇ

 

ବହୁ ଅର୍ଥ ସେତେବେଳରେ ଲାଗଇ ।

।୪।

ବ୍ରାହ୍ମଣଙ୍କ ଗୁରୁ ଥିବା ଯୋଗୁଁ ଘରେ

 

ଅନ୍ନ ଭୋଜନରେ ବିକାର ନ କରେ ।

 

ସବୁ ଶ୍ରେଣୀ ବିପ୍ର ଅତିଥି ହୁଅନ୍ତି

 

ପ୍ରତିଦିନ ବହୁ ଲୋକ ଅନ୍ନ ଖାନ୍ତି ।

।୫।

ଏଣୁ ଉତ୍କଳର ନରେଶ ଭାବିଣ

 

ତିନିଶ ଷାଠିଏ ବାଟି ଭୂମି ଜାଣ ।

 

ଅଠେଇଶ ଦସ୍ତି ପଦିକାରେ ପୁଣି

 

ଖଞ୍ଜି ଦେଇଥିଲେ ତାଙ୍କ ଖର୍ଚ ଜାଣି ।

।୬।

କେତେ ଗଡ଼ଜାତ ନୃପତି ଆସିଣ

 

ଅଗ୍ନିଷ୍ଟୋମ ସୋମ ଯାଗକୁ କରିଣ ।

 

ବହୁ ଅର୍ଥ ତହିଁ କରୁଥିଲେ ଦାନ

 

ଆଜି ସେମାନଙ୍କୁ ନ ମିଳଇ ଅନ୍ନ ।

।୭।

ଖଳ ପଶି ଭ୍ରାତୃବିବାଦ ଲଗାଇ

 

ସମସ୍ତ ସମ୍ପତ୍ତି ନଷ୍ଟ କରି ଦେଇ ।

 

ଜମିବାଡ଼ିମାନ ଯହୁଁ ନେଲେ କିଣି

 

ଏବେ ଜମିଦାର ବୋଲାନ୍ତି ସେ ପୁଣି ।

।୮।

ଏପରି ନିଷ୍ପର ଭୂମି କେହି କାହିଁ

 

ଜଗତେ ପାଇଛି ଦେଖା ଯାଇ ନାହିଁ ।

 

ଧନ୍ୟରେ ଉତ୍କଳ, ଧନ୍ୟ ତୋ ନୃପତି

 

ବଦାନ୍ୟତା ଗୁଣେ ଟେକାଇଛୁ ଛତି ।

।୯।

ଯମେଶ୍ୱର ଠାରୁ କିଲା ଲାଟେଶ୍ୱର

 

ଗୋଟିଏ କୁମ୍ଭୀର ନ ଥାଏ ତୋ ଧାର ।

 

ପଞ୍ଚ କ୍ରୋଶ ମଧ୍ୟେ ଏ ତୋର ମହିମା

 

ଅନ୍ୟ କାହିଁ ନାହିଁ ଦେବାକୁ ଉପମା ।

।୧୦।

ତୋର ଦୁଇ ପାଖେ ଶ୍ୟାମ ବୁଦାଶ୍ରେଣୀ

 

ତା ମଧ୍ୟରେ ଶୁଷ୍କ ବାଲିରାଶି ପୁଣି,

 

ତା ମଧ୍ୟରେ ତୋହର ନୀଳ ଜଳଧାର

 

ପିଚାପାଢ଼ୀ ଶାଢ଼ୀ ପ୍ରାୟେ ଶୋଭାକର ।

।୧୧।

ଆଖୁଆପଦାରୁ ଅରଦାଳୁଆର

 

ଅନ୍ୟ ପାଶ୍ୱେ ଗ୍ରାମ ହେସେନାବାଦର ।

 

ଉଭୟ ତୀରରେ ତରୁପନ୍ତି ଶୋଭା

 

କରିଅଛି ଅତି ଜନମନ ଲୋଭା ।

।୧୨।

ପରେ ଶୋଭା ଧରେ ପାଟ କି ବିରାଟ

 

ସେହିପରି ରୁକ୍ଷ ତୋର ଦୁଇ ତଟ ।

 

ବର୍ଷାଦିନେ ପାଟ ଜଳପୂର୍ଣ୍ଣ ଥାଏ

 

ମଧ୍ୟସ୍ଥିତ ଗ୍ରାମ ଜନେ ଦୁଃଖ ଦିଏ ।

।୧୩।

ପକ୍ଷୀମାନେ ସବୁ ଉପର ଦେଶରେ

 

ଆସି ରହିଥାନ୍ତି ଖାଦ୍ୟ ମାନସରେ ।

 

ଲୋକମାନେ ଜଳାକାଠ ଦ୍ରବ୍ୟମାନ

 

ସମ୍ପାଦି ଥାଆନ୍ତି ସେ ସମୟେ ପୁଣ ।

।୧୪।

ସମୟେ ସମୟେ ଏ ଘରୁ ସେ ଘର

 

ଯିବାପାଇଁ କଷ୍ଟ ପଡ଼ଇ ସେଠାର ।

 

ଏକ ଗ୍ରାମବାସୀ ଅନ୍ୟ ଗ୍ରାମେ ଯିବା

 

ସୁବିଧା ହୁଅଇ ଗ୍ରାମେ ଡଙ୍ଗା ଥିବା ।

।୧୫।

ସେହୁ ଚାରିମାସେ ତରକାରୀ ମୀନ

 

ପରିବା ନ ମିଳେ ଆଉ ତାହା ଭିନ୍ନ ।

 

ଖରାଦିନେ ବହୁ ମାଛ ସେ ଧରନ୍ତି

 

ଶୁଖୁଆ କରିଣ ବର୍ଷାକୁ ରଖନ୍ତି ।

।୧୬।

ସେ ସବୁ ସ୍ଥାନକୁ ଧୋଇଆ ଅଞ୍ଛଳ

 

ଲୋକେ କହିଥାନ୍ତି ନୁହଇ ଫସଲ ।

 

ଯେଉଁ ବର୍ଷ ବଢ଼ି ଆଦଉ ନ ହେବ

 

ମନ ଇଚ୍ଛା ଧାନ ସେହି ବର୍ଷ ହେବ ।

।୧୭।

ଗୋଟେ ମାତ୍ର ଗଛ ତୋ ତୀରେ ନ ଥାଏ

 

ସେ କାଳେ ତୋ ତୀର ବାରଣ ନ ଯାଏ ।

 

ତୋ ସ୍ରୋତେ ଯେତେକ କାଠି କୁଟାମାନ

 

ଭାସିଆସେ କିଛି ଲାଗେ ଗ୍ରାମେ ପୁଣ ।

।୧୮।

ସେ ସବୁ ସାଉଁଟି ଗଦା କରିଥାନ୍ତି

 

ଶୀତ ଦିନେ ତାହା କେବଳ ଜାଳନ୍ତି ।

 

ଖରାଦିନେ ଘଷି ବଡ଼ ବଡ଼ ପାରି

 

ଅଧେକ ଜାଳନ୍ତି ଅଧେ ଗଦା କରି ।

।୧୯।

ତା ପରେ ଖଣ୍ଡିଏ ଚାଳ କରିଦେଇ

 

ବର୍ଷାଦିନ ପାଇଁ ଦେଇଥାନ୍ତି ଥୋଇ ।

 

ଗୋରୁଗାଈ କଷ୍ଟ ଦେଖିଲେ ନ ସରେ

 

ବେଶୀ ଗୋରୁଗାଈ ନ ଥାନ୍ତି ସେଠାରେ ।

।୨୦।

ତଣ୍ଡି ବେଣା ଖାଇ ମଇଁଷି ପାଟରେ

 

ଜଳ ମଧ୍ୟେ ପଶି ଚରନ୍ତି ସେଠାରେ ।

 

ମଇଁଷି ରଖନ୍ତି ଆନନ୍ଦ ମନରେ

 

ତେଣୁ ଘିଅ ମିଳେ ସୁଲଭ ମୁଲ୍ୟରେ ।

।୨୧।

ବର୍ଷାଦିନେ ଗତି କଲେ ବକ୍ଷେ ତୋର

 

ଦୁଇ ପାର୍ଶ୍ୱ ଦିଶେ ସମୁଦ୍ର ପ୍ରକାର ।

 

ଅନ୍ୟ ଦିନେ ତାହା ଦିଶଇ ଭୀଷଣ

 

ତୋ ତୀରେ ନ ଥାଏ ଗ୍ରାମ ଏକ ପୁଣ ।

।୨୨।

ଏକ ଏକ ଗ୍ରାମ ଦୂରେ ଦୂରେ ଥାଏ

 

ସମୁଦ୍ର ଜାହାଜ ପରି ଦିଶୁଥାଏ ।

 

କିଛି ଦୂରେ ଯାଇ ମେଘାସନାଗତ

 

ମୟୂରଭଞ୍ଜର ସୀମାରୁ ଯେ ଜାତ ।

।୨୩।

କେନ୍ଦୁଝର ସୀମା ଭଦରଖ ମଧ୍ୟେ

 

ଗୁଆମାଳେ ଜଳ ସାଳନ୍ଦି ସୁସାଧ୍ୟେ ।

 

ଦେଇ ଭେଟେ ତିହିଁ ମଣି ଆଖଣ୍ଡଳ

 

ତୋର ସଙ୍ଗେ ଯାଇ ହୁଅଇ ସେ ମେଳ ।

।୨୪।

ଗେଙ୍ଗୁଟିର ଧାର ମିଳେ ସେ ଠାବରେ

 

ତିମୁହାଣୀ ବୋଲି ବିଦିତ ଲୋକରେ ।

 

ତିମୁହାଣୀ ବୋଲି ପଙ୍କି ତିନିତର,

 

ଗ୍ରାମ ନାମ ପଙ୍କି ଗୋପାଳ ଯେ ପୁର ।

।୨୫।

ସେଠାରୁ ତୋ ତୀର ଅଟଇ ପଙ୍କୁଆ

 

ତୋତେ ବୋଲୁଥାନ୍ତି ତେଣୁ ଜୁଆରିଆ ।

 

ଅରଦଳୁଆ ବୋଲିଣ ଗ୍ରାମ ଯାଏ ।

 

ପ୍ରତିଦିନ ଲୁଣୀ ପାଣି ଆସୁଥାଏ ।

।୨୬।

ଏପରି ପଙ୍କିଳ ତହିଁ ତୋର ତୀର

 

ଅଜଣା ଲୋକକୁ କରଇ ଅସ୍ଥିର ।

 

କୁମ୍ଭୀରର ଭୟ କମ୍ପାଏ ଦୃଦୟ

 

ଜଳେ ପଶି ସ୍ନାନେ ହୁଏ ଅତି ଭୟ ।

।୨୭।

ଆଖଣ୍ଡଳମଣି ମହିମା ଅନେକ

 

ତହିଁ ସମାଗମ ହୁଏ ବହୁ ଲୋକ ।

 

ସେ ଶମ୍ଭୁ ଅଛନ୍ତି କନିକା ସୀମାରେ

 

ସେ ସ୍ଥାନର ଶୋଭା କହିଲେ ନ ସରେ ।

।୨୮।

ତାଙ୍କ ନାମେ ପାପୀ ଅତି ଭୟ କରେ

 

ଭଦରଖ ଯାଜପୁର ଯେ ଲୋକରେ ।

 

କାଟଇ ତାଙ୍କ କରଣୀ ବହୁତ

 

ପ୍ରତିଦିନ ତହିଁ ଲୋକ ସମାଗତ ।

।୨୯।

ସମୟେ ସମୟେ ଦୂରରୁ ଆସନ୍ତି

 

ସିଦ୍ଧ ଯୋଗୀ ମଧ୍ୟେ ମଧ୍ୟେ ପହଞ୍ଚନ୍ତି ।

 

ଦୂରରୁ ମନ୍ଦିର ଅତି ମନୋହର

 

ଗ୍ରାମପ୍ରାନ୍ତେ ଦିଶେ ଜାହାଜ ଉପର ।

।୩୦।

ଅବା ରବିରଥ ମର୍ତ୍ତ୍ୟେ ଓହ୍ଲାଇଛି

 

ସୂର୍ଯ୍ୟୋଦୟେ ତାହା ଏପରି ଦିଶୁଛି ।

 

ଗ୍ରାମ ନ ଥିବାରୁ ତାହାର ନିକଟେ

 

ଏପରି ଦିଶଇ ସୁବୃହତ ପାଟେ ।

।୩୧।

ଖଞ୍ଜିଛନ୍ତି ଖଞ୍ଜା କନିକା ରାଜନ

 

ଖେଚୁଡ଼ି ଭୋଗଟି ଅତି ସ୍ୱାଦୁ ପୁଣ ।

 

ଭୋଗର ସୁସ୍ୱାଦୁ ବାସନାରେ ପୁଣି

 

ଠାକୁର ମହିମା ହୁଅଇଟି ଜାଣ ।

।୩୨।

ଭଲ ବ୍ୟବହାର କରନ୍ତି ପଣ୍ଡାଏ

 

ରାଜାଙ୍କ ଶାସନ ଭୟ ଚିତ୍ତେ ଥାଏ ।

 

ଶିବରାତ୍ରି ଦିନ ବହୁ ଲୋକ ତହିଁ

 

ଠୁଳ ହୋଇଯାନ୍ତି ଦିନରାତି ରହି ।

।୩୩।

ରାଜାଙ୍କର କଟକଣା ଯୋଗୁଁ ଯହିଁ

 

ଦର୍ଶନେ ଖାଦ୍ୟରେ ଅସୁବିଧା ନାହିଁ ।

 

ମଣିଙ୍କ ନିକଟୁ ତୋ ଗର୍ଭ ଗଭୀର

 

ସଦାବେଳେ ହୁଏ ନଉକା ସଞ୍ଚାର ।

।୩୪।

ଜାଣିଣ ଅଛନ୍ତି ତହିଁ ଲୋକମାନେ

 

ନ ଗମନ୍ତି ତୁଠ ବିନା ଅନ୍ୟ ସ୍ଥାନେ ।

 

ଏପରି ପଙ୍କିଳ ଅଟେ ତୋର ତୀର

 

ପଡ଼ିଗଲେ ଲୋକ ଠାକିବ ନିକର ।

।୩୫।

ତୋ ତୀରରୁ ଖଣ୍ଡେ ଖଣ୍ଡେ ଦୂରେ ଥାଇ

 

ଗ୍ରାମମାନ ଅତି ଶୋଭା ଦିଶୁଥାଇ ।

 

କେରୁଆ, ଓରୁଆ, ସିନ୍ଦୁରୀ ଯେ ବଳି

 

ରୁଆ ମାହାସିଠା ସୁସମ୍ବର ପୁଣି ।

।୩୬।

ହେନ୍ତାଳ, ଗରାଣି, ସିଙ୍ଗଡ଼ା ନାମରେ

 

ଗ୍ରାମମାନ ରାଜୁଥାଏ ତୋର ତୀରେ ।

 

ଲୁଣି ପାଣି ପଶିଯାଇ ଅଭାଜନ

 

ଜଳପାନେ, ତେଣୁ ନ ପିଅନ୍ତି ଜନ ।

।୩୭।

ଉତ୍କଳର ଅନ୍ୟ ସ୍ଥାନର ନଉକା

 

ତୋ ବକ୍ଷ ନଉକା ନୁହଁଇଟି ଏକା ।

 

ପଛ ମଙ୍ଗ ଗୋଲାକୃତି ହୋଇଥାଏ

 

ମଙ୍ଗଧରା ତହିଁ ଖଞ୍ଜା ରହିଥାଏ ।

।୩୮।

ଜୁଆର ଭଟାରେ ଡଙ୍ଗା ଯିବା ପାଇଁ

 

ସୁବିଧା ସେପରି କରାଯାଇ ଥାଇ ।

 

କନିକା ମଧ୍ୟରେ କୁଳୀନ ବ୍ରାହ୍ମଣ

 

ଅନେକ ଅଛନ୍ତି ରାଜଇ ଶାସନ ।

।୩୯।

ମନ୍ତପଡ଼ା ହରିହରପୁରେ ଯାଇ

 

ରାଜପୁରୋହିତେ ଘର କରିଥାଇ ।

 

କଣ୍ଟାପଡ଼ା ଡେଇଁ ଗ୍ରାମ ବଡ଼ଡିହ

 

ରାଜାଙ୍କ କଚେରୀ ଶୁଭେ ଗହଗହ ।

।୪୦।

ଖାନପଡ଼ା, ମଧୁପଡ଼ା ଡେଇଁଗଲୁ

 

ଦେଉଳରେ ଗତିଶ୍ୱରଙ୍କୁ ଭେଟିଲ ।

 

କନିକା ରାଜାଙ୍କ ପୁରୁଣା ନବର

 

ତୋର ତୀରେ ଶୋଭେ ଅତିବ ସୁନ୍ଦର ।

।୪୧।

ନାମଟି ତାହାର ଅଟେ ରିଗାଗଡ଼

 

ଜଗନ୍ନାଥ ଦେବ ମନ୍ଦିରଟି ବଡ଼ ।

 

ବହୁଜାତି ପକ୍ଷୀ ଶୀତେ ଖରାଦିନେ

 

ତୋତୀର ଫସଲେ ଆନନ୍ଦିତ ମନେ ।

।୪୨।

ବସିଣ ଥାଆନ୍ତି ଅନେକ ସମୟ

 

ବ୍ୟାଧ ଗୁଳି ଶବ୍ଦେ ଚମକି ଅଥୟ ।

 

ଆକାଶ ଛାଇଣ ତୋର ବକ୍ଷପରେ

 

ଉଡ଼ୁଥାନ୍ତି ଶୋଭା ଜନମନ ହରେ ।

।୪୩।

ରିଗାଗଡ଼ ଛାଡ଼ି ଗଞ୍ଜାରେ ନବର

 

ବସାଇ ଅଛନ୍ତି ଏବେ ନୃପବର ।

 

ନୂତନ ନବର ଅତି ଶୋଭାକର

 

ଉଦ୍ୟାନ ଅଟଇ ମନପ୍ରିତକର ।

।୪୪।

ହରିହରପୁର ଶାସନ ନିକଟେ ।

 

ତୋର ବାଙ୍କ ଅତି ଶୋଭାକୁ ପ୍ରକଟେ ।

 

ତୋ ବାମ ତୀରରୁ ସେ ବାଙ୍କ ବାଙ୍କିଛି

 

ଦିକ୍ଷିଣରେ ମାଟି ମାଡ଼ି ଆସିଛି ।

।୪୫।

ସେ ମାଟି ଉପରେ ପ୍ରକାଣ୍ଡ କୁମ୍ଭୀର

 

ସକାଳ ସନ୍ଧ୍ୟାରେ ପଡ଼େ ହୋଇ ସ୍ଥିର ।

 

ସେ ବାଙ୍କ ବୁଲିଣ ଗଲେ ଅଳ୍ପ ଦର

 

ଚାନ୍ଦବାଲି ଶୋଭେ ଅତଡ଼ି ଉପର ।

।୪୬।

Image

 

ଅଷ୍ଟମ ସର୍ଗ

ପ୍ରକୃତିସୁନ୍ଦରୀ ଗଳେ ନୀଳାହାରା

 

ମଧ୍ୟେ ଶୁଭ୍ର ହୀରା ପଦକ ପ୍ରକାର ।

 

ଶୋଭେ ତୋର ଧାର ବାଜାର ନିକଟେ

 

ବନ୍ଦରର ନାମ ଚାନ୍ଦବାଲି ଅଟେ ।

।୧।

ସମୁଦ୍ର ନିକଟୁ ବାର କୋଶ ଦୂର

 

ଅଗାଧ ଜଳ ତ ଥାଏ ତୋର ଧାର ।

 

ପୋତାଶ୍ରୟ ଗଢ଼ା ହୋଇଅଛି ତହିଁ

 

ବିଦେଶୀ ବେପାରୀ ପୋତ ଆସେ ଯହିଁ ।

।୨।

ଲୁହା କିରାସିନି ଲୁଣ ଆଦି ଯେତେ

 

ଅଜାଡ଼ି ଦିଅଇ ଆଣି ଇଚ୍ଛାମତେ ।

 

ଝୋଟ ଶସ୍ୟ ଆଦି ବହିନିଏ ଏଣୁ

 

ଉଭୟ ଦିଗରୁ ଲାଭ ପାଏ ତେଣୁ ।

।୩।

ସମୟେ ରେଙ୍ଗୁନ କଲିକତା ଠାରୁ

 

ଜାହାଜେ ଯାତ୍ରୀଏ ବସି ଆସିବାରୁ ।

 

ଅଗ୍ନିବୋଟେ ବସି ଘରେ ଯିବାବେଳେ

 

ଆଉ ନ ଆସିବେ ଭାବନ୍ତି ବିକଳେ ।

।୪।

ବାରି ଅନୁସାରେ ବୋଟ ଚାଲୁଥାଏ

 

କେନ୍ଦ୍ରାପଡ଼ା ଡେଇଁ କଟକକୁ ଯାଏ ।

 

ବିଦେଶକୁ ଥିଲା ପୂର୍ବେ ସେହି ପଥ

 

ଅନ୍ୟ ପଥ ହେଲା ଫିଟି ରେଲମାତ୍ର ।

।୫।

ସ୍ୱଦେଶେ ଜିନିଷ ସ୍ୱଦେଶୀ ବେପାରୀ

 

ବିଦେଶେ ନେଇଣ ତାହା ବିକ୍ରୀ କରି ।

 

ନିଜ ଦେଶଧନ ବଢ଼ାଉଣ ଥିଲା

 

କାହିଗଲା ତାହା ବିପରୀତ ହେଲା ।

।୬।

ବନ୍ଦର ଥିବାରୁ ଗୋଦାମ ଅନେକ

 

ବିକା କିଣା ତହିଁ କରୁଥାନ୍ତି ଲୋକ ।

 

ନାନା ବ୍ୟବସାୟୀ ବାସ କରିଥାନ୍ତି

 

ବାସିନ୍ଦା ଅଳପ ମାତ୍ର ରହିଛିନ୍ତି ।

।୭।

ସବୁ ଜାତି ଲୋକ ମିଳନ୍ତି ସେଠାର

 

କଚେରୀ କରନ୍ତି ପୋର୍ଟ ଅଫିସର ।

 

ମଧ୍ୟ ବିଦ୍ୟାଳୟ ଡାକତରଖାନା

 

ଡାକଘର ଡାକବଙ୍ଗଳା ଯେ ଥାନା ।

।୮।

ତେଣୁ ସେ ହୋଇଛି ଗୋଟିଏ ସହର

 

ନାମ ପାଇଅଛି ସ୍ୱଭାବେ ବନ୍ଦର ।

 

ରାଜଇ ତୋ ତୀରେ ସୋପାନର ଶ୍ରେଣୀ

 

ଜାହାଜଁ ନେବାକୁ ମାଲମାନ ଗଣି ।

।୯।

ତୋର ବକ୍ଷ ଚନ୍ଦ୍ର କିରଣେ ଶୋଭଇ

 

ଅନ୍ଧାରେ ଆଲୋକେ ଶୋଭୋ ପାଉଥାଇ ।

 

ଜାହାଜ ସୋପାନ ଗୋଦାମ ସଉଧ

 

ଉପରେ ଥାଇଣ ଆକାଶ ବଉଦ ।

।୧୦।

ବିଚିତ୍ର ସୌନ୍ଦର୍ଯ୍ୟ ବିକାଶୁଣଥାଏ

 

ଶୋଭା-ହାଟ ବସିଥିବାର ପରାଏ ।

 

ନୁହଇ ବଉଦ ପ୍ରତିବିମ୍ୱ ଅବା

 

ଜଳ-ଦରପଣେ ଜାହାଜ ଦିଶେ ବା ।

।୧୧।

ଗୋଟି ଗୋଟି ହୋଇ ହର୍ମ୍ମ୍ୟ ରାଜୁଥାଇ

 

ଜଳେ ଛାୟା ପଡ଼ି ମନୁକୁ ହରଇ ।

 

ଦିନରେ ଗୋଦାମେ ଉତ୍ତାପେ ତାପିତ

 

ଖାରାଦିନେ ମହାଜନେ ଅତିବ୍ୟସ୍ତ ।

।୧୨।

କାରବାର ଶେଷେ ରାତିରେ ଯାଇଣ

 

ତୋ ତୀର ସୋପାନ ଉପରେ ବସିଣ ।

 

ତୋର ଜଳସିକ୍ତ ମଧୁର ପବନ

 

ମଧୁମୟ ଶୁକ୍ଳ ଚନ୍ଦ୍ରର କିରଣ ।

।୧୩।

ଉପଭୋଗ କରି ଶାନ୍ତି ଭଜୁଥାଏ

 

ନାନା କଥା ଭାବି ନିଦ ଆସିଯାଏ ।

 

ମୂଲିଆ ବାପୁଡ଼ା କାମୁଁ ଫେରିଯାଇ

 

ଡାଲି ଚାଉଳ ଯେ ଜାଳକାଠ ନେଇ ।

।୧୪।

ସବିତା-ଉତ୍ତାପ ଭୋଗ କରି ଯାଏ

 

ଅନଳ-ଉତ୍ତାପେ ଘାଣ୍ଟି ହେଉଥାଏ ।

 

କିଛିକ୍ଷଣ ପରେ ପୁରାଇ ଉଦର

 

ତୋର ପାବଚ୍ଛରେ ପହେଞ୍ଛ ସତ୍ୱର ।

।୧୫।

ପୋଛା ପାରି ପଡିଯିବା ମାତ୍ରେ ତାର

 

ନିଦ୍ରାସୁଖ ଭୋଗେ ବ୍ୟଥିତ ଶରୀର ।

 

ପ୍ରଭାତେ ଉଠିଣ ପିଠିପରେ ନଦି

 

ବସ୍ତାମାନ ବହି ନେଉଥାଏ ନିତି ।

।୧୬।

ନିଦ୍ରା ଅଭାବରୁ କେତେ ନରନାରୀ

 

ରୋଗ ଭୋଗୁଥାନ୍ତି ଶରୀରେ ଆବରି ।

 

ଆଳସ୍ୟ ଭୋଜନ ଦୋଷୁଁ ହେଉଥାଏ

 

ପରିଶ୍ରମେ ନିଦ ଅବାଧରେ ହୁଏ ।

।୧୭।

ସକଳ ଋତୁରେ ତୋ ତୀର କର୍ମଠ

 

ରହି ନ ପାରଇ ଆଳସ୍ୟ ଯେ ଶଠ ।

 

ଭୋଜନ ଶୟନ ଗଳ୍ପେ ଯାର ମନ

 

ବତା ଅଙ୍ଗାର ଯେ ସଂସାରେ ଜାଣ ।

।୧୮।

ପରିଶ୍ରମ କେବେ ନ କରେ ଆଦର

 

ପର ଉପରେଣ କରଇ ର୍ନିଭର ।

 

ତାର ସମ ଦୋଷୀ ଆଉ କେ ଅଛଇ

 

କୁଟୁମ୍ବର ଭାର ସଦା ହୋଇଥାଇ ।

।୧୯।

କଥା କହୁଥାଏ ଅତି ଆଡ଼ମ୍ୱରେ

 

ନିଜେ ବଡ଼ ବୋଲି ଭାବଇ ସଂସାରେ ।

 

ଖଳ ବୋଲି ଲୋକ ତାହାକୁ ଭାବଇ

 

ପରଚ୍ଛିଦ୍ର ସଦା ଖୋଜି ବୁଲଥାଇ ।

।୨୦।

ପରନିନ୍ଦା ତାର ବ୍ୟବସାୟ ହୁଏ

 

ମଲା ଲୋକର ସେ ନିନ୍ଦା କରୁଥାଏ ।

 

ତାଙ୍କଠାରୁ ଯେହୁ ଜମନ ହୁଅନ୍ତି

 

ଛୋଟଘରେ ଅବା ବଢ଼ିଣ ଥାଅନ୍ତି ।

।୨୧।

ସ୍ୱଭାବ ତାଙ୍କର ନ ଛାଡ଼ଇ କେବେ

 

ବିଦ୍ୟା କର୍ମକ୍ଷେତ୍ର ବଢ଼ିଯାଏ ଯେବେ ।

 

ପରର ଅନିଷ୍ଟ ସାଧାନରେ ବ୍ରତ

 

ନିଜକୁ ମଣଇ ଗୁଣରେ ଭୂଷିତ ।

।୨୨।

ମାତ୍ର ଶେଷଫଳ ଅତି ମନ୍ଦ ହୁଏ

 

କର୍ମକୁ ଆଦରି କଷ୍ଟ ପାଉଥାଏ ।

 

ଛୋଟ ଲୋକ ସଙ୍ଗେ ବସେ ସବୁବେଳେ

 

ସାଧୁସଙ୍ଗ ନ କରଇ କେତେବେଳେ ।

।୨୩।

ନଅଙ୍କ ଦୁର୍ଭକ୍ଷେ କେତେ ନାରନାରୀ

 

ବାଳକ ବାଳିକା କଷ୍ଟ ନ ଆଦରି ।

 

ନିଜ ଜାତି ଧର୍ମ ବୁଡ଼ାଇ ଦେଇଣ

 

ବସବାସ କରି ଏକତ୍ର ରହିଣ ।

।୨୪।

ନଅଙ୍କିଆ ସାହି ବୋଲି ନାମ ଧରି

 

ଛତ୍ରଖିଆ ବୋଲି ନାମକୁ ଆବରି ।

 

ତା ମଧ୍ୟେ କେତେକ ଖାନିକୀ ହୋଇଲେ

 

କେହି ଅବା ବେଶ୍ୟାରୂପେ ଦିନ ନେଲେ ।

।୨୫।

ଏପରି କେତେକ ଅଛନ୍ତି ସେଠାରେ

 

ଜୀବିକା ଚଳାନ୍ତି ବିଦେଶୀ ଅର୍ଥରେ ।

 

ଅନ୍ୟ ପାଶ୍ୱେ ତୋର ଭୟଙ୍କର ପାଟ

 

ତା ମଧ୍ୟେ ଅଛାଇ ଏକ ପକ୍କା ବାଟ ।

।୨୬।

କନିକା ଗଡ଼କୁ ଯାଇଅଛି ସେହି

 

ରାଜଘାଟ ବୋଲି ବୋଲୁଛନ୍ତି ତହିଁ ।

 

ଚାନ୍ଦବାଲି ପାଶ୍ୱେ ତୋ ତୀରେ ଗମିଲେ

 

କେତେ ଦୃଶ୍ୟ ଦେଖୁଥାଇ ଲୋକ ଡୋଳେ ।

।୨୭।

ଭଦରଖୁଁ ଯେବେ ମୋଟର ଆସଇ

 

ଅତି ଉଚ୍ଚେ ଏକ ସିଟି ଯେ ଦିଅଇ ।

 

ତୋ ତୀରେ ଗମିବା ଲୋକର ମନରେ

 

ଜାହାଜ ଆସିବା ଭୟ ଜାତକରେ ।

।୨୮।

ସେ ଦୃଷ୍ଟି ଦିଅଇ ତୋ ବିଶାଳ ବକ୍ଷ

 

ଜାହାଜ ଆସିବା କରିଥାଏ ଲକ୍ଷ୍ୟ ।

 

ଯେ ସିଟି ଦିଅଇ ଜାହାଜ ପ୍ରବେଶେ

 

ବଜାର ଭିତରେ ଚମକ ପ୍ରକାଶେ ।

।୨୯।

ତାକୁ ଦେଖିବାକୁ ଯାଇ ତୋର ତୀରେ

 

କେତେ ଲୋକ ତହିଁ ଗଣ୍ଡଗୋଳ କରେ ।

 

ପିଲାଙ୍କ ଆନନ୍ଦ କହିଲେ ନ ସରେ

 

ଜାହାଜ ଉଠିବା ପାଇଁ ଇଚ୍ଛା କରେ ।

।୩୦।

ରାତିରେ ତୋ ବକ୍ଷେ ଜାହାଜ ଆଲୁଅ

 

ତୀରକୁ କରିଣ ଥାଏ ଶୋଭାମୟ ।

 

ଆନ୍ଦୋଳାୟମାନ ଜଳେ ବିଦ୍ୟୁରେଖା

 

ପରା ଶୋଭେ ଅବା ତାର ରଶ୍ମିରେଖା ।

।୩୧।

ଚନ୍ଦ୍ରର କିରଣ ତାର ସଙ୍ଗେ ମିଶି

 

ରତ୍ନରାଜି ପରା ଯାଉଥାଏ ଦିଶ ।

 

ତୀର ତୃଣେ ପଡ଼ି ଦିଶଇ ଯେସରି

 

ପବନେ ଝୁଲେକି ସୁବର୍ଣ୍ଣ ଚଉଁରୀ ।

।୩୨।

ଚାହିଁବା ଲୋକର ନୟନ ଝଲସି

 

ପଡ଼େ, ନ ଚାହଇଁ ଆଉ ସେ ଭରସି ।

 

ଘଡ଼ି ଘଡ଼ି ସିଟିମାନ ଦେଉଥାଏ

 

ତା ଶୁଣି ବିବିଧ କର୍ମ କରାଯାଏ ।

।୩୩।

ଜାହାଜେ ଯେତେକ ଲୋକ ରହିଥାନ୍ତି

 

ଯେତେବେଳେ ଯେଉଁ କାର୍ଯ୍ୟ କରିଯାନ୍ତି ।

।୩୪।

Image

 

ନବମ ସର୍ଗ

ଚାନ୍ଦବାଲିଠାରୁ ଧାମରା ମୁହାଣ

 

ବାରକ୍ରୋଶ ନଦୀ ମଧ୍ୟରେ ଗମନ ।

 

କିରଣ ଦେଖିଛି ଯେଉଁ ଦୃଶ୍ୟାବଳୀ

 

ଉତ୍ପତ୍ତି ସ୍ଥାନର ଶୋଭାଠାରୁ ବଳି ।

।୧।

ତାହା ବର୍ଣ୍ଣିବାକୁ ନୁହଇ ମୁଁ କ୍ଷମ

 

କେବେଳ ଦେଉଛି କେତେଗୋଟି ନାମ ।

 

ଖରସୁଆ ବ୍ରାହ୍ମୀ ତିନିକ୍ରୋଶ ଦୂରେ

 

ମିଳିତ ହୋଇଛି ତିମୁହାଣୀଠାରେ ।

।୨।

ଅଟେ ସ୍ଥାନ ନାମ ବଜ୍ର ବାସୁଳିଟି

 

ଓଡ଼ିଶା ସମ୍ପଦ ବୃଦ୍ଧିସ୍ଥାନ ସେଟି ।

 

ଉତ୍ସାହ ଉଦ‌ଯୋଗ କର୍ମଠପଣିଆ

 

ଅର୍ଥ ବଳେ ସ୍ଥାନ ଯେ ତିନିକୋଣିଆ ।

।୩।

ପୋତ ଗଢ଼ାପାଇଁ ଯୋଗ୍ୟ ସ୍ଥାନ ସିନା

 

କାହିଁ ସେହି ଯୋଗ ଈଶ କୃପା ବିନା ?

 

ଲକ୍ଷ୍ମୀନାରାୟଣ ଡିଆଁ ଡେଇଁ ଗଲେ

 

ଅସଂଖ୍ୟ ନଉକା ଚାଲେ ତୋର ଜଳେ ।

।୪।

ମାଛ ଧରିବାକୁ କିଏ ଯାଉଅଛି

 

କେନ୍ଦ୍ରାପଡ଼ା ଆଡ଼ୁ କେ ମାଲ ଆଣୁଛି ।

 

ଯାଏ ଆସେ ନୌକା ଜୁଆର ଭଟାରେ

 

ଜଣେ ଧରିଥାଏ ମଙ୍ଗଧରା କରେ ।

।୫।

ପବନର ଗତି ଦେଖି ପାଲ ଟାଣି

 

ବିନା କାତେ ନୌକା ଚାଲିଥାଏ ପୁଣି ।

 

ଜୁଆର ପାଣିଟି ତଟକୁ ଉଠିଲା-

 

ବେଳେ ଡିଆଁ ମାରୁଥାଏ ଯେ ଏଣ୍ଡୁଳା ।

।୬।

ଗଛତଳେ ସିଅ ଉପରେ ବସିଣ

 

ଅନ୍ଧାରୁଆ ବାଜ ଚିଲପକ୍ଷିଗଣ ।

 

ଥଣ୍ଟେ ଧରି ତାକୁ ଉଡ଼ିଣ ଯାଆନ୍ତି

 

ପଦାରେ ପାଟିରେ ଉଦର ପୁରାନ୍ତି ।

।୭।

ଜୁଆର ପାଣିରେ ଚେର ଧୋଇଯାଇ

 

ଗୋରଡ଼ା ପରାଏ ଗୋହିରା ଦିଶଇ ।

 

ତୃଣ ନଳ, ପାଣି-ଆମ୍ୱୁଆ ବଣିଆ

 

ଆପେ ଆପେ ହୋଇ ପବନେ ଗୁଡ଼ିଆ ।

।୮।

ସଜା ହୋଇଥିବା ବଗିଚା ପରାଏ

 

ଦୂରେ ମନୋହର ଶୋଭା ପାଉଥାଏ ।

 

ଖଜୁରିର ଭ୍ରମ ହୋନ୍ତାଳ ଜନ୍ମାଏ

 

ଡାଳେ ପକ୍ଷିପନ୍ତି ଛାଇ ହୋଇଯାଏ ।

।୯।

ଦକ୍ଷିଣେ ଶୋଭଇ କାଳିଭଞ୍ଜ ବନ

 

ବାଘ, ମୃଗ ଆଦି ବନ୍ୟ ପଶୁଗଣ ।

 

କେତେମେତେ କ୍ରୀଡ଼ା କରୁଥାନ୍ତି ତୀରେ

 

ଲୋକ ଦେଖି ବନେ ଧାଇଁଯାନ୍ତି ଖରେ ।

।୧୦।

ସୂର୍ଯ୍ୟୋଦୟେ ବାଘ ଶାବକର ଖେଳ

 

ଦେଖିଲେ ମନରେ ଜନ୍ମେ କୁତୂହଳ ।

 

ଖରା ଆସି ଯେବେ ଦେହ ଏକପାଖେ

 

ପଡ଼େ, ଡିଆଁ ମାରୁଥାଏ ମନସୁଖେ ।

।୧୧।

ଖରାରେ ତା ଛାଇ ବଡ଼ ଦିଶୁଥାଏ

 

ଚମକି ମାତାର କୋଳକୁ ପଳାଏ ।

 

ପୁଣି ଡେଇଁ ଆସି ତାକୁ ଝାମ୍ପ ମାରେ

 

ପୁଣି କି ବିଚାରି ପଳାଏ ସତ୍ୱରେ ।

।୧୨।

ସ୍ୱଭାବ ଛାଡ଼ିବ କିଏ ଏ ଭବରେ

 

ଭୟ ନାହିଁ ଅବା କାହାରି ମନରେ ।

 

କେରୁଆ ସୁନ୍ଦରୀ, ବନି ଯେ ହେନ୍ତାଳ

 

ଜାଗୁଳାଦି ବୃକ୍ଷ ଶୋଭେ ବନସ୍ଥଳ ।

।୧୩।

ଦକ୍ଷିଣେ ବୁଡ଼ାରା ନାସୀ ଶୋଭା ପାଏ

 

ଅସଂଖ୍ୟ ବିହଙ୍ଗ ରାବ କରୁଥାଏ ।

 

ବଣି, ରାଜହଂସ, ଶ୍ୱେତ ପାରାବତ

 

ହଳଦିବସନ୍ତ, କପୋତୀ କପୋତ ।

।୧୪।

ଲୋଟଣୀ, ସରାଳୀ, ଚକ୍ରବାକ, ଝିଙ୍କ

 

ଗୁହୁକାଳୀ, ବୁମ୍ଭାଟୁଆ ପୁଣି ବାଙ୍କ ।

 

କଜଳପାତୀ ଯେ ଚିତ୍ର ଗେଣ୍ଡାଳିଆ

 

କାଠିକଟା-ବଣି ପୁଣି ପାଣିକୁଆ ।

।୧୫।

କରୁର ସଫଳ, ସାରଙ୍ଗ, ଚେରଳ

 

ଡାହୁକ, କାଟିଆ, ଧୋବଣୀ, କଂସାଳ ।

 

ବାଜ, କାକତୁଆ, ବାଇଆ, ମୁନିଆ

 

ଭରତିଆ ପକ୍ଷୀ, ଗୋବରା, ଚୁଳିଆ ।

।୧୬।

କୋଚିଳାଖାଇ ଯେ ହରି କଷ୍ଟଫେଡ଼

 

କାଳିଭଞ୍ଜ ବନେ କରିଥାନ୍ତି ନୀଡ ।

 

ଉତ୍ତର ଦିଗରେ ବହେ କାଣିନଈ

 

କାଳିଭଞ୍ଜ ବନୁ ପାଣି ବହିନେଇ ।

।୧୭।

ସାଗରେ ମିଶିଲେ ସ୍ୱଭାବ ହରାଏ

 

ଦୟା କ୍ଷମା ଗୁଣ ଯଥା ମିଶିଥାଏ ।

 

ତହୁଁ ଯାଇ ହେଲି ଧାମରା ଗ୍ରାମରେ

 

ଧାମରାଇ ଦେବୀ ଯହିଁ ବିଜେ କରେ ।

।୧୮।

ମନ୍ଦର ନିକଟେ ବ୍ୟାପେ ତୋର ଜଳ

 

ନୀଳ ଦରପଣ ପ୍ରାୟ ଅବିକଳ ।

 

ଗଉଡ଼ ସେବକ ଛଡ଼ା ଅନ୍ୟ କେହି

 

ଧାମରା ଗ୍ରାମରେ ନ ଥାନ୍ତିଟି ରହି ।

।୧୯।

ଅତି ନିଦାରୁଣ ଅଟଇ ସେ ସ୍ଥାନ

 

ଜନବାସ ପକ୍ଷେ ନୁହଇ ଭାଜନ ।

 

ମହିଷ ଚରିବା ସୁବିଧା ହୁଅଇ

 

ସେ ହେତୁ ଗୋପାଳେ ବାସ କରିଥାଇ ।

।୨୦।

ପ୍ରତି ମାସେ ଦେବୀ ଋତୁ ସ୍ନାନ ଲୁଗା

 

ଆଣିଦିଏ ଧୋବା କାଚିଣ ଅଲଗା ।

 

ଏଣୁ ନାରୀସେବା କରଇ ସେଠାରେ

 

ଏ ବିଧି* ଅଛଇ ବରୁଣେଇଠାରେ ।

।୨୧।

 

* ଏପରି ବିଧି ଖୋର୍ଦ୍ଧା ବରୁଣେଇ ଦେବୀଙ୍କଠାରେ ଥିବାର ଶୁଣାଯାଏ ।

 

ଯେତେକ ନଉକା ସେ ବାଟେ ଗମଇ

 

ଦେବୀପାଇଁ ଭୋଗ ନ ଦେଲେ ନ ଯାଇ ।

 

ଦୁଇ ହାତ ଉଚ୍ଚ ପାଷାଣର ମୂର୍ତ୍ତି

 

ଛୋଟ ମନ୍ଦିରରେ ଅଟେ ଅବସ୍ଥିତି ।

।୨୨।

ଦେବୀର ମନ୍ଦିର ନିକଟେ ବସିଲେ

 

କେତେ ଜଳଚର କ୍ରୀଡ଼ା କରେ ଜଳେ ।

 

ଶିଶୁମ୍ୱର ଯେବେ ଉପରକୁ ଭାସେ

 

ମହିଷର ପୃଷ୍ଠ ପରାୟେ ଆଭାସେ ।

।୨୩।

ସାଙ୍କୁଚ ମଗର କୁମ୍ଭୀର ଯେତେକ

 

ଖଙ୍ଗା ଭେକଟିଙ୍କି ତଡନ୍ତି ଅନେକ ।

 

କେହି ବା ପବନ ପାଇଁ ଉପରକୁ

 

ଉଠଇ, ବୁଡ଼ଇ ଜଳର ମଧ୍ୟକୁ ।

।୨୪।

ବଡ଼ ଜୀବ ଯେତେ ଛୋଟକୁ ମାରିଣ

 

ଉଦର ପୂରାନ୍ତି ଏ ବିଧି ବିଧାନ ।

 

ତୋର କୃପା ଯୋଗୁଁ ମାତଃ ଧାମରାଇ

 

ଆଉ ଥରେ ଲେଖନୀରେ ମୁଁ ନମଇ ।

।୨୫।

ନୁହଇ ମୁଁ କବି ନୁହଇ ପଣ୍ଡିତ

 

ତୋର କୃପା ଯୋଗୁଁ ଗାଇଲି ଏ ଗୀତ ।

 

ହୋଇବ ଉତ୍କଳେ ତୋର କୃପା ଯେବେ

 

ଶିକ୍ଷିତ ଯୁବକେ ପଦେ ନମି ତେବେ ।

।୨୬।

ନିଜ ପୋତ ନେଇ ବିଦେଶେ ଗମନ

 

ଉତ୍କଳ ବେପାରେ ଧ୍ୱଜା ଉଡ଼ାଇଣ ।

 

ଫେରିବା ବେଳରେ ତୋ ପାଶେ ଭେଟିବେ

 

ନୂଆଫଳ ଯେତେ ସଙ୍ଗେ ଆଣିଥିବେ ।

।୨୭।

ମାଗୁଣି ମୋହର ଏତିକି ତୋ ପାଦେ

 

ଉତ୍କଳ-ଉନ୍ନତି ଇଚ୍ଛଇ ଯେ ହୃଦେ ।

 

ଦାନ-ବାରି ଯାର ବର୍ଷି ଅବିରତ

 

ଉତ୍କଳ-ଚାତକେ କରଇଟି ତୃପ୍ତ ।

।୨୮।

ଅଟନ୍ତି ସେ ଗଡ଼ଜାତ ନୃପବୃନ୍ଦ

 

କୃପା କରି ବିଜେ ହୁଅ ତାଙ୍କ ହୃଦ ।

 

ନିଜ ନିଜ ଅର୍ଥ କରି ଏକ ଠୁଳ

 

ଯୌଥ କାରବାର ଶିଖାନ୍ତୁ ସକଳ ।

।୨୯।

ଉତ୍କଳ-ଶିକ୍ଷିତ ଯୁବକ ଯେତେକ

 

ପୋତ ନେଇ ଗତି କରନ୍ତୁ କେତେକ ।

 

କେତେକ ସ୍ୱଦେଶେ ସଂଗ୍ରହେ ରହିଣ

 

ଗୋଦାମେ ଜମାନ୍ତୁ ଭଲ ଭଲ ପଣ୍ୟ ।

।୩୦।

ଉତ୍କଳ ଗଗନ କରନ୍ତୁ ଉଜ୍ୱଳ

 

ଉତ୍କଳର ଜଳେ ଫୁଟୁ ସ୍ୱର୍ଣ୍ଣ ଫୁଲ ।

 

ଜାଭା ବାଲି ଦ୍ୱୀପ ଭାଇଙ୍କ ସଙ୍ଗରେ

 

ଯାଇଣ ମିଶନ୍ତୁ ସରସ ମନରେ ।

।୩୧।

ସମୁଦ୍ର କୂଳରେ କନିକା ସୀମାରେ

 

ସାତ ଭାଇଆ ଯେ ଠାକୁରାଣୀଠାରେ ।

 

ଅସୀମ ଶୋଭାର ବସିଥାଏ ହାଟ

 

ପକ୍ଷୀମାନେ ତହିଁ କରୁଥାନ୍ତି ନାଟ ।

।୩୨।

ବାଲିରେ ବଜାଇ ଊର୍ମି କରତାଳ

 

ବାଦ୍ୟ ବଜାଉଛି ଲହରୀ ସକଳ ।

 

ବିରାମ ତାହାର ନାହିଁ କେତେବେଳେ

 

ଝଟକି ପଡ଼ଇ ଚାହିଁଦେଲେ ଡୋଳେ ।

।୩୩।

ଲହରୀ ଲୋଟଣୀ ଭାଙ୍ଗିବା ଦେଖିଲେ

 

ଅସ୍ଥିର ହୁଅଇ ମାନସ ବିହ୍ୱଳେ ।

 

ମାତଃ ବୈତରଣୀ ! ତୋହର ମିଳନ

 

ସ୍ଥାନ ଆଉ ନାହିଁ ବେଶୀ ଦୂର ପୁଣ ।

।୩୪।

ଅଦୂରେ ଶୋଭଇ ଚଣ୍ଡୀପାଳ ନାସୀ

 

ଉତ୍ତରେ ମହିଷି-ଷଣ୍ଢ ଚରେ ଆସି ।

 

ତନ୍ତୀ ଘାସ, ଧାନ ଗଛର ପରାୟେ

 

ନାସୀ ମଧ୍ୟେ ରହି ଶୋଭା ପାଉଥାଏ ।

।୩୫।

କଇଁସାରୀ ଲଟା ବାଲିର ମଧ୍ୟକୁ

 

ମାଡ଼ି ଆସିଥାଏ ତୋତେ ଭେଟିବାକୁ ।

 

ଚାହିଁଦେଲେ ତାର ରଙ୍ଗ ବର୍ଣ୍ଣ ଫୁଲ

 

ମନ ହେଉଥାଏ ନିରତ ପ୍ରଫୁଲ୍ଲ ।

।୩୬।

ସମ୍ମୁଖେ ବୃହତ ବାଲିକୁଦା ଅଛି

 

ରୂପା କୁଦା କି ସେ ଉଦୟେ ଦିଶୁଛି ।

 

ତହିଁ ଦୁଇ ଧାର ହୋଇ ବୋହିଗଲୁ

 

ଉତ୍ତାଳ ତରଙ୍ଗ ରାଶି ନିରୋଧିଲୁ ।

।୩୭।

ଉତ୍କଳ ଭୂମିରୁ ରତ୍ନ ନେଇ ଗଲୁ

 

ଦୁଇ କରେ ରତ୍ନାକରେ କି ଭେଟିଲୁ ?

 

କିଛିକ୍ଷଣ ପରେ ଜୁଆର ଭାଙ୍ଗିଲା

 

ତୋର ଗତି କାହିଁ ଚିହ୍ନା ତ ନ ଗଲା ।

।୩୮।

ଲେଉଟି ଆସିବୁ ଯେବେ କି ଗୋ ମାତଃ

 

ବହୁମୂଲ୍ୟ ରତ୍ନ ଧରି ଦୁଇ ହାତ;

 

ଉତ୍କଳ ସନ୍ତାନେ ନେଇ ସମର୍ପିବୁ

 

ମୋତେ ତୋର ଅଙ୍କେ ନେଇ ମିଶାଇବୁ ।

।୩୯।

ଆଜି ଶ୍ରୀଗୁଣ୍ଡିଚା ମହାପୂତ ଦିନ

 

ଶେଷ କଲି ମୋର ଏ ଗୀତ ରଚନ ।

 

ଆସ ବଳଭଦ୍ର, ଆସ ଜଗନ୍ନାଥ,

 

ଆସ ସୁଭଦ୍ରା ଗୋ ଆସ ଆଦିମାତଃ !

।୪୦।

ଆସ ମା ବିରଜା, ଆସ ମା ବିମଳା,

 

ଆସ ମା ଶାରଦା, ଆସ ମା ମଙ୍ଗଳା !

 

କୃପାମୟୀ ବାଣପୁର-ଅଧିଷ୍ଠାତ୍ରୀ

 

ଆସ ଆସ ଆସ ମାଗୋ ଭଗବତି !

।୪୧।

ଉଠି ଆସୁଅଛି ଚାରୁ ଊର୍ମିମାନ

 

ତାକୁ ଦେଖି ଆସେ ଏ ଆଶା ମୋ ମନ ।

 

ଗୋଟି ଗୋଟି କରି ବସାଇ ତହିଁରେ

 

ଝୁଲାଇ ଝୁଲାଇ ପହଣ୍ଡି ବିଧିରେ ।

।୪୨।

ବତୀଘର ରଥେ ଦେବି ବସାଇଣ

 

ଉତ୍କଳ ସନ୍ତାନେ ଆଣିବି ଡାକିଣ ।

 

ତୁମ୍ଭଙ୍କୁ ସେମାନେ ତହୁଁ ଟାଣି ନେବେ

 

ଉତ୍କଳ ପର୍ବତେ ନେଇ ବସାଇବେ ।

।୪୩।

କୃପାକରି ତୁମ୍ଭେ ଦେବ ତାଙ୍କୁ ବଳ

 

ଧାତୁରତ୍ନରାଜି କରିବେ ସେ ଠୂଳ ।

 

ଅସମ୍ଭବ ଏହା ନୁହଇ ଉତ୍କଳେ

 

କାଞ୍ଚି ଯୁଦ୍ଧେ ଯାଇଥିଲେ ଭକ୍ତିବଳେ ।

।୪୪।

ଉତ୍କଳର ଦଶା ଘୁଞ୍ଚିଯିବ କାହିଁ

 

କାର୍ଯ୍ୟାଳୟମାନ ଖୋଲିଯିବ ତହିଁ ।

 

ନିଜ ଘରେ ବସି ପାଇବେ ସକଳ

 

ପଦାର୍ଥ ଯେତେକ ଲୋଡ଼େ ଏ ଉତ୍କଳ ।

।୪୫।

ଓଡ଼ିଆ ଯେତେକ ଅଛନ୍ତି ବିଦେଶେ

 

ଫେରି ଆସି ଅର୍ଥ ଅର୍ଜିବେ ସ୍ୱଦେଶେ ।

 

ମାତଃ ଗୋ ବିରଜା, ନମେ ତୋ ପୟରେ

 

ପଞ୍ଚବିଂଶ ବର୍ଷ ପୂର୍ବେ ତୋ କୃପାରେ ।

।୪୬।

କେନ୍ଦୁଝର କର୍ମ୍ମକ୍ଷେତ୍ର ଥିବାବେଳେ

 

ତୋହର ଉତ୍ପତ୍ତି ସ୍ଥାନ ଦେଖି ଡୋଳେ ।

 

ଶ୍ରମ ଅର୍ଥ ବ୍ୟୟେ ତୋର ଦୁଇତୀର

 

ଉତ୍ପତ୍ତି ସ୍ଥାନରୁ ପତନ ଆବର-

।୪୭।

ଯାଏ, ଦେଖି ପୁଣି ଟିପି ରଖିଥିଲି

 

ତୋ ଗତି ପ୍ରସିଦ୍ଧି ଲେଖିବି ମୁଁ ବୋଲି ।

 

ମନ ହେଲା ନାହିଁ କାହିଁକି କେଜାଣି

 

ଆଜିଯାଏ ତାହା ଲେଖିବାକୁ ପୁଣି ।

।୪୮।

ଏତେ ଦିନ ପରେ ବିରଜା କୃପାରେ

 

କର୍ମ୍ମକ୍ଷେତ୍ର ହେଲା ଯେଣୁ ଯାଜପୁରେ ।

 

କିଏ ମୋ ମନକୁ ଟାଣି ନେଇଗଲା

 

ତୋ ଗୀତ ଗାୟନେ ଚିତ୍ତ ବଳାଇଲା ।

।୪୯।

ଯେତେବେଳେ ମୁହିଁ ସ୍ୱାର୍ଥ ପରଖଳେ

 

ପୀଡ଼ିତ ହୋଇଣ ଚିନ୍ତାରେ ବ୍ୟାକୁଳେ ।

 

କର୍ମ୍ମୁ ମନ ମୋର ଦୂର ହୋଇଥିଲା

 

ତୋ କୃପା ଯୋଗେ ମା, ଦମ୍ଭ ଆସିଗଲା ।

।୫୦।

ମଣୁଅଛି ଏହା ଅଟେ କୃପା ତୋର

 

ନୋହିଲେ କି ଥିଲା ଶକତି ମୋହର ?

 

ମାତଃ ଗୋ ବିରଜା, କରୁଣା ତୋହର

 

ଏ ଅଧମ ପ୍ରତି ଥିବ ନିରନ୍ତର ।

।୫୧।

କରି ନମସ୍କାର ଚରଣ ତଳରୁ

 

ନେଉଛି ବିଦାୟ ନ ଭୁଲି ମନରୁ ।

 

ମାତଃ ବୈତରଣୀ, ମାଗୁଛି ମେଲାଣି

 

ଅଶାନ୍ତି-ତରଣେ ତୋ କୃପା ତରଣୀ ।

।୫୨।

Image